Odiapua.com

ଯୋଡା ପୌରପାଳିକାରେ ଦୁର୍ନୀତିର ଆଉ ଏକ ଫର୍ଦ୍ଦ, କଲ୍ୟାଣ ମଣ୍ଡପ କାହା କଲ୍ୟାଣରେ!

ଯୋଡା, ୨୧ । ୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଦିନେ ରାଜ୍ୟରେ ଏକ ନମ୍ବର ପୌରପାଳିକାର ମାନ୍ୟତା ପାଇଥିବା ଯୋଡା ପୌରପାଳିକାର ପାରିବା ପଣିଆକୁ ନେଇ ଏବେ ପ୍ରଶ୍ନ ଉଠିଛି । ଯୋଡା ପୌରପାଳିକାରେ ଦେଖାଦେଇଛି ଏବେ ଦୁର୍ନୀତିର ଛାପ । କେବେ ଡଷ୍ଟବିନ୍ କିଣିବାରେ ତ କେବେ ନାମ ଫଳକ ଲଗାଇବାରେ । ଯୋଡା ପୌରାଞ୍ଚଳରେ ବିବାହ, ବ୍ରତ, ଜନ୍ମଦିନ, ବୈଠକ ଆଦି ସମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ନିମନ୍ତେ ସ୍ଥାନ ଅଭାବ ଯୋଗୁଁ ଦୀର୍ଘ ଦିନରୁ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଯୋଡା ଜନସାଧାରଣ ଦାବି କରିଆସୁଥିଲେ । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଟାଟା କମ୍ପାନୀ ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରି ଯୋଡା ପୌରପାଳିକାକୁ ୨ ବର୍ଷ ପୂର୍ବେ ହସ୍ତାନ୍ତର କରିଥିଲେ । ଏହି କଲ୍ୟାଣ ମଣ୍ଡପଟିର ମରାମତି କାମ ମଧ୍ୟ ଟାଟା କମ୍ପାନୀ ବହନ କରିଆସୁଛନ୍ତି । ଏହା ସହିତ କଲ୍ୟାଣ ମଣ୍ଡପରେ ସୁରକ୍ଷା କର୍ମି ବ୍ୟବସ୍ଥା ମଧ୍ୟ କମ୍ପାନୀ ମାଧ୍ୟମରେ କରାଯାଇଥାଏ । ଏହି ମଣ୍ଡପ ନିର୍ମାଣ ସମୟରେ ଯୋଡା ଜନସାଧାରଣ ସ୍ୱଳ୍ପ ମୂଲ୍ୟରେ ମଣ୍ଡପର ସୁବିଧା ବିବାହ, ବ୍ରତ, ଜନ୍ମ ଦିନ, ବୈଠକ ଆଦି ସାମାଜିକ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରିପାରିବେ ବୋଲି ଆଶା ରଖିଥିଲେ । ସେହି ଆଶା ଏବେ ସମ୍ପୂର୍ଣ୍ଣ ମଉଳିଯାଇଛି । କୌଣସି ସାମାଜିକ କାର୍ଯ୍ୟକ୍ରମ ପାଇଁ ଦୈନିକ ୩୦ ହଜାର ଟଙ୍କା ଯୋଡା ଜନସାଧାରଣଙ୍କୁ ଠାରୁ ଅସୁଲ କରାଯାଉଛି ଯାହା ଜଣେ ଗରିବ ସାଧାରଣ ବ୍ୟକ୍ତି ବହନ କରିବା ପାଇଁ ଅକ୍ଷମ । ଫଳରେ ଏହାର ଉଦ୍ଦେଶ୍ୟ ସାଧନ ହୋଇପାରିନାହିଁ । କେବଳ ଏହା ବଡ ବଡିଆଙ୍କ କାର୍ଯ୍ୟରେ ଲାଗିଆସୁଛି । ଟାଟା କମ୍ପାନୀ ପକ୍ଷରୁ ସାମାଜିକ ଦାୟିତ୍ୱବୋଧ ନିମନ୍ତେ ଏହି କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇ ପୌରପାଳିକାକୁ ଦାନ ସୂତ୍ରରୁ ହହସ୍ତାନ୍ତ କରାଯାଇଥିବା ବେଳେ ପୌରପାଳିକା ରୀତିମତ ଏଥିରେ ବେପାର ଆରମ୍ଭ କରିଦେଇଛନ୍ତି । ପ୍ରତି ବୁକିଂରେ ଆଦାୟ କରାଯାଉଥିବା ଏହି ୩୦ ହଜାର ଟଙ୍କା କେଉଁ କାମରେ ଲାଗୁଛି ତାହା ପୌରପାଳିକା ସ୍ପଷ୍ଟ କରୁନଥିବା ବେଳେ ବାର୍ଷିକ ଏହି ମଣ୍ଡପରୁ ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଆଦାୟ କରାଯାଇଥାଏ । ଏହି ଅର୍ଥ କେଉଁ ବାବଦରେ ଖର୍ଚ୍ଚ କରାଯାଉଛି ତାହା ତଦନ୍ତ ସାପେକ୍ଷ । ସାଧାରଣ ଲୋକଙ୍କ ସେବାରେ ଏହା ନଲାଗି ପୌରପାଳିକାର ମୁନାଫାଖୋର ମନବୃତ୍ତି ନେଇ ପରିଚାଳିତ କରାଯାଉଛି । ପୌରପାଳିକା ପକ୍ଷରୁ ଏହାର ଦୈନିକ ରକ୍ଷଣା ବେକ୍ଷଣ ମଧ୍ୟ ସଠିକ୍ ଭାବେ କରାଯାଉନଥିବା ଜଣାପଡିଛି । ଏହି କଲ୍ୟାଣ ମଣ୍ଡପ ସଠିକ୍ ରକ୍ଷଣା ବେକ୍ଷଣ ସହିତ ଏହାର ମୂଲ୍ୟକୁ ୩୦ ହଜାର ଟଙ୍କାରୁ କମାଇ ୧୦ ହଜାର ଟଙ୍କା ଭିତରେ ସିମିତ ରଖାଯାଉ ନଚେତ ଏହି ମଣ୍ଡପଟିକୁ ଯୋଡା ପୌରପାଳିକା ଟାଟା କମ୍ପାନୀକୁ ହସ୍ତାନ୍ତର କରି କମ୍ପାନୀକୁ ଏହାର ଦାୟିତ୍ୱ ଦେବାକୁ ଯୋଡା ଜନସାଧାରଣ ଦାବି କରିଛନ୍ତି । ଏହାଦ୍ୱାରା ଯୋଡା ଜନସାଧାରଣ ସ୍ୱଳ୍ପ ମୂଲ୍ୟରେ ମଣ୍ଡପର ସୁବିଧା ପାଇପାରିବେ ।