ଯୋଡା, ୨୭ । ୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ୫୨୦ ନଂ ଜାତୀୟ ରାଜପଥରୁ ଯୋଡା ପୌରାଞ୍ଚଳ ଦେଇ ଯାଇଥିବା ବିଜୁ ପଟ୍ଟନାୟକ ରାଜ୍ୟ ରାଜପଥ-୨ ପଳାଶପଙ୍ଗା ନିକଟରେ ୨୦ନଂ ଜାତୀୟ ରାଜପଥକୁ ସଂଯୋଗ କରିଛି । ଏହି ରାଜପଥଟି ଯୋଡା ସହର ମଧ୍ୟ ଦେଇ ଅତିକ୍ରମ କରିଥିବା ବେଳେ ଏହାକୁ ଯୋଡା ସହରର ଲାଇଫଲାଇନ ବୋଲି କୁହାଯାଇଥାଏ । ଦୀର୍ଘ ଦିନ ହେବ ମରାମତି ଅଭାବରୁ ଏହି ରାସ୍ତାଟି ସମ୍ପୂର୍ଣ ଭାବେ ଚଳ ପ୍ରଚଳ ଅନୁପଯୋଗି ହୋଇପଡିଛି । ଏହି ରାସ୍ତାର ଉଭୟ ପାଶ୍ୱର୍ରେ ସମସ୍ତ ସ୍କୁଲ, ବ୍ୟାଙ୍କ ଏବଂ ମୁଖ୍ୟ ବଜାର ଅବସ୍ଥିତ । ରାସ୍ତାଟି ଖଣିଜ ସମ୍ପଦ ପରିବହନର ମୁଖ୍ୟ ମାର୍ଗ ହୋଇଥିବା ବେଳେ ଯୋଡା ସହର ମଧ୍ୟରେ ଏ ନେଇ ବିଭିନ୍ନ ସମୟରେ ରାସ୍ତା ଜାମ ହେବା ସହ ଛୋଟ ବଡ ଦୁର୍ଘଟଣାମାନ ଘଟିଥାଏ । ଏହାକୁ ଦୃଷ୍ଟିରେ ରଖି ରଣାଶାଳ ଠାରୁ ବାଂଶାପଣି ପର୍ୟ୍ୟନ୍ତ ଏକ ଫ୍ଲାଏ ଓଭରର ପରିକଳ୍ପନା ୨୦୧୧ ମସିହାରେ କରାଯାଇଥିଲା । ତେବେ ଅଦ୍ୟାବଧି ଏହି କାର୍ୟ୍ୟର ଶ୍ରୀଗଣେଶ ହୋଇପାରିନାହିଁ । ଏହି ରାସ୍ତାଟି ଯୋଡା ବଜାର ନିକଟରେ ସୁନା ନଦୀକୁ ଅତିକ୍ରମ କରୁଥିବା ବେଳେ ସୁନା ନଦୀ ଉପରେ ଥିବା ସେତୁରେ ବଡ ବଡ ଗର୍ତ୍ତମାନ ସୃଷ୍ଟି ହୋଇ ଗାଡି ମୋଟର ତ ଦୂରର କଥା ପାଦ ଚଲା ଲୋକଙ୍କ ପାଇଁ ଏହା ବିପଦ ସଙ୍କୁଳ ପାଲଟିଯାଇଛି । ଏ ନେଇ ବାରମ୍ବାର ଅଭିଯୋଗ ସତ୍ୱେ ରାଜପଥ କର୍ତ୍ତୁପକ୍ଷ କର୍ଣ୍ଣପାତ କରିନାହାନ୍ତି ଏବଂ ଯୋଡା ପୌରପାଳିକା କର୍ତ୍ତୁପକ୍ଷଙ୍କ ମଧ୍ୟ ଏଥିପ୍ରତି ନିଘା ନଥିବା ଜଣାପଡିଛି । ଏହି ରାସ୍ତାର ମରାମତି ନିମନ୍ତେ ଯୋଡା ସିଟିଜେନ ଫୋରମର କର୍ମକର୍ତ୍ତାମାନେ ପୌର କାର୍ୟ୍ୟନିର୍ବାହୀ ସୂର୍ୟ୍ୟମଣୀ ପାଟ୍ଟଯୋଶୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସେତୁ ଉପରେ ଥିବା ଅଦଢ ରାସ୍ତାକୁ ଢଳେଇ କରି ସମତୁଲ କରିବା ପାଇଁ ସେମାନେ ଅନୁରୋଧ କରିଥିଲେ । ତେବେ ନିର୍ବାହୀ ଅଧିକାରୀ ଏହାର ରକ୍ଷଣା ବେକ୍ଷଣ ଦାୟିତ୍ୱ ପି.ଡବ୍ଲୁ.ଡି ର କହି ଏହାକୁ ଏଡାଇଦେବା ସହ ଏହା ପୌରପାଳକାର କାର୍ୟ୍ୟ ନୁହେଁ ବୋଲି କହିଥିଲେ । ତେବେ ନିକଟରେ ଏହି ରାଜପଥ ଉପରେ ପୌରପାଳିକା ପକ୍ଷରୁ ୫୭ ଲକ୍ଷ ଟଙ୍କା ବ୍ୟୟରେ ସୁଦୃଶ୍ୟ ସ୍ୱାଗତ ତୋରଣ ନିର୍ମାଣ କରାଯାଇଛି । ଏହି ତୋରଣ କାହା ସ୍ୱାର୍ଥରେ ବୋଲି ସେମାନେ ଏବେ ପ୍ରଶ୍ନ କରିଛନ୍ତି । ପୌରପାଳିକାର ମରାମତି କରିବାର ଯଦି ଦାୟିତ୍ୱ ନାହିଁ ତେବେ କୋଉ ଅଧିକାରରେ ରାସ୍ତା ଉପରେ ଏହି ବ୍ୟୟ ବହୁଳ ତୋରଣ ବୋଲି ସେମାନେ ପୌରପାଳିକାକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ସବୁଠାରୁ ଆଶ୍ଚର୍ୟ୍ୟର ବିଷୟ ଯେ, ରଣାଶାଳ ଘାଟି ନିକଟରେ ନିର୍ମିତ ଏହି ତୋରଣଟି ଫ୍ଲାଏ ଓଭର ନିର୍ମାଣ ରାସ୍ତାରେ ପଡୁଥିବାରୁ ଏହାକୁ ନିର୍ମାଣ ନକରିବା ପାଇଁ ରାଜପଥ କର୍ତ୍ତୁପକ୍ଷ ପୌରପାଳିକାକୁ ବାରଣ କରିଥିଲେ । ଏବେ ଫ୍ଲାଏ ଓଭର ନିର୍ମାଣ କୀର୍ୟ୍ୟ ଆରମ୍ଭ ହେଲେ ଏହାକୁ ଭାଙ୍ଗିବାକୁ ପଡିବ ବୋଲି ଜଣାପଡିଛି । ଏହା ସତ୍ୱେ ବିନା ଟେଣ୍ଡରରେ ଜିଲ୍ଲା ବାହାରର ହାଭେଲ୍ସ କମ୍ପାନୀକୁ ଏହି ତୋରଣ ନିର୍ମାଣ ନିମନ୍ତେ କେଉଁ ସ୍ୱାର୍ଥରେ ଅନୁମତି ଦିଆଯାଇଥିଲା ତାହା ତଦନ୍ତ ସାପେକ୍ଷ । ଜନସାଧାରଣଙ୍କ ମୌଳିକ ସୁବିଧା ନଥିବା ପୌରପାଳିକାରେ ଖଣିଜ ପାଣ୍ଠୀ, ସରକାରୀ ଅନୁଦାନ ଓ ଜନସାଧାରଣଙ୍କ ରାଜସ୍ୱ ବିଭିନ୍ନ ଉପାୟରେ ବାଟମାରଣା କରାଯାଉଥିବାର ଏହା ଏକ ଦୃଷ୍ଟାନ୍ତ ବୋଲି ସାଧାରଣରେ ଚର୍ଚ୍ଚା ହେବାରେ ଲାଗିଛି । ଉପଯୁକ୍ତ ତଦନ୍ତ କରାଗଲେ ପୌରପାଳିକାର ଅନେକ ବେନିୟମ କାର୍ୟ୍ୟର ପରଦା ଉଠିପାରିବ ବୋଲି ସେମାନେ କହିଥିଲେ ।