Odiapua.com

ଯୋଡା ପୌରପାଳିକା ପକ୍ଷରୁ ସ୍ୱଚ୍ଛ ଚର୍ଚ୍ଚା ଦିବସ

ଯୋଡା,୨୨ା୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ସୋମବାର ଅପରାହ୍ନରେ ଯୋଡା ପୌରପାଳିକା କାର୍ଯ୍ୟାଳୟ ନିକଟରେ ଅବସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରଶିକ୍ଷଣ କେନ୍ଦ୍ର ଠାରେ ପୌରପାଳିକା ପକ୍ଷରୁ ସ୍ୱଚ୍ଛ ଚର୍ଚ୍ଚା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ଅଧ୍ୟକ୍ଷା କରିଥିବା ବେଳେ ପୌର ସ୍ୱାସ୍ଥ୍ୟ ଅଧିକାରୀ ପ୍ରତାପ କୁମାର ନାଏକ ସଭାଟିକୁ ପରିଚାଳନା କରିଥିଲେ । ଏଥିରେ ଯୋଡା ଅଞ୍ଚଳର ସମସ୍ତ ସ୍ୱଚ୍ଛ ସାଥି, ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି, ସମ୍ପାଦକ, ଯୋଡା ସହରର ଅଧିକାଂଶ ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ । ଯୋଡା ପୌରପାଳିକାରେ ୪୧ଟି ଗୋଷ୍ଠୀ ଶୌଚାଳୟ ଥିବା ବେଳେ ଏହାର ରକ୍ଷଣା ବେକ୍ଷଣ ଅଭାବରୁ ଅଧିକାଂଶ ଶୌଚାଳୟ ବ୍ୟବହାର ଅନୁପଯୋଗୀ ହୋଇପଡିଥିବା ନେଇ ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଥିଲେ । ତେଣୁ ଆଗାମୀ ଦିନରେ ଏହି ଗୋଷ୍ଠୀ ଶୌଚାଳୟ ଗୁଡିକ ରକ୍ଷଣା ବକ୍ଷଣା ଦାୟିତ୍ୱ ସ୍ୱୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରାଯାଇ ଏହାର ରକ୍ଷଣା ବେକ୍ଷଣ କରାଯିବ ବୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଥିଲେ । ଯୋଡା ଜଳ ଯୋଗାଣ ବିଭାଗ ଦ୍ୱାରା ବିଭିନ୍ନ ସ୍ଥାନରେ ଯୋଗାଇଯାଇଥିବା ଜଳ ଯୋଗାଣ ବ୍ୟବସ୍ଥା ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ଶୌଚାଳୟ ଜଳ ଅଭାବ ଯୋଗୁଁ ଏହାର ରକ୍ଷଣା ବେକ୍ଷଣ ଠିକ୍ ଭାବରେ ହୋଇପାରୁନାହିଁ ବୋଲି ଅଭିଯୋଗ ହୋଇଛି । ସେହିପରି ବିଭିନ୍ନ ସାଇ ବସ୍ତିରେ ଅଚଳ ଗାଡି, ଠେଲା ଇତ୍ୟାଦି ରାସ୍ତା ଅବରୋଧ କରି ରଖାଯାଉଥିବା ବେଳେ କେତେକ ବ୍ୟକ୍ତି ଗୃହ ନିର୍ମାଣ ସାମଗ୍ରୀ, ଗୃହର ବର୍ଜ୍ୟବସ୍ତୁ ରାସ୍ତା ଉପରେ ଗଚ୍ଛିତ କରିରଖୁଥିବା ବେଳେ ଏହା ଯାତାୟତରେ ଘୋର ଅସୁବିଧା ସୃଷ୍ଟି କରୁଥିବା ସହ ସଫେଇ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିଛି । ଏ ନେଇ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ନିର୍ବାହୀ ଅଧିକାରୀ କହିବା ସହ ବିଭିନ୍ନ ଶୌଚାଳୟ ଗୁଡିକକୁ ଆଧୁନିକକରଣ କରାଯିବା ସହ ଯେଉଁ ଠାରେ ଜଳ ବ୍ୟବସ୍ଥା ଠିକ୍ ନାହିଁ ସେଠାରେ ବୋରୱେଲ ମାଧ୍ୟମରେ ଜଳ ଯୋଗାଣ କରିବା ପାଇଁ ଦୃଢୋକ୍ତି ପ୍ରଦାନ କରିଥିଲେ । ତେବେ ସ୍ୱଚ୍ଛ ସୁପରଭାଇଜର ତେଜସ୍ୱିନୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଏହି ସ୍ୱଚ୍ଛତା କ୍ଷେତ୍ରରେ ପ୍ରତ୍ୟେକ ନାଗରିକଙ୍କକର ଗୁରୁ ଦାୟିତ୍ୱ ରହିଛି । କେବଳ ସରକାର କିମ୍ବା ସ୍ୱଚ୍ଛ ସାଥିମାନେ ଚାହିଁଲେ ଯୋଡା ସହରକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ସହରରେ ପରିଣତ କରିପାରିବେ ନାହିଁ ଏଥିପାଇଁ ଜନସାଧାରଣଙ୍କ ସହଯୋଗ ଲୋଡା । ପ୍ରତ୍ୟେକ ନାଗରିକ ନିଜର ଘର ଚାରିପଟ ସଫା ରଖିଲେ ଆମେ ଏକ ସ୍ୱଚ୍ଛ ସହର ପାଇପାରିବା । ଅନ୍ୟମାନଙ୍କ ମଧ୍ୟରେ ଯୋଡା ଅଞ୍ଚଳର ବରିଷ୍ଠ ନାଗରିକ ନାଳମଣୀ ମହାନ୍ତି, ଗୋପାଳ ଚନ୍ଦ୍ର ସାହୁ, ସୂର୍ଯ୍ୟକାନ୍ତ ତ୍ରୀପାଠୀ, ପୁରୁଷୋତ୍ତମ ଦାସ ପ୍ରମୁଖ କିପରି ଯୋଡା ସହରକୁ ସ୍ୱଚ୍ଛ, ବାହ୍ୟ ମଳମୂତ୍ର ତ୍ୟାଗ ସହର ଭାବେ ରଖାଯାଇପାରିବ ତାହା ଉପରେ ଆଲୋକପାତ କରିଥିଲେ ।