Odiapua.com

ଯୋଡା : ରଜ ପାଇଁ ଉତ୍ସବମୁଖର ଯୋଡା ଖଣି ଅଞ୍ଚଳ

ଯୋଡା, ୧୫ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଓଡିଶାର ପ୍ରମୁଖ ପର୍ବ ରଜ ଖଣି ଅଞ୍ଚଳ ଯୋଡା-ବଡବିଲରେ ମଧ୍ୟ ଧୁମ୍‌ଧାମରେ ପାଳନ ହେଉଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ପରମ୍ପରା ଅନୁଯାୟୀ କୁଆଁରିମାନେ ନୂତନ ବସ୍ତ୍ର ପରିଧାନ କରିବା ସହ ଘରେ ଘରେ ପିଠା ପଣା ଏବଂ ଦୋଳିଖେଳରେ ମସଗୁଲ ଥିବା ଦେଖିବାକୁ ମିଳିଛି। ଯୋଡା ବ୍ଲକରେ ଭୂୟାଁ ସମାଜ ପକ୍ଷରୁ ଏହି ପର୍ବକୁ ମହା ଧୁମ୍ ଧାମରେ ପାଳନ କରାଯାଇଛି। ଏହି ପରିପେକ୍ଷୀରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଦୋଳି ଗୀତ, ନାଚ, ପିଠା, ପଣା, ଗଣିତ ପରିକ୍ଷା, ସାଧାରଣଜ୍ଞାନ ପରିକ୍ଷା ସହିତ ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଅନ୍ଧପୁଟୁଳି, ଦୌଡ ପ୍ରତିଯୋଗୀତା, ବାଗୁଡି ଖେଳ ପ୍ରଭୁତି ପ୍ରଦର୍ଶନ କରାଯାଇଛି। ଦିନକୁ ଦିନ ପାରମ୍ପରିକ ପିଠା ଲୋପ ପାଇବାକୁ ବସିଥିବା ବେଳେ ଏହି ପ୍ରତିଯୋଗୀତାରେ ବିଭିନ୍ନ ପ୍ରକାରର ପିଠା ତିଆରିର ପ୍ରତିଯୋଗୀତା କରାଯାଇଥିଲା। ଏଥିରେ ବୈଜ୍ୟେଷ୍ଠ ବ୍ୟକ୍ତିମାନେ ପ୍ରତିଯୋଗିମାନଙ୍କ ପିଠା ଚାଖି ଉତ୍କୃଷ୍ଠ ପିଠା ପ୍ରତିଯୋଗୀଙ୍କୁ ଚିହ୍ନଟ କରିଥାନ୍ତି। ଏହି ପ୍ରତିଯୋଗୀତା ବଳିତା ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିରିକଳା, ଦେଓଝର, ଯୋଡା, ସେରେଣ୍ଡା, ଭଦ୍ରାସାହୀ ପ୍ରମୁଖ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଶହ ଶହ ସଂଖ୍ୟାରେ ମହିଳା ଅଂଶ ଗ୍ରହଣ କରିଥିଲେ। ଚାରି ଭାୟା ପୀଢ ଭୂୟାଁ ସମାଜ ଆନୁକୂଲ୍ୟରେ ଏହା ବିରିକଳା ଗ୍ରାମପଞ୍ଚାୟତ ବଳିତା ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏହା ତିନି ଦିନ ଧରି ପାଳିତ ହୋଇଥାଏ। ମଙ୍ଗଳବାର ଉଦ୍‌ଘାଟନୀ ଉତ୍ସବରେ ଯୋଡା ବ୍ଲକର ଅଧ୍ୟକ୍ଷ କବିନ୍ଦ୍ର ନାଏକ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବା ବେଳେ ଦ୍ୱିତୀୟ ରଜ ବା ମଝି ରଜରେ ବିରିକଳା ଗ୍ରାମପଞ୍ଚାୟତର ପୂର୍ବତନ ନାଏପ ସରପଞ୍ଚ ବିଷ୍ଣୁ ଖିଲାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଦେଓଝର ଗ୍ରାମପଞ୍ଚାୟତ ପୂର୍ବତନ ସରପଞ୍ଚ ଜନାର୍ଦ୍ଦନ ନାଏକ, ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ଶ୍ରମିକ ସଂଘର ଉପସଭାପତି ପ୍ରଫୁଲ୍ଲ ନାଏକ ପ୍ରମୁଖ ଯୋଗଦେଇ ସାଂସ୍କୃତିକ କାର୍ପ୍ୟକ୍ରମରେ ଭାଗନେଇଥିଲେ। ବିଭିନ୍ନ ପ୍ରତିଯୋଗୀତାରେ ବିଜେତା ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟିକୁ ଭୂୟାଁ ସମାଜର ସଭାପତି ତ୍ରିବିକ୍ରମ ନାଏକ, ନରୋତ୍ତମ ନାଏକ, ଗାଲୁ ନାଏକ, ସନ୍ତୋଷ ନାଏକ, ଜୟନ୍ତ ନାଏକ, ପଞ୍ଜାବୀ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ। ସେହିପରି ଜଲହରି ପଞ୍ଚାୟତ ର ଜିଲିଙ୍ଗ ଲଙ୍ଗାଲୋଟା ଓଏମ୍‌ସି ଖଣିରେ ଓଏମ୍‌ସି ପକ୍ଷରୁ ରଜ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମଧ୍ୟ ଖେଳ କୁଦ, ଦୋଳି ଗୀତ ପ୍ରତିଯୋଗୀତାମାନ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଜଲହରି ସରପଞ୍ଚ ନରେନ୍ଦ୍ର ମୁଣ୍ଡା ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଯୋଡା ଖଣି ଅଞ୍ଚଳରେ ଲୁହାପଥର ଚାହିଦା କମିବା ପରେ ଏଠିକାର ମୁଖ୍ୟ ବ୍ୟବସାୟ ପରିବହନ ବାଧାପ୍ରାପ୍ତ ହୋଇଥିବା ବେଳେ ଏକ ମାନ୍ଦା ଅବସ୍ଥା ଦେଖାଦେଇଛି। ଫଳରେ ଏହି ରଜ ଉତ୍ସବ ପୂର୍ବ ବର୍ଷମାନଙ୍କ ଠାରୁ ସାମାନ୍ୟ ଫିକା ପଡିଥିଲେ ମଧ୍ୟ ବିଭିନ୍ନ ୍‌ସ୍ଥାନରେ ଯଥାରିତି ପାଳିତ ହୋଇଥିବା ଦେଖିବାକୁ ମିଳିଛି।