Odiapua.com

ଯୋଡା : ବାଲାଗୋଡା ପଞ୍ଚାୟତରେ ବୁଥ ଜବରଦଖଲ, ପୁଲିସ ସୁରକ୍ଷା ଭିତରେ ବିଜେଡି କର୍ମି ମାରିଲେ ଜାଲ ଭୋଟ, ଘଟଣାସ୍ଥଳରେ ଉତ୍ତେଜନା, ଆରକ୍ଷୀ ଅଧିକ୍ଷକଙ୍କ ହସ୍ତକ୍ଷେପ

ଯୋଡା, ୨୨ା୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଖଣି ଅଞ୍ଚଳରେ ଶାସକ ଦଳର ଗୁଣ୍ଡାମାନଙ୍କ ଦ୍ୱାରା କିପରି ଗଣତନ୍ତ୍ରକୁ ହତ୍ୟା କରାଯାଏ ତାହା ବାରମ୍ବାର ଚଳିତ ନିର୍ବାଚନରେ ଦେଖିବାକୁ ମିଳିଛି । କେଉଁଠି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା କାରବାର, ଅନ୍ୟ କେଉଁଠି ବିରୋଧିମାନଙ୍କୁ ଅତର୍କିତ ଆକ୍ରମଣ ତ ଅନ୍ୟ କେଉଁଠି ବୁଥ ଜବରଦଖଲ କରି ଭୋଟ ମାରିବା ଭଳି ଘଟଣା ନଜରକୁ ଆସିଛି । କେନ୍ଦୁଝର ଜିଲା ଯୋଡା ବ୍ଲକର ବାଲାଗୋଡା ପଞ୍ଚାୟତରେ ବୁଥ ଜବରଦଖଲ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଘଟଣା ସ୍ଥଳରେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିବା ଜଣାପଡିଛି । ଚଳିତ ନିର୍ବାଚନ ଦୃଷ୍ଟିରୁ ଖଣି ଅଞ୍ଚଳ ବେସ ସମ୍ବେଦନଶୀଳ ହୋଇଉଠିଥିବା ବେଳେ ଏଠାରେ କେନ୍ଦୁଝର ଜିଲାପାଳ ଆଶିଶ ଠାକରେ ଏବଂ କେନ୍ଦୁଝର ପୁଲିସ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର ଉଭୟଙ୍କୁ ଯୋଡା ଖଣି କ୍ଷେତ୍ରରେ ବିଭିନ୍ନ ବୁଥରେ ଦେଖିବାକୁ ମିଳିଥିଲା । ଯୋଡା ବ୍ଲକର ବିଭିନ୍ନ ସ୍ଥାନରେ ଶାନ୍ତି ସୃଙ୍ଖଳା ସହିତ ନିର୍ବାଚନ ଚାଲିଥିବା ବେଳେ ଭୋଟ ଗ୍ରହଣ ଶେଷ ସମୟ ପୂର୍ବରୁ ଚମ୍ପୁଆ ବିଧାୟିକାଙ୍କ ସମର୍ଥକ ଲକ୍ଷ୍ମଣ ମହାନ୍ତ ଓରଫ ଲାଲଟୁ ଏବଂ ତାଙ୍କର କେତେଜଣ ସହଯୋଗୀ ବାଲାଗୋଡା ପଞ୍ଚାୟତର ଡିଏଭିଲ ସ୍କୁଲରେ ଥିବା ୨୩ନଂ ଏବଂ ୨୫ନଂ ବୁଥକୁ ଜବରଦଖଲ କରି, ସେମାନଙ୍କ ପ୍ରାର୍ଥୀ ସପକ୍ଷରେ ଭୋଟ ମାରୁଥିବା ସମୟରେ ଅନ୍ୟ ପ୍ରାର୍ଥୀମାନଙ୍କ ଏଜେଣ୍ଟ ଏହାର ପ୍ରତିବାଦ କରିଥିଲେ । ଏଜେଣ୍ଟମାନଙ୍କ ଉପସ୍ଥିତିରେ ଲାଲଟୁ ପଞ୍ଚାୟତ ବାହାର ଓ ପଡୋଶି ଝାଡଖଣ୍ଡର କେତେକ ଗୁଣ୍ଡା ଆଣି ଏହି ବୁଥକୁ ଜବରଦଖଲ କରିଥିବା ସେମାନେ ଅଭିଯୋଗ କରିଥିଲେ । ଏହି ଜବରଦଖଲକାରିମାନେ ପୁଲିସ ସହିତ ପ୍ରଥମେ ବୁଥ ମଧ୍ୟକୁ ପ୍ରବେଶ କରିଥିଲେ । ସେମାନଙ୍କୁ ବିରୋଧ କରାଯିବା ସମୟରେ ଉପଖଣ୍ଡ ପୁଲିସ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏହା କରାଯାଉଥିବା ସେମାନେ ଖୋଲାଖୋଲି ଭାବେ ଉପସ୍ଥିତ ଭୋଟରଙ୍କୁ କହିବା ସହ ବିଭିନ୍ନ ଧମକ ଦେଇଥିଲେ । ଏଥିରେ ଉପଖଣ୍ଡ ପୁଲିସ ଅଧିକାରୀଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଥିଲା । ଜବରଦଖଲ ଖବର ପ୍ରସାରିତ ହେବା ପରେ ସମ୍ପୃକ୍ତ ଭୋଟ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ସମୟରେ ବଡବିଲ ଉପଖଣ୍ଡ ପୁଲିସ ଅଧିକାରୀ ହିମାଂଶୁ ଭୂଷଣ ବେହେରା ଓ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ବିରୋଧରେ ଉପସ୍ଥିତ ଭୋଟର ବିଭିନ୍ନ ନାରାବାଜି କରିଥିଲେ । ଫଳରେ ୨ଘଣ୍ଟା ଧରି ଭୋଟ ଗ୍ରହଣକୁ ବନ୍ଦ ରଖିବାକୁ ପଡିଥିଲା । ତେବେ ବିଜେପି କାର୍ଯ୍ୟକର୍ତ୍ତା ମୁରଲି ଶର୍ମାଙ୍କ ଅଭିଯୋଗ ମୁତାବକ ଉପଖଣ୍ଡ ପୁଲିସ ଅଧିକାରୀଙ୍କ ସହାୟତାରେ ଏବଂ ତାଙ୍କ ଉପସ୍ଥିତିରେ ଏହି ଭୋଟ କେନ୍ଦ୍ର ଜବରଦଖଲ କରାଯାଇଥିଲା । ଖୋଦ ପୁଲିସ ଉପସ୍ଥିତିରେ ରବିବାର ରାତିରେ ବୁରୁହାଟିଂରେ ମିନାକ୍ଷୀଙ୍କ ସମର୍ଥକମାନେ ଭୋଟରମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ତେଣୁ ଖଣି ଅଞ୍ଚଳରେ ଗଣତନ୍ତ୍ର ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ଥ ହୋଇପଡିଥିବା ସେ ଅଭିଯୋଗ କରି ଉକ୍ତ ପଞ୍ଚାୟତରେ ସାନି ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ଦାବି କରିଥିବା ଜଣାପଡିଛି । ଉକ୍ତ ଭୋଟ କେନ୍ଦ୍ରରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗିରହିଥିବା ବେଳେ ଖବର ପାଇ ଆରକ୍ଷୀ ଅଧିକ୍ଷକ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ୪ ପ୍ଲାଟୁନ ପୁଲିସ ବଳ ମୁତୟନ କରିଥିବା ଦେଖିବାକୁ ମିଳିଥିଲା । ଜଣେ ପୁଲିସ ଅଧିକାରୀ, ଶାସକ ଦଳର ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଏବଂ ସେମାନଙ୍କ ସହଯୋଗୀଙ୍କ ଏପରି କାର୍ଯ୍ୟକଳାପକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଥିବା ଜାଣିବାକୁ ମିଳିଛି ।