Odiapua.com

ଯୋଡା : ପୌରପାଳିକାର ଦୂରଦୃଷ୍ଟି ଅଭାବରୁ ମୌସୁମୀ ବର୍ଷାରେ ବୁଡିଲା ଯୋଡା ସହର

– ମୁଖ୍ୟ ରାସ୍ତା ଉପର ଲହଡି ଭାଙ୍ଗୁଛି ବର୍ଷା ପାଣି
– ବସ୍ତି ବାସିନ୍ଦାଙ୍କ ଘର ଭିତରେ ପସିଲା ପାଣି
– ବସ୍ ଷ୍ଟାଣ୍ଡ ଦୋକାନ ଆଗରେ ଆଣ୍ଠୁଏ ଲେଖାଁ ପାଣି
– ସବୁ ବସ୍ତିରେ ସମାନ ସ୍ଥିତି

ଯୋଡା, ୨୫ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଯୋଡା ପୌରପାଳିକାର ଦୂରଦୃଷ୍ଟି ଅଭାବରୁ ଯୋଡା ସହରବାସି ଏବେ ମୌସୁମୀ ବର୍ଷାର ପ୍ରାରମ୍ଭରେ ବେହାଲ ହୋଇପଡିଥିବା ଦେଖିବାକୁ ମିଳିଛି। ବର୍ଷା ଦିନ ପୂର୍ବରୁ ଯୋଡା ପୌରାଞ୍ଚଳରେ ଥିବା ନାଳ ଗୁଡିକୁ ସଫା କରାଯାଇନଥିବାରୁ ସେଥିରେ ବର୍ଷା ଜଳ ନିଷ୍କାସନ ହୋଇନପାରି ପ୍ରତ୍ୟେକ ସ୍ଥାନରେ ରାସ୍ତା ଉପରେ ଲହଡି ଭାଙ୍ଗୁଛି ବର୍ଷା ପାଣି। ଯୋଡା ସହରର ୪ନଂ ୱାର୍ଡ କୁନ୍ଦୁରୁନାଲା, ୫ନଂ ୱାର୍ଡ ଆଜାଦବସ୍ତି, ୯ନଂ ୱାର୍ଡ ଗୋପ ମହାନ୍ତି ହାଟିଂ, ୧୧ନଂ ୱାର୍ଡ କମାରଯୋଡା, ୬ନଂ ୱାର୍ଡ ବଚୁହାଟଂ, ରାମଜାନ ହାଟିଂ, ୨ନଂ ୱାର୍ଡ ବନେଇକଳା ବସ୍ତି ପ୍ରଭୁତି ଅଞ୍ଚଳରେ ବସ୍ତି ବାସିନ୍ଦାଙ୍କ ଘର ଭିତରେ ପାଣି ପସିଯିବାରୁ ଅନେକଙ୍କର ଆସବାବପତ୍ର ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ଅଧିକାଂଶ ବସ୍ତିରେ ସମାନସ୍ଥିତି ଉପୁଯିଥିବା ବେଳେ ଯୋଡା ବସ୍ ଷ୍ଟାଣ୍ଡରେ ଥିବା ଦୋକାନ ଆଗରେ ଆଣ୍ଠୁଏ ଲେଖାଁ ପାଣି ଜମି ରହିଥିବା ଦେଖିବାକୁ ମିଳିଛି। ପରିସ୍ଥିତି ଏପରି ହୋଇଛି ଯେ, ଦୋକାନୀମାନେ ଡ୍ରେନ ଉପରେ ପଡିଥିବା ଢଳେଇ ସ୍ଲାବକୁ ଖୋଳି ଜଳ ନିଷ୍କାସନ କରିବାକୁ ବାଧ୍ୟ ହୋଇଥିଲେ। ବର୍ଷା ଦିନ ପୂର୍ବରୁ ଡ୍ରେନ ଗୁଡିକ ସଫା କରାଯାଇନଥିବା ବେଳେ ବର୍ଷା ଜଳ ଡ୍ରେନରେ ଯିବା ପାଇଁ ଛଡାଯାଇଥିବା ହୋଲ ଗୁଡିକ ମାଟି ପଡି ବନ୍ଦ ହୋଇପଡିଛି। ଫଳରେ ଏହା ଜଳ ନିଷ୍କାସନରେ ବ୍ୟାଘାତ ସୃଷ୍ଟି କରିଛି। ଯୋଡା ସହର ମଧ୍ୟରେ ଫ୍ଲାଏ ଓଭର ନିର୍ମାଣ ଯୋଗୁଁ ରାସ୍ତାର ଉଭୟ ପାଶ୍ୱର୍ରେ ମାଟି ଗଦା ହୋଇରହିଥିବା ସହ ବିଭିନ୍ନ ସ୍ଥାନରେ ଡ୍ରେନ ଗୁଡିକୁ ଭାଙ୍ଗିଦିଆଯାଇଥିବା ବେଳେ ସେଥିରେ ଜଳ ନିଷ୍କାସନ ହୋଇନପାରି ଲୋକେ ଯନ୍ତ୍ରଣା ଭୋଗ କରୁଛନ୍ତି। ଗତ ୧୯ ତାରିଖରେ ପ୍ରଥମ ବର୍ଷାରେ ସେହି ସମାନ ପରିସ୍ଥିତି ଉପୁଜିଥିବା ବେଳେ ଗୋପ ମହାନ୍ତି ହଟିଂ ନିକଟରେ ଯୋଡା ପୌରାଧ୍ୟକ୍ଷ ଜଗଦିଶ ପ୍ରସାଦ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜେସିବି ମେସିନ ଲଗାଇ ରାସ୍ତା କାଟି ଜଳ ନିଷ୍କାସନ କରିବାକୁ ପଡିଥିଲା। ପରବର୍ତ୍ତି ସମୟରେ ଏହି କାର୍ଯ୍ୟ ବିଭିନ୍ନ ସ୍ଥାନରେ ଜାରି ରହିବ ବୋଲି ପୌରାଧ୍ୟକ୍ଷ ଆଶ୍ୱାସନ ଦେଇଥିଲେ ମଧ୍ୟ ୧୯ ତାରିଖ ପରେ ଏହି କାର୍ଯ୍ୟକୁ ପୌରପାଳିକା ପକ୍ଷରୁ ବନ୍ଦ କରିଦିଆଯାଇଥିଲା। ତେବେ ଜଳ ନିଷ୍କାସନ ପାଇଁ ପୌରପାଳିକା ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଯୋଡା ବାସୀ ଦାବି କରିଥିବା ବେଳେ ଆଗାମୀ ଦିନରେ ଏହା ଆନ୍ଦୋଲନର ରୂପ ନେଇପାରେ ବୋଲି ବିଶେସ ସୂତ୍ରରୁ ଜଣାପଡିଛି।