Odiapua.com

ଯୋଡା : ବିଜେଡି କର୍ମି ସମ୍ମିଳନୀରେ ଯୋଗଦେଲେ ନାହିଁ ବିଜେଡି ବିଧାୟିକା

ଯୋଡା, ୧ା୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ପବିତ୍ର ରଥ ଯାତ୍ରା ଅବସରରେ କମାରଯୋଡାସ୍ଥିତ ବିଜେଡି କାର୍ଯ୍ୟାଳୟରେ ଯୋଡା ପୌରପାଳିକାର ବିଜେଡି କର୍ମିମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗତ ପୌରନିର୍ବାଚନରେ ବିଜେଡି ଦଳର ଦୁର୍ବଳ ପ୍ରଦର୍ଶନ ଯୋଗୁଁ ୧୪ଟି କାଉନସିଲର ମଧ୍ୟରୁ ମାତ୍ର ୭ଟି କାଉନସିଲର ଜିତାଇ ବିଜେଡିକୁ ସନ୍ତୁଷ୍ଟ ହେବାକୁ ପଡିଥିଲା। ସେହିପରି କ୍ଷମତାରେ ଥାଇ ମଧ୍ୟ ନଗରପାଳ ଆସନରେ ଖୁବ କମ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ବିଜୟ ହାସଲ କରିପାରିଥିଲେ। ଏହି ନିର୍ବାଚନରେ ବିଜେଡିର ନୈରାଶ୍ୟ ଜନକ ପ୍ରଦର୍ଶନ ବିଜେଡି ଦଳ ଅଧୋପତନର ସୂଚନା ଦେଇଥିଲା। ଏହା ବ୍ୟତୀତ ଚମ୍ପୁଆ ବିଧାୟିକାଙ୍କ ତିନି ବର୍ଷର କାର୍ଯ୍ୟକାଳ ଭିତରେ କୌଣସି ଆଖି ଦୃର୍ଶିଆ କାର୍ଯ୍ୟ ଯୋଡା ଭଳି ଖଣି ପ୍ରବଣ ଅଞ୍ଚଳରେ ହୋଇନଥିବା ବେଳେ ବିଧାୟିକାଙ୍କ ନେତୃତ୍ୱରେ ବିଜେଡି ଦଳ ଦିନକୁ ଦିନ ଦୃର୍ବଳ ହେବାରେ ଲାଗିଛି ବୋଲି କର୍ମିମାନଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେଡି ଦଳ ତାର ପ୍ରସ୍ତୁତି ଆରମ୍ଭ କରିଛି। ବୈଠକଟିରେ ବିଜେଡି ନଗର ସଭାପତି ଚତୁର୍ଭୁଜ ପଲେଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି କର୍ମି ସମ୍ମିଳନୀରେ ସାଂସଦ ପ୍ରତିନିଧି ରବି ନାରାୟଣ ଦାସ, ବିଶିଷ୍ଟ ସଂଗଠକ ବିନୋଦ ପଟ୍ଟନାୟକ, ସୈଳେନ୍ଦ୍ର ଜୋରା ପ୍ରମୁଖ ମଞ୍ଚାସିନ ଥିବା ବେଳେ ଏଥିରେ ସମସ୍ତ ବିଜେଡି କାଉସିଲର ପ୍ରାର୍ଥୀମାନେ ଉପସ୍ଥିତ ରହିଥିଲେ। ବୈଠକଟିରେ ୫ଶହରୁ ଉର୍ଦ୍ଧ୍ୱ ବିଜେଡି କର୍ମି ଯୋଗଦେଇଥିବା ବେଳେ ଏଥିରେ ଆଗାମୀ ଦିନରେ କିଭଳି ଭାବେ ବିଜେଡି ଦଳକୁ ଯୋଡା ପୌରପାଳିକାରେ ମଜବୁତ କରାଯାଇ ପାରିବ ଏ ନେଇ କର୍ମିମାନେ ନିଜ ନିଜର ମତ ପ୍ରକାଶ କରିଥିଲେ। ତେବେ ଏହି କାର୍ଯ୍ୟକ୍ରମଟିରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କୁ ଦେଖିବାକୁ ମିଳିନଥିବା ବେଳେ ତାଙ୍କର କେତେକ ଏକାନ୍ତ ସମର୍ଥକଙ୍କୁ ଦେଖିବାକୁ ମିଳିନଥିଲା। ଯୋଡା ପୌରପାଳିକା ଅଧ୍ୟକ୍ଷ ଡଃ ଜଗଦିଶ ପ୍ରସାଦ ସାହୁ ଏବଂ ଉପନଗରପାଳ ସନ୍ଧ୍ୟା ପାତ୍ର ଯୋଡା ପୌରପାଳିକା କାର୍ଯ୍ୟାଳୟରେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ଏକ ପୂଜା ଅନୁଷ୍ଠିତ ହେଉଥିବା ବେଳେ ସେ ଏହି କାର୍ଯ୍ୟକ୍ରମରେ ଯୋଗଦେଇପାରିନଥିବା ସୂଚନା ମିଳିଛି। ଅନୁଷ୍ଠିତ ଏହି କାର୍ଯ୍ୟକର୍ମଟିରେ କର୍ମିମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖାଦେଇଥିବା ବେଳେ ଏହା ଆଗାମୀ ଦିନରେ ବିଜେଡି ଦଳକୁ ଇନ୍ଧନ ଯୋଗାଇବ ବୋଲି ସମୀକ୍ଷକମାନେ ଆଲୋଚନା କରୁଛନ୍ତି।