Odiapua.com

ଯୋଡା ଶ୍ରାବଣର ତୃତୀୟ ସୋମବାର, ଆଖଣ୍ଡଳମଣିକୁ ଜଳଲାଗି କଲେ ୪୦ ହଜାର କାଉଡିଆ

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘବର୍ଷ ପରେ ଚଳିତବର୍ଷ ଯୋଡା ଶ୍ରାବଣ ମାସର ତୃତୀୟ ସୋମବାରରେ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବା ପାଇଁ ୪୦ ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା । ଗତ ରବିବାର ଠାରୁ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ କାଉଡିଆଙ୍କ ବୋଲବମ୍‌, ହରହରମ୍ ବମ୍ ଧ୍ୱିନିରେ ପ୍ରକମ୍ପିତ ହୋଇଉଠିଥିଲା ରାଜ୍ୟର ପ୍ରସିଦ୍ଧ ଶୈବପୀଠ ବାବା ଆରଡି ଧାମ, ହଜାର ହଜାର କାଉଡିଆ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ଓ ଜିଲା ପ୍ରଶାସନ ପକ୍ଷରୁ ଏହି ପୀଠରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ବିଶେଷକରି ଜଳପଥ ଓ ସ୍ଥଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ଜଳପଥରେ କାଉଡିଆମାନେ ଯେଭଳି ସୁରକ୍ଷିତ ନଦୀପାର ହୋଇ ଆସିପାରିବେ, ସେଥିପାଇଁ ପୀଠରେ ଥିବା ୩ଟି ନଦୀଘାଟର ଉଭୟପାଶ୍ୱର୍ରେ ଓଡ୍ରାଫର ୨ଟି ଟିମ୍ ସହ ଅଗ୍ନିଶମ ବାହିନୀ ଓ ପୁଲିସ୍ ପଇଁତରା ମାରିଥିଲେ । ଅନୁରୂପ ମଣିବାବାଙ୍କ ପାଖରେ କାଉଡିଆଙ୍କ ଶୃଙ୍ଖଳିତ ଜଳଲାଗି ପାଇଁ ମନ୍ଦିର ଭିତର ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ସ୍ୱତନ୍ତ୍ର ବ୍ୟାରିକେଡ୍ ନିର୍ମାଣ ହୋଇଥିଲା । କାଉଡିଆ ଧାଡିରେ ଯାଇ ମଣିବାବାଙ୍କୁ ଜଳଲାଗି କରିବା ସହ ପୂଜାର୍ଚ୍ଚନା କରିଥିଲେ । ବିରଜା ପଂଜିକା ଅନୁଯାୟୀ ଚଳିତ ସୋମବାର ମଳମାସର ପ୍ରଥମ ପାଳି ହୋଇଥିବାରୁ ମଣିବାବାଙ୍କ ପାଖରେ ସ୍ୱତନ୍ତ୍ର ନୀତି ସ୍ୱରୂପ ରୁଦ୍ରାଭିଷେକ, ଜଳାଭିଷେକ ନୀତି ଅନୁଷ୍ଠିତ ହୋଇଥିଲା । ଅନ୍ୟପକ୍ଷରେ ପୀଠର ସୁରକ୍ଷା ପାଇଁ ଦୁଇଜଣ ମାଜିଷ୍ଟ୍ରେଟ୍‌ଙ୍କ ସହ ଜଣେ ଏଏସ୍‌ପି, ୪ ଜଣ ଡିଏସ୍‌ପି, ୧୧ ଜଣ ଇନ୍ସିପେକ୍ଟର, ୮ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ ରହିଥିଲେ । ଏହି ଯୋଡା ଶ୍ରାବଣରେ ମହାଦେବଙ୍କୁ ଜଳାଭିଷେକ କଲେ ବହୁ ପୂଣ୍ୟ ମିଳିଥାଏ ବୋଲି ମନ୍ଦିରର ସେବାୟତମାନେ ମତ ଦେଇଛନ୍ତି ।