Odiapua.com

ଯୋଡା : ପିଲେଟ ଚୋରି ଗ୍ୟାଙ୍ଗର ଆଉ ୨ ଅଭିଯୁକ୍ତ ଗିରଫ

ଯୋଡା, ୨୯ । ୪ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ତିନି ବର୍ଷ ପରେ ଏକ ଲୁହା ପିଲେଟ (ଲୁହା ଗୁଲି) ଚୋରି ଘଟଣାର ୩ ଫେରାର ମାଫିଆଙ୍କ ଭିତରୁ ୨ ମାଫିଆ ଗିରଫ ହୋଇଥିବା ଖବର ମିଳିଛି । ସେମାନେ ହେଲେ କମାରଯୋଡାର ମହମ୍ମଦ ସମିର ଖାନ ଓରଫ ପପୁ (୩୨) ଏବଂ ଯୋଡା ଅଞ୍ଚଳର ଅମିର ହୁସେନ ଓରଫ ରାଜ (୩୪) । ଅନ୍ୟ ଅଭିଯୁକ୍ତମାନେ ଏବେ ମଧ୍ୟ ଫେରାର ଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ବଡବିଲସ୍ଥିତ ମାଟକାମବେଡା ର ଆରୟା ଆଇରନ ଏଣ୍ଡ ଷ୍ଟିଲ୍ ପ୍ରାଃ ଲିଃ କାରଖାନାରୁ ଲୁହା ପିଲେଟ (ଲୁହା ଗୁଲି) କଞ୍ଚାମାଲ ଭାବେ ରାଜ୍ୟ ବାହାରର ବିଭିନ୍ନ କାରଖାନାକୁ ବାଂଶପାଣି ରେଳ ସାଇଡିଂରୁ ରେଳ ଯୋଗେ ପଠାଯାଇଥାଏ । ତେବେ କେତେକ ଟ୍ରକ ତଥା ପରିବହନ ମାଲିକ ବାଂଶପାଣି ରେଳ ସାଇଡିଂରେ କାରଖାନାର ସୁରକ୍ଷା କର୍ମି ଏବଂ ଅଧିକାରୀଙ୍କୁ ହାତ କରି, ଜାଲ କାଗଜପତ୍ର ପ୍ରସ୍ତୁତ କରିବା ସହ ଏହି ଲୁହା ଗୁଲିକୁ ଅବୈଧ ଭାବେ ଗଚ୍ଛିତ ରଖି ରାଜ୍ୟ ବାହାରକୁ ଟ୍ରକ ଯୋଗେ ଚୋରା ଚାଲାଣ କରିଥାନ୍ତି । ଏହି ଅବୈଧ କାରବାର ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ବେଳେ ଯୋଡା ପୁଲିସ ଏହା ଉପରେ ନଜର ରଖି ଗତ ଅଗଷ୍ଟ ମାସ ୨୦ ତାରିଖ ୨୦୧୭ମସିହାରେ ଏହି ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବା ସହ କାରଖାନାର ସୁରକ୍ଷା କର୍ମଚାରୀ ବିଜୟ ନାରାୟଣ ପାଣ୍ଡେ, ଅଶୋକ କୁମାର ସାହୁ ଏବଂ ବାଂଶପାଣି ରେଳ ସାଇଡିଂରେ ମାଲକୁ ରିସିଭ୍ କରୁଥିବା କମ୍ପାନୀର କର୍ମଚାରୀ ବିମଳେଶ କୁଅଁର କୁ ଗିରଫ କରିଥିଲା । କମ୍ପାନୀର ମ୍ୟାନେଜର ସଞ୍ଜୟ କୁମାର ପାଣ୍ଡେ ଏହି ଘଟଣାରେ ଉଚ୍ଚନ୍ୟାୟାଳୟରୁ ଆଗୁଆ ଜାମିନ ଆଣିଥିଲେ । ଘଟଣାଟିରେ ୧୦-୧୨ଜଣ ଆନ୍ତଃରାଜ୍ୟ ମାଫିଆ ସମ୍ପୃକ୍ତ ଥିବାର ପୁଲିସ ସୁଚନା ପାଇଥିଲା । ଏହି ବଡ ଧରଣର ର‌୍ୟାକେଟରେ ରେଳ ସାଇଡିଂକୁ ପରିବହନ ଏବଂ ରେଳ ବୋଝେଇ କରୁଥିବା ସଂସ୍ଥାର ସମ୍ପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଥିଲା । ତେବେ ସେମାନେ ଘଟଣା ପରଠାରୁ ଫେରାର ଥିଲେ । ଏବେ ପୁଲିସ ୨ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଆସାମୀ ମାନଙ୍କ ପାଖରେ ପୁଲିସ ପହଞ୍ଚିପାରିନାହିଁ । ଫଳରେ ସେମାନଙ୍କର ଏହି ଅବୈଧ କାରବାର ଏବେ ମଧ୍ୟ ଚାଲୁ ରହିଥିବା ଅଭିଯୋଗ ହେଉଛି । ତେବେ ଯୋଡା ପୁଲିସ ଆନ୍ତରିକତା ସହକାରେ ଏହାର ତଦନ୍ତ କଲେ ଅନେକ ବଡ ବଡ ରଥି ମାହାରଥି ମାନେ ଧରାପଡନ୍ତେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।