Odiapua.com

ଯୋଡା ମହୋତ୍ସବ ଉଦ୍‌ଯାପିତ, ଗଣପର୍ବ ହେବ ଯୋଡା ମହୋତ୍ସବ

ଯୋଡା – ୧୧/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ସମ୍ବଲପୁରର ନୂଆଖାଇ, ବରଗଡର ଧନୁଯାତ୍ରା ଭଳି ଯୋଡା ମହୋତ୍ସବକୁ ଏକ ଗଣ ପର୍ବରେ ପରିଣତ କରିବାକୁ ଏହି ମହୋତ୍ସବର ଯୋଡା ବାସୀଙ୍କ ଉତ୍ସାହ ଏବଂ ଆୟୋଜନକୁ ପରିଲକ୍ଷିତ କରି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
୮ ତାରିଖରୁ ଆରମ୍ଭ ହୋଇ ୩ଦିନ ବ୍ୟାପି ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଆସିଥିବା ଯୋଡା ମହୋତ୍ସବ ସୋମବାର ବିଳମ୍ବିତ ରାତ୍ରୀରେ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ସନ୍ଧ୍ୟା ଏହି ମହୋତ୍ସବରେ ଝିପି ଝିପି ବର୍ଷା ସାଙ୍ଗକୁ କୋହଲା ପାଗ ଥିଲେ ମଧ୍ୟ ଜନସାଧାରଣଙ୍କ ମଧ୍ୟରେ ବେସ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଉଦ୍‌ଘାଟନି ଉତ୍ସବରେ ଦକ୍ଷତା ବିକାଶ ଓ ବୈଷୟିକ ଜ୍ଞାନ କୌଶଳ ମନ୍ତ୍ରୀ ପ୍ରେମାନନ୍ଦ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝି, ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରିତିମୟ, ଯୋଡା ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ଯୋଗଦେଇଥିଲେ । ଦ୍ୱିତୀୟ ସନ୍ଧ୍ୟାରେ ନୁଆମୁଣ୍ଡିସ୍ଥିତ ଟାଟା କମ୍ପାନୀ ମହାପ୍ରବନ୍ଧକ ଅତୁଲ ଭଟ୍ଟନାଗର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଖ୍ୟାତ ଓଡିଆ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ଟାଟା କମ୍ପାନୀ ଅଧିକାରୀ ଚନ୍ଦ୍ର କୁମାର ସାହୁ, ଯୋଡା ପୌରନିର୍ବାହୀ ଅଧିକାରୀ ଯୋଗଦେଇଥିଲେ । ସେହିପରି ଉଦ୍‌ଯାପତି ଦିବସରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଟାଟା ଯୋଡା ମୁଖ୍ୟ ରାଜେଶ କୁମାର, ଖଣି ମାଲିକ ତାରିଣୀ ପ୍ରସାଦ ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । କେନ୍ଦ୍ରୀୟ ଖେଳ ପଡିଆ ଠାରେ ଆୟୋଜିତ ଏହି ଉତ୍ସବରେ ଯୋଡା ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତାମାନ ଅନୁଷ୍ଠିତ ହୋଇଥିଲା । ସେଗୁଡିକ ମଧ୍ୟରେ ଚିତ୍ରାଙ୍କନ, ସଂଗୀତ, ଡଗ୍ ସୋ, ଫ୍ୟାନ୍ସି ଡ୍ରେସ, ଶିଶୁମାନଙ୍କ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତା, ନୃତ୍ୟ, ବଡି ବିଲଡିଂ (ମିଷ୍ଟର ଯୋଡା), ମିସ୍ ଯୋଡା ପ୍ରତିଯୋଗୀତା, ମ୍ୟୁଜିକ୍ ଚେୟାର, ପୁଷ୍ପ ପ୍ରଦର୍ଶନୀ, ଦୌଡି ଟଣାମାନ ପ୍ରତିଯୋଗୀତାମାନ ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀମାନଙ୍କୁ ସମ୍ମାନୀତ କରାଯାଇଥିଲା ।

 

ଉତ୍ସବ ପଡିଆଟିରେ ୭୨ଟି ଷ୍ଟଲ ଲାଗିଥିବା ବେଳେ ଓଡିଶା ସରକାରଙ୍କ ଓରମାସ ପକ୍ଷରୁ ୧୨ଟି ଷ୍ଟଲ ଲାଗିଥିଲା । ଏଥିରେ ହାତ ତିଆରି ବଡି, ପାମ୍ପଡ, ଆଚାର, ବିଭିନ୍ନ ଓଡିଆ ଘରର ପିଠା ପଣା ପ୍ରଭୁତି କିଣିବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ହାତ ତିଆରି ଟସର ଜିନିଷ କିଣିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ କରାଯାଇଥିଲା । ମାଟି ହାଣ୍ଡି ମାଂସ, ବିରଆନି ଷ୍ଟଲରେ ମିଳୁଥିବା ସୁସ୍ୱାଦୁ ବ୍ୟଞ୍ଜନର ମଜା ଲୋକେ ଉଠାଇଥିଲେ । ପ୍ରବଳ ଥଣ୍ଡା ସତ୍ୱେ ଆଇସକ୍ରିମ, କେକ ଷ୍ଟଲରେ ଭିଡ ଦେଖିବାକୁ ମିଳିଥିଲା । ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଲାଗିଥିବା ଷ୍ଟଲ ମାନଙ୍କରେ ହାତ ତିଆରି ପିଠା ପଣା, ସୁସ୍ୱାଦୁ ଖାଦ୍ୟ ଯୋଡା ମହୋତ୍ସବର ଆଭିମୁଖ୍ୟର ଶ୍ରୀବୃଦ୍ଧି କରିଥିଲା । ପୌରପାଳିକା ପକ୍ଷରୁ ବର୍ଜ୍ୟବସ୍ତୁରୁ ନିଜ ପ୍ରସ୍ତୁତ ଜୈବିକ ସାର ସୁଲଭ ବିକ୍ରୟ କେନ୍ଦ୍ର ଖୋଲିଥିବା ବେଳେ ପୂଜା ପଦ୍ଧତି ପାଇଁ ଭାରତୀୟ ଡାକ ବିଭାଗ ପକ୍ଷରୁ ବିଶୁଦ୍ଧ ଗଙ୍ଗା ଜଳ ବିକ୍ରୟ ଓ ବିଭିନ୍ନ ଡାକସେବା ଗୁଡିକ ଲୋକଙ୍କ ହାତ ପାଆନ୍ତାରେ ପହଁଞ୍ଚାଇବା ପାଇଁ ପ୍ରୟାଶ ଦେଖିବାକୁ ମିଳିଥିଲା । ନୂତନ ବୈଦ୍ୟୁତିକ ଉପକରଣମାନଙ୍କର ଷ୍ଟଲମାନ ଦେଖିବାକୁ ମିଳିଥିଲା । ବିଭିନ୍ନ ଖଣି କମ୍ପାନୀ ଗୁଡିକ ପକ୍ଷରୁ ପୁଷ୍ପ ପ୍ରଦର୍ଶନୀ ଲୋକଙ୍କ ମନ ମୋହିନେଇଥିଲା । ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ଉତ୍ସବ ପଡିଆରେ ସୁସଜ୍ଜିତ ହୋଇଥିବା କେତେ ଗୁଡିଏ ସେଲ୍ଫି ପଏଣ୍ଟ । ଏଥିରେ ଯୁବକ-ଯୁବତୀମାନେ ଆଇ ଲଭ୍ ଯୋଡା ସେଲ୍ଫି ପଏଣ୍ଟରେ ପ୍ରବଳ ଫଟୋ ଉଠାଇ ମନୋରଞ୍ଜନ କରିଥିଲେ । ତିନି ଦିନ ବ୍ୟାପି ପୂର୍ବାହ୍ନ ୧୦ ଘଟିକାରୁ ରାତ୍ରୀ ୧୨ଟା ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ କରାଯାଇଥିବା ବେଳେ ପ୍ରତି ସନ୍ଧ୍ୟାରେ ୨୦-୨୫ ହଜାର ଲୋକ ଉତ୍ସବ ପଡିଆରେ ଉତ୍ସାହର ସହ ଋଣ୍ଡିଭୂତ ହେଉଥିବା ଦେଖିବାକୁ ମିଳିଥିଲା । ଦ୍ୱିତୀୟ ଓ ତୃତୀୟ ରାତ୍ରୀରେ ସୁନାମଧନ୍ୟ ଓଡିିଆ କଣ୍ଠଶିଳ୍ପୀ ଦିପ୍ତିରେଖା ପାଢୀ ଓ ସାଥି ଏବଂ ସାରେମାଗାପା ର ଗାୟିକା ଅଭିକ୍ ଓ ଅନ୍ତରା ଚକ୍ରବର୍ତ୍ତୀଙ୍କ ସୁମଧୂର ସଂଗୀତରେ ଝୁମି ଉଠିଥିଲେ ଯୋଡା ବାସୀ । ଇଣ୍ଡିଆ ଗଟ୍ ଟ୍ୟାଲେଣ୍ଟରେ ଭାଗ ନେଇଥିବା ପୁରୀ ର ମାଲଖମ ଗୃପ ର ଚିତାକର୍ଷକ କଳା ପ୍ରଦର୍ଶନ ଦର୍ଶକମାନଙ୍କୁ ସ୍ତମ୍ଭିଭୁତ କରିଦେଇଥିଲା । ସେହିପରି ଆମେରିକାର କାର୍ଲିଫର୍ଣ୍ଣିଆରେ ଓଡିଶି ନୃତ୍ୟ ପ୍ରଶିକ୍ଷକ ନୃତ୍ୟ ଶିଳ୍ପୀ ଜ୍ୟୋତି ରାଉତ ଙ୍କ ଓଡିଶି ନୃତ୍ୟରେ ଦର୍ଶକ ବିମୋହିତ ହୋଇପଡିଥିଲେ । ସମଗ୍ର ଯୋଡା ସହର ଯେମିତି ଉତ୍ସବ ମୁଖର ହୋଇଉଠିଥିଲା । ଏହି କାର୍ଯ୍ୟକ୍ରମ ଗୁଡିକୁ ଉତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ସୁଶାନ୍ତ କୁମାର ବାରିକ୍ ପରିଚାଳନା କରିଥିଲେ ଏବଂ ଯୋଡା ମିଡିଆ ପକ୍ଷରୁ ସମଗ୍ର କାର୍ଯ୍ୟକ୍ରମଟିକୁ ସୁପରିଚାଳନା କରାଯାଇଥିଲା ।