Odiapua.com

ଯୋଡା : ବିଦ୍ୟୁତ୍ ଆଘାତରେ ଦମ୍ପତି ମୃତ, ଅଳ୍ପକେ ବର୍ତ୍ତିଲେ ୫ ବର୍ଷର କନ୍ୟା

ଯୋଡା, ୧୦ା୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଥାନା ଅନ୍ତର୍ଗତ ଅଂଶେଇକଳା ପଞ୍ଚାୟତ ଜାମୁକୁଣ୍ଡିଆ ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି। ଏକ ଦମ୍ପତି ବିଦ୍ୟୁତ ସ୍ରୋତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଘଟଣା ସମଗ୍ର ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି କରିଛି। ଖବରରୁ ଜଣାପଡିଛି ଯେ, ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ମାନ୍ଦୁରୁ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ରାଇମଣି ମୁଣ୍ଡା ସେମାନଙ୍କର ୫ ବର୍ଷର ଝିଅ ଆରନି ନିକଟସ୍ଥ ଜାମୁକୁଣ୍ଡିଆ ହାଟକୁ ଘର ସଉଦା କରିବାକୁ ଯାଇଥିଲେ। ସେଠାରୁ ପରିବା ପତ୍ର ସହ ମାଛ କିଣି ରାତିରେ ଘରକୁ ଫେରିଥିଲେ। ତେବେ ଭିତରକୁ ଯିବା ପାଇଁ ଘରେ ଲାଗିଥିବା ଲୁହା କବାଟ ଫିଟାଇ କ୍ଷଣି ତାଙ୍କୁ ଖୁବ୍ ଜୋରରେ ବିଦ୍ୟୁତ୍ ଆଘାତ ଲାଗିଥିଲା। ଫଳରେ ଉଭୟ ସ୍ୱାମୀ, ସ୍ତ୍ରୀ ଘଟଣା ସ୍ଥଳରେ ହିଁ ଟଳିପଡିଥିଲେ। ତେବେ ୫ ବର୍ଷର ଝିଅକୁ ବିଦ୍ୟୁତ୍ ଆଘାତ ଲାଗିଥିଲେ ମଧ୍ୟ ସେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ଝିଅଟିଏର ଗୋଡରେ ବିଦ୍ୟୁତ୍ ଆଘାତ ଲାଗିଥିବା ବେଳେ ସେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ତେବେ ଘରେ ଲାଗିଥିବା ଲୁହା କବାଟ ଉପରେ ଦେଇ ବିଦ୍ୟୁତ୍ ତାର ଘର ଭିତରକୁ ନିଆଯାଇଥିବା ବେଳେ କୌଣସି ସ୍ଥାନରେ କଟି ଏହା କବାଟ ସହିତ ସଂଯୋଗ ହୋଇଯାଇଥିବା ଜଣାପଡିଛି। ଫଳରେ ଏହି ଦୁର୍ଘଟଣା ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତ ଦେହ ୨ଟିକୁ ଜବତ କରିବା ସହ ଅନାଥ ଶିଶୁଟିକୁ ଉଦ୍ଧାର କରିଛନ୍ତି।