ଯୋଡା – ୧୦/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୁଲିସ ବ୍ୟାଙ୍କ ଠକେଇ ଅଭିଯୋଗରେ ଶୁକ୍ରବାର ଦିନ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଝୁମ୍ପୁରା ଥାନା ଅନ୍ତର୍ଗତ ଗୁମୁରାର ଜଣେ ଚାଷୀ ନିରଞ୍ଜନ ମହାନ୍ତ ଙ୍କ ଅଭିଯୋଗକ୍ରମେ ଝାରଖଣ୍ଡ ରାଜ୍ୟ ରାଞ୍ଚି ଜିଲ୍ଲା ରଙ୍ଗାମାଟିଆ ଗ୍ରାମର ବାବୁଲୁ ମହାନ୍ତ (୨୧) ନାମକ ଜଣେ ଯୁବକକୁ ପୁଲିସ ଗିରଫ କରିଛି । ଅଭିଯୋଗ ମୁତାବକ ବାବୁଲୁ ମହାନ୍ତ ଜଣେ ଅନାଥ ଯୁବକ ରାଉରକେଲାର ଏକ ଅନାଥ ଆଶ୍ରମରେ ରହି ପାଠ ପଢିବା ସହିତ ସେଠାରୁ ବାହାରି ଛୋଟ ବ୍ୟବସାୟ କରି ରାଉରକେଲାରେ ରହୁଥିଲା । ତେବେ ଅନାଥ ଆଶ୍ରମରେ ଅଭିଯୋଗକାରି ନିରଞ୍ଜନ ମହାନ୍ତଙ୍କ ଝିଅ କାମ କରୁଥିବା ବେଳେ ବାବୁଲୁ ସହିତ ତାଙ୍କର ପରିଚୟ ହୋଇଥିଲା । ତେଣୁ ବବୁଲୁ ବରାବର ନିରଞ୍ଜନଙ୍କ ଘରକୁ ଯା ଆସ କରୁଥିଲା । ନିରଞ୍ଜନଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଯୋଡା ଶାଖାରେ କିଛି ଟଙ୍କା ଥିବାର ଜାଣି କୌଶଳକ୍ରମେ ନିରଞ୍ଜନଙ୍କ ଫୋନରୁ ସିମଟି କାଢି ନେଇ ନିଜ ଫୋନରେ ସିମଟି ଲଗାଇ ଗୁଗୁଲ ପେ ଡାଉଲୋଡ କରି ତାଙ୍କ ବ୍ୟାଙ୍କ ଖାତାରୁ ୧୫.୧୧.୨୦୧୯ ଠାରୁ ୧୮.୧୨.୨୦୧୯ ମଧ୍ୟରେ ପ୍ରାୟ ୨ଲକ୍ଷ ୨୫ ହଜାର ୭୭୮ ଟଙ୍କା ଉଠାଇନେଇଥିଲା । ଏଥିରେ ଭୁବନେଶ୍ୱର ର ପୁରୁଣା କାର କିଣା ବିକା କରୁଥିବା ଏକ ସଂସ୍ଥା ନାମରେ ୧ଲକ୍ଷ ୧୩ ହଜାର ଟଙ୍କା ସ୍ଥାନାନ୍ତର କରି ଏକ ପୁରୁଣା ଚେଭରଲେଟ ବିଟ୍ କାର କିଣିଥିଲା । ଯାହାର ନମ୍ବର ଓଆର୦୫ଏଆର-୪୯୧୫ ଏବଂ ଅନ୍ୟ ଜଣେ ହୋଟେଲ ମାଲିକଙ୍କ ଆକାଉଣ୍ଟକୁ ୧ଲକ୍ଷ ୧୮ ହଜାର ଟଙ୍କା ପଠାଇ ଉକ୍ତ ଟଙ୍କା ତାଙ୍କ ପାଖରୁ ନେଇ ନିଜେ ଖର୍ଚ୍ଚ କରିଥିଲା । ନିରଞ୍ଜନଙ୍କ ଅଭିଯୋଗ ପାଇ ପୁଲିସ ଉକ୍ତ କାର ସହିତ ଅଭିଯୁକ୍ତକୁ ଭୁବନେଶ୍ୱର ରୁ ଗିରଫ କରିଥିଲା । ସୁଚନା ଯୋଗ୍ୟ ଅଭିଯୁକ୍ତ ବାବୁଲୁ ମହାନ୍ତ ୬ ବର୍ଷ ବୟସରେ ତାର ମା କୁ ହରାଇଥିଲା । ପରେ ବାପାଙ୍କ ଦ୍ୱାରା ଅବହେଳିତ ହୋଇ ରାଉରକେଲାର ଏକ ଅନାଥ ଆଶ୍ରମରେ ତାକୁ ରଖାଯାଇଥିଲା । ତେବେ ବଡ ହେଲା ପରେ ସେଠାରୁ ସେ ଲୁଚି ପଳାଇଆସି ଝାରଖଣ୍ଡ ଏବଂ ଭୁବନେଶ୍ୱରର ବିଭିନ୍ନ ହୋଟେଲରେ କାର୍ଯ୍ୟ କରୁଥିଲା । ଏହିଭଳି ବ୍ୟାଙ୍କ ଠକେଇ ମାଧ୍ୟମରେ ସେ ଏକ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଥିଲା । ତା ନାମରେ ଯୋଡା ଥାନା କେଶ ନଂ. ୨୨୪ରେ ଧାରା ୩୭୯, ୪୧୭, ୪୧୯ ଆଇପିସି ଏବଂ ସେକ୍ସନ ୬୬ (ସି)ଆଇଟି ଆକ୍ଟରେ ମାମଲା ଋଜୁ କରାଯାଇ କୋର୍ଟକୁ ପଠାଯିବା ସହିତ କାର ଟିକୁ ଜବତ କରାଯାଇଛି ।