Odiapua.com

ଯୋଡା : ଭୋଟର ତାଲିକାରେ ନାଁ ନଥିବାରୁ ନାମାଙ୍କନ ପତ୍ର ଖାରଜ, ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ

ଯୋଡା, ୨୨ା୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ଦେଓଝର ଗ୍ରାମ ପଞ୍ଚାୟତର ୮ ନମ୍ବର ୱାର୍ଡରେ ୱାର୍ଡମେମ୍ବର ପ୍ରାର୍ଥୀ ନିମନ୍ତେ ଦାଖଲ କରିଥିବା ନାମାଙ୍କନ ପତ୍ର ଖାରଜ ହୋଇଯାଇଛି। ଭୋଟର ତାଲିକାରେ ନାମ ନଥିବାରୁ ଏହି ନାମାଙ୍କନ ପତ୍ରକୁ ଯାଞ୍ଚ ସମୟରେ ନାକଚ କରି ଦିଆଯାଇଛି। ଦାଖଲ ପରେ ପ୍ରାର୍ଥୀପତ୍ର ଶନିବାର ଯାଞ୍ଚ ହେବା ପରେ ଖାରଜ ହୋଇଯାଇଥିବାରୁ ଏନେଇ ଯୋଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଯୋଡା ବ୍ଲକ ନିର୍ବାଚନ ଅଧିକାରୀ ଜଗନ୍ନାଥ ହନୁମାନଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ୱାର୍ଡସଭ୍ୟ ନିମନ୍ତେ ମୁକେଶ କୁମାର ନାଏକ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଶନିବାର ପଞ୍ଚାୟତ କାର୍ଯ୍ୟାଳୟରେ ଯାଞ୍ଚ ସମୟରେ ତାଙ୍କର ସେହି ୱାର୍ଡରେ ଭୋଟର ତାଲିକାରେ ନାଁନଥିବା ଦର୍ଶାଇ ତାଙ୍କର ନାମାଙ୍କନ ପତ୍ରକୁ ନାକଚ କରି ଦିଆଯାଇଥିଲା। ଏହାପରେ ସେ ଅସନ୍ତୋଷ ପ୍ରକାଶ କରି ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ ଅଭିଯୋଗ କରିଥିବା ଜଣାପଡିଛି। ଅଭିଯୋଗ ମୁତାବକ ସେ ୮ ନମ୍ବର ୱାର୍ଡର ବାସିନ୍ଦା ଅଟନ୍ତି। ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ଉକ୍ତ ୱାର୍ଡରେ ଭୋଟର ତାଲିକାରେ ତାଙ୍କର ନାଁ ଥିଲା। ଏବେ ତାଙ୍କର ଭୋଟର ଲିଷ୍ଟରେ ୮ନଂ ବଦଳରେ ୯ ନମ୍ବର ୱାର୍ଡରେ ରହିଛି। କିପରି ତାଙ୍କର ଭୋଟର ତାଲିକା ଅନ୍ୟ ୱାର୍ଡରେ ରହିଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ଅନ୍ୟ ଏକ ଅଭିଯୋଗ କରିଛନ୍ତି ଯେ, ୮ ନମ୍ବର ୱାର୍ଡ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀ ଓଡିଆରେ ଲେଖି ପଢି ଜାଣି ନାହାଁନ୍ତି। ତାଙ୍କର ପ୍ରାର୍ଥୀପତ୍ର କିପରି କାଏମ ରହିଲା। ଏହାକୁ ବିଚାରକୁ ନେଇ ତାଙ୍କର ପ୍ରାର୍ଥୀପତ୍ରକୁ କାଏମ ରଖିବା ପାଇଁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅନ୍ୟ ଏକ ଅଭିଯୋଗରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବୀର ନାଏକ କହିଛନ୍ତି ଯେ ଭୋଟର ତାଲିକାରେ ବିଭ୍ରାଟ ଯୋଗୁଁ ବହୁ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରି ନାହାଁନ୍ତି। ଏଦିଗରେ ନିର୍ବାଚନ ପ୍ରକ୍ରିୟା ପୂର୍ବରୁ ଯୋଡା ବ୍ଲକ ପକ୍ଷରୁ ସଠିକ୍ ଯାଞ୍ଚ କରାଯାଇନଥିବା ସେ ଅଭିଯୋଗ କରିଛନ୍ତି। ଯୋଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ନିର୍ବାଚନ ଅଧିକାରୀ ଜଗନ୍ନାଥ ହନୁମାନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଯେଉଁ ୱାର୍ଡରେ ଭୋଟର ତାଲିକା ଥିବ ସେହି ୱାର୍ଡରେ ହିଁ ୱାର୍ଡସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିପାରିବେ।