Odiapua.com

ଯୋଡା : ସାବିତ୍ରୀ ପାଇଁ କଟକଣାକୁ ମାନିଲେନି ଲୋକେ, 4 ଦୋକାନ ସିଲ କଲା ପ୍ରଶାସନ, ଜୋରିମାନା ଆଦାୟ

ଯୋଡା, ୦୯ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବୁଧବାର ପୂର୍ବାହ୍ନରେ ଯୋଡା ପୌରପାଳିକା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପୌରପାଳିକା ପକ୍ଷରୁ ଚଢୋଉ କରାଯାଇ କରୋନା କଟକଣା ଉଲ୍ଲଂଘନ କରୁଥିବା ୪ଟି ଦୋକାନକୁ ୪ଦିନ ପାଇଁ ସିଲ କରାଯିବା ସହ ୬୪ ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି । ନୂତନ ନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକଙ୍କ ତତ୍ତ୍ୱାବଧାନରେ ପୌରକର୍ମଚାରୀ ଏବଂ ଯୋଡା ଆରକ୍ଷୀଙ୍କ ଉପସ୍ଥିତିରେ ଏହି ଚଢୋଉ କରାଯାଇଥିବା ବେଳେ ଏଥିରେ ଯୋଡା ବସ ଷ୍ଟାଣ୍ଡରେ ଥିବା ରାଜ ଫ୍ୟାସନ ଲୁଗା ଦୋକାନକୁ ୩୦ ହଜାର ଟଙ୍କା ଜୋରିମାନା, ସାଇ ବର୍ଷା ଗାଇମେଣ୍ଟକୁ ୧୦ ହଜାର ଟଙ୍କା, ଯୋଡା ବଜାରରେ ଥିବା ଗଣେଷ ଟେକ୍ସଟାଇଲକୁ ୨୦ ହଜାର ଜୋରିମାନା କରାଯିବା ସହ ୭ଦିନ ପାଇଁ ଦୋକାନ ଗୁଡିକୁ ସିଲ ଦିଆଯାଇଛି । ସେହିପରି ୩ଟି ଫଳ ଦୋକାନକୁ ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଥିବା ବେଳେ ଏକ ଉଠା ଲୁଗା ଦୋକାନୀକୁ ମଧ୍ୟ ସାମାଜିକ ଦୂରତା ରକ୍ଷା କରିନଥିବା ନେଇ ଏକ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା । ଏହା ସହିତ ତୁଣ୍ଡି ପିନ୍ଧିନଥିବା ବ୍ୟକ୍ତିଙ୍କ ଠାରୁ ୫ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ନିର୍ବାହୀ ଅଧିକାରୀ ଶ୍ରୀ ନାୟକଙ୍କ ଠାରୁ ସୂଚନା ମିଳିଛି । ଗୁରୁବାର ସାବିତ୍ରୀ ବ୍ରତ ଥିବାରୁ ଲୁଗା ଦୋକାନ ଏବଂ ଫଳ ଦୋକାନରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଯାହାକୁ ସାଧାରଣରେ ସ୍ୱାଗତ କରାଯାଇଛି ।