Odiapua.com

ଯୋଡା : ମାଟୋଆ ନିର୍ବାଚନ :ସଞ୍ଜୟଙ୍କ ସମର୍ଥକମାନେ ପ୍ରାର୍ଥୀ ପତ୍ର ଦାଖଲ କଲେ

ାା ଯୋଡା, ୩୦/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ।ା ମାଇନିଙ୍ଗ ଏରିଆ ଟ୍ରକ ୱନର ଆସୋସିଏସନ୍ (ମାଟୋଆ) ର ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ଆସନ୍ତା ନଭେମ୍ବର ୯ ତାରିଖକୁ ନିର୍ବାଚନ ହେବାକୁ ଥିବା ବେଳେ ବୁଧବାର ପୂର୍ବାହ୍ନରେ ମା ଧବଳେଶ୍ୱର କମିଟିର ସଭାପତି ସଞ୍ଜୟ କୁମାର ବାରିକ୍ଙ୍କ ସମର୍ଥକମାନେ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି । ସଞ୍ଜୟଙ୍କ ସମର୍ଥକ ଟ୍ରକ ମାଲିକ ଏବଂ ପ୍ରାର୍ଥୀମାନେ ବନେଇକଳାସ୍ଥିତ ତାରିଣୀ ମନ୍ଦିରରେ ପୂଜା ଅର୍ଚ୍ଚନା କରି ଏକ ବିରାଟ ପଟୁଆରରେ ସଞ୍ଜୟଙ୍କ ନେତୃତ୍ୱରେ ଆସି ବାଂଶପାଣୀସ୍ଥିତ ମାଟୋଆ କାର୍ଯ୍ୟାଳୟ ଠାରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଛି । ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଏବଂ କୋଷାଧ୍ୟକ୍ଷ ଭଳି ୫ଟି ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରାଯାଇଥିବା ବେଳେ ଏଥର ମାଟୋଆରେ ସଞ୍ଜୟଙ୍କ ନେତୃତ୍ୱରେ ନୂତନ ଯୁବକ ଆଶାୟୀ ପ୍ରାର୍ଥୀଙ୍କ ଚେହେରା ଦେଖିବାକୁ ମିଳିଛି । ସଭାପତି ଭାବେ ଭରତ ଚନ୍ଦ୍ର ବାରିକ୍, ଉପସଭାପତି ଭାବେ ଏମ୍.ଡି. ସମୀର ଖାନ, ସମ୍ପାଦକ ଭାବେ ଭିମ୍ସେନ ବାରିକ୍, ସହସମ୍ପାଦକ ଅଶୋକ କୁମାର ମଣ୍ଡଲ, କୋଷାଧ୍ୟକ୍ଷ ପାଇଁ ଇନ୍ଦ୍ରଜିତ ଗୁପ୍ତା ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡିଛି । ନଭେମ୍ବର ୨ ତାରିଖ ସକାଳ ୧୦ ଘ. ରୁ ଅପରାହ୍ନ ୪ଘ. ପର୍ଯ୍ୟନ୍ତ ଯାଞ୍ଚ ପ୍ରକ୍ରିୟା ରହିଥିବା ବେଳେ ୩ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ସକାଳ ୧୦ ଘ. ରୁ ଅପରାହ୍ନ ୪ଘ. ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହରର ସମୟ ଧାର୍ଯ୍ୟ କରାଯାଇଛି । ଏହି ସଂଘରେ ୪ହଜାରରୁ ଉର୍ଦ୍ଧ ଟ୍ରକ ରହିଥିବା ବେଳେ ୧୭ଶହ ୬୩ଜଣ ଟ୍ରକ ମାଲିକ ରହିଛନ୍ତି । ନଭେମ୍ବର ୫ ତାରିଖ ସୁଦ୍ଧା ସେମାନଙ୍କର ଏକ ଚୁଡାନ୍ତ ତାଲିକା ପ୍ରସ୍ତୁତ କରାଯାଇ ୯ ତାରିଖରେ ଭୋଟ ଗ୍ରହଣ କରାଯିବ ଏବଂ ୯ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ । ଏହି ନିର୍ବାଚନକୁ ପରିଚାଳନା କରିବା ପାଇଁ ୭ଜଣ ଓକିଲଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସେମାନେ ହେଲେ ପ୍ରଦୀପ କୁମାର ଜେନା, ଚିନ୍ମୟ ବାରିକ, ଦେବପ୍ରିତ ରଣା, ପ୍ରଦୀପ କୁମାର ମହାନ୍ତି, ରମେଶ ଚନ୍ଦ୍ର କାରୁଆ, ନରେଶ କୁମାର ପାତ୍ର ଏବଂ ଏମ୍.ଡି. ରିଆଜ ଅହମଦ । ଏଠାରେ ସୂଚନା ଯୋଗ୍ୟ, ଏହି ଟ୍ରକ ମାଲିକ ସଂଘଟି ପୂର୍ବରୁ ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ଅଧିନରେ ରହିଥିବା ବେଳେ ବାବା ଧବଳେଶ୍ୱର କମିଟିର ସଭାପତି ସଞ୍ଜୟ ବାରିକ୍ ଏହି ମାଟୋଆ କାର୍ଯ୍ୟାଳୟକୁ ଦଖଲ କରିବା ପାଇଁ ପ୍ରୟାଶ ଜାରି ରଖିଛନ୍ତି । ତେବେ ଶ୍ରୀ ମହାକୁଡ ମଧ୍ୟ ତାଙ୍କର ପ୍ରାର୍ଥୀ ଆସନ୍ତାକାଲି ଦେବେ ବୋଲି ସୂଚନା ମିଳିଛି ।