Odiapua.com

ଯୋଡା : ହକ୍ ପାଇଁ ୫ ପଞ୍ଚାୟତ ଏକାଠି, କାଟାମାଟୀ ଖଣିରେ ଧାରଣା ଅଷ୍ଟମ ଦିନରେ

ଯୋଡା,୩୦/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ବ୍ଲକ ଅନ୍ତର୍ଗତ ଦେଓଝର ପଞ୍ଚାୟତରେ ଅବସ୍ଥିତ ଟାଟା କମ୍ପାନୀଙ୍କର କାଟାମାଟି ଲୌହ ଖଣିରେ ହକ ପାଇଁ ୫ ପଞ୍ଚାୟତର ଧାରଣା ସୋମବାର ୮ମ ଦିନରେ ପହଞ୍ଚିଛି । ଦେଓଝର, ବିରିକଳା, କଣ୍ଡରା, ଅଂଶେଇକଲା ଓ ଚମକପୁର ଏହିପରି ୫ଟି ପଞ୍ଚାୟତର ଶହ ଶହ ବାସିନ୍ଦା ଗତ ୨୩.୧୨.୨୦୧୯ରିଖ ସୋମବାର ଠାରୁ କାଟାମାଟି ଖଣିର ମୂଖ୍ୟ ଫାଟକ ସମ୍ମୁଖରେ ଅନିର୍ଦ୍ଧିଷ୍ଟକାଳ ଧାରଣାରେ ବସିଥିବା ଜଣାପଡିଛି । କୋହଲା ପାଗ ସାଙ୍ଗକୁ ହାଡ ଭଙ୍ଗା ଶୀତରେ ଏବଂ ଗ୍ରାମବାସୀମାନେ ଧାରଣା ଜାରିରଖିଛନ୍ତି । ରବିବାର ଦିନ ଏହି ପଞ୍ଚାୟତ ଗୁଡିକର ୧ହଜାରରୁ ଉର୍ଦ୍ଧ ବାସିନ୍ଦା ଏକତ୍ରିତ ହୋଇ ଏହି ଧାରଣାକୁ ଆହୁରୀ ତୀବ୍ରତର କରିଥିବା ଦେଖାଯାଇଛି । ସୂଚନା ଯୋଗ୍ୟ, ଗ୍ରାମବାସୀ ୨୫ ବର୍ଷ ତଳେ ଟାଟା କମ୍ପାନୀଙ୍କ କାଟାମାଟି ଖଣିଟିରେ ଖଣି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଖଣି ଅଞ୍ଚଳ ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ପ୍ରାୟ ୬୦ଟି ପରିବାରକୁ ସେମାନଙ୍କୁ ଥଇଥାନ କରିବାର ପ୍ରତିଶ୍ରୁତି ଦେଇ ସେଠାରୁ ବିସ୍ଥାପିତ କରାଯାଇଥିଲା । ତେବେ ଅଦ୍ୟାବଧି ଏହି ବିସ୍ଥାପିତ ପରିବାରକୁ କମ୍ପାନୀ ଥଇଥାନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିଆସୁଅଛି । ପୂର୍ବରୁ ଆଦିବାସୀ ବର୍ଗର ଏହି ବନବାସୀ ମାନେ ଜଙ୍ଗଲରୁ ବନ୍ୟ ଜାତ ଦ୍ରବ୍ୟ ସଂଗ୍ରହ କରିବା ସହିତ ଗୋ-ମେଷାଦୀ ପାଳନ କରି ନିଜର ଜୀବିକା ନିର୍ବାହ କରୁଥିଲେ । ଅବା ଅଳ୍ପ ବହୁତ ଚାଷ ବାସ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ । କାଟାମାଟି ଖଣିରେ ଯାନ୍ତ୍ରୀକ ଉପାୟରେ ଖଣିଜ ଉତ୍ତୋଳନ ଯୋଗୁଁ ବ୍ୟାପକ ଜଙ୍ଗଲ ଧ୍ୱଂସ, ଚାରଣ ଭୁମିର ଅଭାବ ଏବଂ ବ୍ୟାପକ ପ୍ରଦୂଷଣ ଯୋଗୁଁ ଚାଷ-ବାସ ସମ୍ପୂର୍ଣ୍ଣ ଉଜୁଡି ଯିବା ଫଳରେ ଅଧିବାସୀମାନେ ନିଜର ଜୀବିକା ହରାଇ ବସିଛନ୍ତି । ୨୦୧୬ ଜନଶୁଣାଣୀ ସମୟରେ କମ୍ପାନୀ ସମ୍ପୃକ୍ତ ଗ୍ରାମବାସୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି ଗୋଟିଏ ହେଲେ ପ୍ରତିଶ୍ରୁତି ପାଳନ କରିବାରେ ସମର୍ଥ ହୋଇନାହିଁ । ପ୍ରତିଶ୍ରୁତି ମୁତାବକ କମ୍ପାନୀର ପାରିପାଶ୍ୱିର୍କ ଉନ୍ନୟନ ସମ୍ପୂର୍ଣ୍ଣ ନୈରାଶ୍ୟ ଜନକ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏପରିକି ଖଣିଜ ଉତ୍ତୋଳନ ଯୋଗୁଁ ପ୍ରଭାବିତ ୫ଟି ପଞ୍ଚାୟତର କାହାରିକୁ ଜଣେ ହେଲେ ସ୍ଥାୟୀ ନିଯୁକ୍ତି ଦିଆଯାଇନାହିଁ । ବିଭିନ୍ନ ସମୟରେ ଟାଟା କମ୍ପାନୀ କିଛି ମୁଷ୍ଟିମେୟ ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ହାତ କରି ଗରିବ ନିରୀହ ଜନସାଧାରଣଙ୍କ ସ୍ୱରକୁ ଚପାୟରେ ଦମନ କରିଆସିଛି ବୋଲି ଆନେ୍ଦାଳନକାରିମାନେ ଅଭିଯୋଗ କରିଛନ୍ତି । ନିଯୁକ୍ତି ଓ ପରିବହନ କ୍ଷେତ୍ରରେ ଅଗ୍ରାଧିକାର ପାଇଁ ଗ୍ରାମବାସୀମାନେ ଦାବୀ କରୁଥିବା ବେଳେ କମ୍ପାନୀ ଏହି ପରିବହନରେ ଠିକାଦାର ନିଯୁକ୍ତି କରି ଏହି ପରିବହନ କାର୍ଯ୍ୟ ତୁଲାଇଆସୁଛନ୍ତି । ଯାହା ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଇଛି । ଠିକା ସଂସ୍ଥା ମାଧ୍ୟମରେ କେତେକ ଖଣିରେ ନିଯୁକ୍ତି ପାଇଥିବା ବେଳେ କମ୍ପାନୀ ମନମୁଖି ଭାବେ ସେମାନଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରିଥିବା ନେଇ ସେମାନଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହି ୫ଟି ପଞ୍ଚାୟତର ବାସିନ୍ଦାଙ୍କ ପାଇଁ ଖଣି ଏକମାତ୍ର ବିକଳ୍ପ ହୋଇଥିବା ବେଳେ ସେମାନେ ନିଜର ହକ ପାଇଁ ୨୦୧୪ ମସିହା ଠାରୁ ବାରମ୍ବାର ଆନେ୍ଦାଳନ, ଧର୍ମଘଟ ମାନ କରିଆସୁଥିଲେ ମଧ୍ୟ କମ୍ପାନୀ ବିଭିନ୍ନ ମାଧ୍ୟମରେ ସେମାନଙ୍କ ସ୍ୱରକୁ ଚପାଇଦେଇଆସିଛି । ଗତ ୪ମାସ ମଧ୍ୟରେ ଗ୍ରାମବାସୀମାନେ କମ୍ପାନୀକୁ ୪ଥର ପତ୍ର ମାଧ୍ୟମରେ ସେମାନଙ୍କର ଅଭିଯୋଗ ଜଣାଇଥିଲେ ମଧ୍ୟ କମ୍ପାନୀ ଥରେ ହେଲେ ସେମାନଙ୍କର ଉତ୍ତର ଦେବାକୁ ଉଚିତ ମନେକରିନାହିଁ । ଫଳରେ ଏହି ଆନେ୍ଦାଳନ ତୀବ୍ରରୁ ତୀବ୍ରତର ହେଉଥିବା ପରିଲକ୍ଷିତ କରାଯାଇଛି ।