Odiapua.com

ଯୋଡା : ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଯୋଡା, ୧୬ା୩ (ଓଡ଼ିଆ ପୁଅ / ସେକ୍ ଜାବିର ମହମ୍ମଦ) : ପାରିବାରିକ କଳହର ଏକ କରୁଣ ପରିଣତି ଯୋଡା ଖଣି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନିଜ ସ୍ୱାମୀ ଠେଙ୍ଗାରେ ପିଟି ସ୍ତ୍ରୀକୁ ହତ୍ୟା କରି ୩ ବର୍ଷର ଝିଅକୁ ନେଇ ଫେରାର ହୋଇଯାଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାରୁ ପ୍ରକାଶ ଯୋଡ଼ା ଥାନା ଅନ୍ତର୍ଗତ ଦେଓଝର ପଞ୍ଚାୟତର ଗୋବର୍ଦ୍ଧନପୁର ଗ୍ରାମର ନାଏକସାହିରେ ଏହି ଘଟଣା ଘଟିଛି। ସ୍ୱାମୀ ଦାଶରଥି ସେଠୀ ତାଙ୍କର ପତ୍ନୀ କନକ ସେଠୀ (୪୫) କୁ ଠେଙ୍ଗାରେ ପିଟି ହତ୍ୟା କରିଛନ୍ତି। ଘଟଣାଟି ସୋମବାର ରାତିରେ ଘଟିଥିବା ବେଳେ ମଙ୍ଗଳବାର ସକାଳୁ ସ୍ୱାମୀ ଦାଶରଥି ଘର ପିଣ୍ଡାରେ ପଡିଥିବା ରକ୍ତ ଛିଟାକୁ ଗୋବରରେ ଲିପି ତାଙ୍କର ୩ ବର୍ଷର ଝିଅକୁ ଧରି ଘର ଛାଡି ଚାଲି ଯାଇଥିବା ବେଳେ ଦିନ ତମାମ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ କନକ ସେଠୀଙ୍କର ମୃତ ଦେହ ପଡିରହିଥିଲା। ଗ୍ରାମବାସୀଙ୍କୁ ସନ୍ଦେହ ହେବାରୁ ମଙ୍ଗଳବାର ସନ୍ଧ୍ୟାରେ ସେମାନେ ତାଙ୍କ ଘରକୁ ଯାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ଦେଖି ଯୋଡା ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଯୋଡା ପୁଲିସ ପହଞ୍ଚି ମୃତ ଦେହଟିକୁ ଜବତ କରି ବୁଧବାର ସକାଳୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଫେରାର ସ୍ୱାମୀକୁ ଖୋଜାଖୁଜି କରୁଥିବା ଜଣାପଡିଛି। ସୂଚନା ଯୋଗ୍ୟ, ମୃତକ କନକ ସେଠୀ ପୂର୍ବରୁ ବିଜୁ ନାମକ ବଡବିଲର ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତାଙ୍କର ୨ଟି ପୁତ୍ର ସନ୍ତାନ ଥିବା ବେଳେ ସେ ତାଙ୍କ ମଧ୍ୟରେ ମନମାଳୀନ ଯୋଗୁଁ ବିଜୁ ପୁତ୍ର ସନ୍ତାନ ୨ଟିକୁ ନିଜ ଘରକୁ ନେଇ କନକକୁ ଛାଡି ଦେଇଥିଲେ। ପରେ କନକ ଦାଶରଥିଙ୍କୁ ଦ୍ୱିତୀୟ ବିବାହ କରିଥିଲେ ଏବଂ ତାଙ୍କର ଗୋଟିଏ ଶିଶୁ କନ୍ୟା ଥିଲା। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନରୁ ବିଭିନ୍ନ ଛୋଟ ଛୋଟ କଥାକୁ ନେଇ କଳହ ଲାଗିରହିଥିଲା। ସୋମବାର ଦିନ ତାର କରୁଣପରିଣତି ଦେଖିବାକୁ ମିଳିଛି।