Odiapua.com

ଯୋଡା : ମାସ୍କ ଚେକିଙ୍ଗ ବେଳେ ଜୋରିମାନା ନଦେଇ ପୁଲିସକୁ ଧମକ ଦେବା ଅଭିଯୋଗରେ ଟାଟା କମ୍ପାନୀରେ କାର୍ଯ୍ୟରତ ବାପା-ପୁଅ ଗିରଫ

ଯୋଡା, ୨୦- ୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) କୋଭିଡ-୧୯ ନିୟନ୍ତ୍ରଣ ପାଇଁ ସରକାର ମାସ୍କ ପିନ୍ଧିବା ଅନିବାର୍ଯ୍ୟ କରିଥିବା ବେଳେ ଏହାର ଖିଲାଫକାରିଙ୍କ ନିମନ୍ତେ ଜୋରିମାନାର ପ୍ରାବଧାନ କରିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ଯୋଡା ପୁଲିସ ପକ୍ଷରୁ ଏହି ମାସ୍କ ଚେକିଙ୍ଗ କରାଯାଉଥିବା ବେଳେ ଜଜାତି ମହାନ୍ତ ନାମକ ଜଣେ ଜଣେ ଯୁବକ ମାସ୍କ ପିନ୍ଧିନଥିବାରୁ ତାଙ୍କୁ ଜୋରିମାନା କରାଯାଇଥିଲା । ତେବେ ଜୋରିମାନା ନଦେଇ ପୁଲିସକୁ ଧମକ ଦେବା ଓ ଯୁକ୍ତି ତର୍କ କରିବାରୁ ପୁଲିସ ତାଙ୍କୁ ଯୋଡା ଥାନାକୁ ନିଆଯାଇଥିଲା । ଖବର ପାଇ ତାଙ୍କ ବାପା ଦୟାନିଧି ମହାନ୍ତ ମଧ୍ୟ ଯୋଡା ଥାନାରେ ପହଞ୍ଚି ତାଙ୍କ ପୁଅକୁ ଛାଡିଦେବାକୁ କହିବା ସହ ଯୋଡା ଥାନାରେ କାର୍ଯ୍ୟରତ ସମସ୍ତ ପୁଲିସଙ୍କୁ ଧମକ ଦେଇ ନଛାଡିଲେ ପରିସ୍ଥିତି ଅଣାୟତ ହେବ ବୋଲି କହିଥିଲେ । ଫଳରେ ଉଭୟ ବାପା ଓ ପୁଅକୁ ପୁଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଉଭୟ ବାପ-ପୁଅ ସ୍ଥାନୀୟ ଟାଟା କମ୍ପାନୀ ଅଧିନରେ କାର୍ଯ୍ୟରତ । ବାପ ଦୟାନିଧି ମହାନ୍ତ ଯୋଡା ଇଷ୍ଟ ଆଇରନ ମାଇନ୍ସରେ ଜଣେ ସିନିଅର ଚାର୍ଜ ହ୍ୟାଣ୍ଡ ଭାବେ କାର୍ଯ୍ୟ କରୁଥିବା ବେଳେ ପୁଅ ଟାଟା କମ୍ପାନୀଙ୍କ ଖଣ୍ଡବନ୍ଧ ଲୌହ ଖଣିରେ ଜୁନିଅର ଇଞ୍ଜିନିୟର ଭାବେ କାର୍ଯ୍ୟ କରିଥାନ୍ତି । ପୁଅକୁ ଥାନାରେ ଗାଳି ଗୁଲଜ କରାଯିବା ସହ ମାଡ ମରାଯାଇଥିବା ବାପା ଦୟାନିଧି ମହାନ୍ତ ଅଭିଯୋଗ କରିଥିବା ବେଳେ ପୁଲିସ ଏହାକୁ ଅସ୍ୱୀକାର କରିଛି ।