Odiapua.com

ଯୋଡା ବରିଷ୍ଠ ନାଗରିକଙ୍କ ଧାରଣା ୧୫ଦିନ ପାଇଁ ସ୍ଥଗିତ

ଯୋଡା, ୦୧ । ୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା-ବଡବିଲ ଖଣି ଅଞ୍ଚଳ ରାଜ୍ୟ ସରକାରଙ୍କ ଦ୍ୱାରା ଚିର ଅବହେଳିତ ହୋଇ ରହିଆସିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଭଳି ମୌଳିକ ସୁବିଧାରୁ ଖଣି ଅଞ୍ଚଳବାସି ବଞ୍ଚିତ । ବାରମ୍ବାରର ପ୍ରଶାସନର ଦୃଷ୍ଟି ଆକର୍ଷଣ କଲା ପରେ ମଧ୍ୟ କୌଣସି ସୁଫଳ ମନିଳିବାରୁ ଜନସାଧାରଣ ଅତିଷ୍ଠ ହୋଇପଡିଛନ୍ତି । ଏହାର ପ୍ରତିବାଦରେ ଯୋଡା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସୋମବାର ଠାରୁ ଏକ ଧାରଣା ଦିଆଯାଇଥିଲା । ସକାଳ ୧୦ ଘଟିକା ସମୟରେ ବରିଷ୍ଠ ନାଗରିକ ମଞ୍ଚ, ଯୋଡା ଏବଂ ବଡବିଲ ସିଭିଲ ସୋସାଇଟି, ଯୋଡା ନାଗରିକ ମଞ୍ଚ ଏବଂ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ନିକଟସ୍ଥ ଶିବ ମନ୍ଦିର ଠାରୁ ଏକ ପଟୁଆରରେ ଆସି ଯୋଡା ପୌରକାର୍ଯ୍ୟାଳୟ ସମ୍ମୁଖରେ ଲଗାଯାଇଥିବା ଟେଣ୍ଟରେ ଧାରଣାରେ ବସିଥିଲେ । ଏହି ଧାରଣା ସମୟରେ ପ୍ରଶାସନର ଅପାରଗତା, ଯୋଡା-ବଡବିଲ ଖଣି ଅଞ୍ଚଳପ୍ରତି ବୈମାତୃକ ମନୋଭାବ ନେଇ ବରିଷ୍ଠ ନାଗରିକମାନେ ନିଜର ମତବ୍ୟକ୍ତ କରିଥିଲେ । ତେବେ ପ୍ରାୟ ୧.୩୦ମି. ସମୟରେ ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ଏବଂ ବଡବିଲ ଏସ.ଡି.ପି.ଓ. ସତ୍ୟବିକାଶ ଭୂୟାଁ, ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀ ରାଇସେନ ମୁର୍ମୁ ସଦଳବଳେ ଧାରଣାସ୍ଥଳକୁ ଆସି ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଦାବି ଗୁଡିକ ତୁରନ୍ତ ପୁରଣ କରିବା ପାଇଁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ୧୫ଦିନ ମଧ୍ୟରେ ପୁରଣ କରିବାର ପ୍ରତିଶ୍ରୁତି ଦେଇଥିଲେ । ବରିଷ୍ଠ ନାଗରିକ ପକ୍ଷରୁ ଦି ଇଣ୍ଡଷ୍ଟ୍ରି ଏଣ୍ଡ ମାଇନ୍ସ ଅବଜରଭର ର ସମ୍ପାଦକ ଶିରିଶ ଚନ୍ଦ୍ର ମହାନ୍ତି, ପୂର୍ବତନ ନଗରପାଳ ରବିନ୍ଦ୍ର କୁମାର ଦାସ, ଅବସରପ୍ରାପ୍ତ ଟାଟା କମ୍ପାନୀ କର୍ମଚାରୀ ସଞ୍ଜୟ କୁମାର ଦାସ ପ୍ରମୁଖ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ତେବେ ଉଭୟ ପକ୍ଷରୁ କଥା କଟାକଟିପରେ ବରିଷ୍ଠ ନାଗରିକଙ୍କ ପକ୍ଷରୁ ଏହାକୁ ୧୫ଦିନ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତି ନିଆଯାଇଥିଲା । ତେବେ ଧାରଣା ମଣ୍ଡପଟି ଭଙ୍ଗା ନଯାଇ ସେହିପରି ରଖାଯିବା ସହିତ ୧୫ ଦିନ ମଧ୍ୟରେ କୌଣସି ସୁଫଳ ନମିଳିଲେ ୧୬ ତାରିଖ ଠାରୁ ଏହି ଆନ୍ଦୋଳନକୁ ଅବ୍ୟାହତ ରଖାଯିବ ବୋଲି ବରିଷ୍ଠ ନାଗରିକ ମାନଙ୍କ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇ ଧାରଣାକୁ ସ୍ଥଗିତ ରଖାଯାଇଥିଲା ।