Odiapua.com

ଯୋଡା : ବିଭିନ୍ନ ଦାବି ନେଇ ସରକାରୀ ଖୁଚୁରା ଦୋକାନୀ ମାନଙ୍କ ବୈଠକ

ଯୋଡା, ୨୫ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଶନିବାର ଅପରାହ୍ନରେ ସ୍ଥାନୀୟ ଲକ୍ଷ୍ମୀ ମନ୍ଦିର ପଡିଆ ଠାରେ ଯୋଡା ପୌରାଞ୍ଚଳର ସରକାରୀ ଖୁଚୁରା ଦୋକାନୀ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୀଳମଣି ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯୋଡା ପୌରାଞ୍ଚଳର ସମସ୍ତ ଖୁଚୁରା ଦୋକାନୀମାନେ ଉପସ୍ଥିତ ରହିଥିଲେ । ଏହି ବୈଠକରେ ରିଟେଲରମାନଙ୍କ ବିଭିନ୍ନ ଦାବି ନେଇ ଆଲୋଚନା କରାଯାଇଥିଲା । ଏଥିରେ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର, କୋଭିଡ ସମୟରେ ୨୩ମାସ ବଣ୍ଟନ କରାଯାଇଥିବା ରାସନର ପାରିଶ୍ରମିକ ଅର୍ଥ ଏବଂ ବକେୟା ୨ମାସର ଖାଉଟି ସାମଗ୍ରୀ ଯୋଗାଣ, ଇ-ପୋସ ମେସିନର ବ୍ୟବହାରୀକ ଖର୍ଚ୍ଚ ବାବଦକୁ ବର୍ଷ ବର୍ଷ ଧରି ବକେୟା ଗୁଡିକର ଅର୍ଥ ପ୍ରଦାନ, କରୋନା ସମୟରେ ସ୍କୁଲ ଗୁଡିକୁ ବଣ୍ଟନ କରାଯାଇଥିବା ମଧ୍ୟାନ ଭୋଜନ ଚାଉଳର ପାରିଶ୍ରମିକ ଅର୍ଥ, ଫେରସ୍ତ କରାଯାଇଥିବା ଅଖାର ମୂଲ୍ୟ ପୈଠ, ବୈଦ୍ୟୁତିକ ବତି ବାବଦକୁ ପ୍ରାପ୍ୟ ପ୍ରଦାନ, ଘର ଘର ବୁଲି ହିତାଧିକାରୀଙ୍କ ଠାରୁ ଆଧାର କାର୍ଡର ନକଲ, ବ୍ୟାଙ୍କ ଆକାଉଣ୍ଟର ନମ୍ବର, ମୋବାଇଲ ନମ୍ବର ସଂଗ୍ରହର ପାରିଶ୍ରମିକ, ୨୦୧୭ ମସିହାରେ ଯୋଗାଇଦିଆଯାଇଥିବା ଇ-ପୋସ ମେସିନ, ବ୍ୟାଟେରି, ଚାର୍ଜର, ଆବଶ୍ୟକ ଆଇ ସ୍କାନର, କି-ବୋର୍ଡ ଇତ୍ୟାଦି ଜରୁରି ଭାବେ ପ୍ରଦାନ କରିବା, କରୋନାରେ ମୃତ୍ୟୁବରଣ କରିଥିବା ରିଟେଲର ପରିବାରଙ୍କୁ ଖୁଚୁରା ବିକ୍ରେତା ଭାବେ ଥଇଥାନ କରିବା, ପର୍ଯ୍ୟାୟକ୍ରମେ ନଦେଇ ଏକକାଳୀନ ହିତାଧିକାରୀଙ୍କ ଖାଉଟି ସାମଗ୍ରୀ ବିକ୍ରୟ କେନ୍ଦ୍ରକୁ ପ୍ରେରଣ କରିବା, ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ବୁଦ୍ଧି ପାଉଥିବା ବେଳେ ରିଟେଲରଙ୍କ ପାରିଶ୍ରମିକ ବୃଦ୍ଧି କରିବା ପ୍ରଭୁତି ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା । ସର୍ବ ଭାରତୀୟ ରିଟେଲର ଫେଡେରେସନ ନିଷ୍ପତ୍ତି କ୍ରମେ ଆସନ୍ତା ଜୁଲାଇ ମାସ ୪ ତାରିଖ ଦିବା ୧୦ ଘଟିକା ସମୟରେ ଓଡିଶାର ସମସ୍ତ ବ୍ଲକ କାର୍ଯ୍ୟାଳୟ, ପୌରପରିଷଦ କାର୍ଯ୍ୟାଳୟ ଏବଂ ମହାନଗରରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିପରି ଆସନ୍ତା ଜୁଲାଇ ମାସ ୧୧ ତାରିଖ ଦିବା ୧୦ ଘଟିକା ସମୟରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସୂଚନା ଦିଅ।।ଯାଇଛି । ସେହିପରି ୧୮ ତାରିଖରେ ଭୁବନେଶ୍ୱରର ରେଳ ଷ୍ଟେସନରୁ ଶୋଭାଯାତ୍ରା ବାହାରି ଲୋଓର ପିଏମ୍‌ଜି ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସୂଚନା ଦିଆଯାଇଛି ଏବଂ ଅଗଷ୍ଟ ୨ ତାରିଖରେ ସମଗ୍ର ଭାରତବର୍ଷର ରିଟେଲର ସଂଘକୁ ଦିଲ୍ଲୀ ଚାଲୋର ଆହ୍ୱାନ ଦିଆଯାଇଛି ।