Odiapua.com

ଯୋଡା : ମିଷ୍ଟର ଆଣ୍ଡ ମିସ୍ ଓଡିଶା-୨୦୨୧ରେ ତୃତୀୟ ସ୍ଥାନରେ ଯୋଡାର ଝିଅ ଦିପ୍ତୀମୟି

ଯୋଡା, ୨୫ା୧୨ (ଓଡିଆ ପୁଅ /ସେକ୍ ଜାବିର ମହମ୍ମଦ): ମିଷ୍ଟର ଆଣ୍ଡ ମିସ୍ ଓଡିଶା-୨୦୨୧ ପ୍ରତିଯୋଗୀତାରେ ଯୋଡାର ଝିଅ ଦିପ୍ତୀମୟି ଗୋଚ୍ଛାୟତ ତୃତୀୟ ସ୍ଥାନ ଅଧିକାର କରି ଯୋଡା ପାଇଁ ଗୌରବ ଅର୍ଜନ କରିଛନ୍ତି । ମୋନାଲି ସାହୁ ଏବଂ ଦେବାଶିଷ ମହାପାତ୍ରଙ୍କ ମିଳିତ ଉଦ୍ୟମରେ ‘ଲା ଲୋଟସ ଫେସନ’ ନାମକ ଏକ ସଂସ୍ଥା ମାଧ୍ୟମରେ ଓଡିଶାର ୧୨ଟି ସହରରେ ଅଡିସନ କରାଯାଇଥିଲା । ଯେଉଁଥିରେ ମୋଟ ୫ଶହ ପ୍ରତିଯୋଗୀ ଭାଗନେଇଥିଲେ । ଏହାର ପ୍ରଥମ ଅଡିସନ ଚଳିତ ବର୍ଷ ଜାନୁଆରୀ ମାସ ୨୬ତାରିଖରେ ରାଉରକେଲା ଠାରେ ଅନୁଷ୍ଠିତ ହୋଇଥିବା ବେଳେ ସେଥି ମଧ୍ୟରୁ ମେଗା ଅଡିସନକୁ ୨ଶହ ଜଣ ଯୁବକ ଓ ଯୁବତୀଙ୍କୁ ମନୋନୟନ କରାଯାଇଥିଲା । ଏବଂ ପରବର୍ତ୍ତି ପର୍ଯ୍ୟାୟରେ ଫାଇନାଲ ଅଡିସନ ପାଇଁ ଅନଲାଇନ ମାଧ୍ୟମରେ ଟପ୍‌-୩୦ ଜଣ ଯୁବକ ଓ ଯୁବତୀଙ୍କୁ ବଛାଯାଇଥିଲା । ଚଳିତ ମାସ ୧୧ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱସ୍ଥିତ ଜିଞ୍ଜର ହୋଟେଲ ଠାରେ ଅଡିସନ କରାଯାଇ ସେମାନଙ୍କ ମଧ୍ୟରୁ ଟପ୍‌-୧୨ଜଣ ଯୁବକ ଓ ଟପ୍‌-୧୨ଜଣ ଯୁବତୀଙ୍କୁ ମନୋନୟନ କରାଯାଇ ଅନ୍ତିମ ପର୍ଯ୍ୟାୟ ପ୍ରଶ୍ନୋତ୍ତର ରାଉଣ୍ଡରେ ସେମାନଙ୍କ ମଧ୍ୟରୁ ୭-୭ଜଣ ଯୁବକ ଓ ଯୁବତୀଙ୍କୁ ବଛାଯାଇଥିଲା । ଏହି ପ୍ରତିଯୋଗୀତାରେ ଯୁବକ ବର୍ଗରେ ରାଇରକେଲାର ଅସିତ କୁମାର ସାମଲ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରାଉରକେଲାର ସୁଭ୍ରଜିତ ଓଝା ଦ୍ୱିତୀୟ ସ୍ଥାନ, ଭୁବନେଶ୍ୱରର ଆଶିଶ ରଞ୍ଜନ ସାହୁ ଓ ଭବାନିପାଟଣାର ବିଶ୍ୱଜିତ୍ ନାଏକ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିବା ଘୋଷଣା କରାଯାଇଥିଲା । ସେହିପରି ଯୁବତୀ ବର୍ଗରେ ଭଦ୍ରକର ଦୀଗ୍‌ଦର୍ଶି ମିଶ୍ର ପ୍ରଥମ ସ୍ଥାନ, ଭୁବନେଶ୍ୱରର ବର୍ଷା ଦ୍ୱିତୀୟ ସ୍ଥାନ, କେନ୍ଦୁଝର ଜିଲା ଯୋଡାର ଦିପ୍ତୀମୟି ଗୋଚ୍ଛାୟତ ଓ ତାଳଚେରର ଅନନ୍ୟା ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିବା ଘୋଷଣା କରାଯାଇଥିଲା ।
ଯୋଡା ଭଳି ଉପାନ୍ତ ଅଞ୍ଚଳରେ ଅନେକ ପ୍ରତିଭା ବଣମଲ୍ଲି ଭଳି ଅକାଳରେ ଝଡିପଡୁଥିବା ବେଳେ ଲୋକ ଲୋଚନର ଆଢୁଆଳରେ ରହିଯାଇଥାନ୍ତି । ତେବେ ଦିପ୍ତୀଙ୍କ ଭଳି ଖୁବ କମ୍ ପ୍ରତିଭା ନିଜର ପ୍ରଚେଷ୍ଟା ଏବଂ ଦୃଢ ମନବଳ ଯୋଗୁଁ ଲୋକ ଲୋଚନକୁ ଆସିପାରିଥାନ୍ତି । ଦିପ୍ତୀମୟୀ ନିଜର ଉଦ୍ୟମରେ ଏହି ପ୍ରତିଭାର ଅଧିକାରିଣୀ ହୋଇପାରିଥିବା ବେଳେ ତାଙ୍କ ପରିବାର ତଥା ଯୋଡା ପାଇଁ ଏହା ଏକ ଗୌରବ ବିଷୟ ପାଲଟିଛି । ତାଙ୍କର ପିତା, ମାତା ଆନନ୍ଦରାମ ଏବଂ ମାଳତୀ ଗୋଚ୍ଛାୟତ ଏକ ମଧ୍ୟବିତ ତଥା ରକ୍ଷଣଶୀଳ ପରିବାରର । ତାଙ୍କର ଏକମାତ୍ର ଝିଅ ଦିପ୍ତୀମୟି ଏବେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ । ଦିପ୍ତୀମୟି ଜଣେ ମେଧାବି ଛାତ୍ରୀ ହୋଇଥିବା ବେଳେ ଅଧ୍ୟୟନ ବ୍ୟତୀତ ନବମ ଶ୍ରେଣୀରୁ ତାଙ୍କର ମଡେଲିଙ୍ଗ ପ୍ରତି ପ୍ରଗାଢ ରୁଚି ରହିଥିବା ବେଳେ ସୁଯୋଗ ମିଳିଲେ ସେ ମଡେଲିଙ୍ଗ ସହିତ ଅଭିନୟ କରିବା ପାଇଁ ଆଗ୍ରହ ରଖିଥିବା କହିଛନ୍ତି । ତାଙ୍କର ନୃତ୍ୟ, ସଂଗୀତ, ଅଭିନୟ, ସାଧାରଣ ଜ୍ଞାନରେ ମଧ୍ୟ ପାରଦର୍ଶିତା ରହିଛି । ତେବେ ଏହି ସଫଳତା ପରେ ବିଭିନ୍ନ ଓଡିଆ ଟିଭି ସିରିଏଲରୁ ଅଭିନୟ ନିମନ୍ତେ ତାଙ୍କୁ ପ୍ରସ୍ତାବ ଆସିଥିବା ବେଳେ ଏଥିରେ ତାଙ୍କର ବାପା, ମା’ଙ୍କ କୌଣସି ଆପତ୍ତି ନଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଗ୍ରହଣ କରିନଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଯୋଡାବାସୀ ତାଙ୍କର ସଫଳତା କାମନା କରନ୍ତି ।