Odiapua.com

ଯୋଡା : ପଲିଥିନ ତଳେ ନବବିବାହିତ ଆଦିବାସୀ ଦମ୍ପତି, ସରକାରଙ୍କ ମାଳ ମାଳ ଯୋଜନା କାହା ପାଇଁ?

ଯୋଡା, ୧୪ା୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ପ୍ରତ୍ୟେକ ବ୍ୟକ୍ତିର ମୁଣ୍ଡ ଉପରେ ଛାତ ଏବଂ ଅନାହାରରେ ମୃତ୍ୟୁ ନଘଟିବା ପାଇଁ ପେଟକୁ ଖାଦ୍ୟ ତାର ମୌଳିକ ଅଧିକାର । ଏହି ଅଧିକାରକୁ ପୁରଣ କରିବା ପ୍ରତ୍ୟେକ ରାଷ୍ଟ୍ରର ପ୍ରଧାନ କର୍ତ୍ତବ୍ୟ । ସରକାର ସେଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଇନ୍ଦରା ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା ମାଧ୍ୟମରେ ବାସଗୃହ, ଅନ୍ତଃଦ୍ୱୟ-ଅନ୍ନପୂର୍ଣ୍ଣା, ଟଙ୍କାକିଆ ଚାଉଳ ମାଧ୍ୟମରେ ଖାଦ୍ୟ ସୁରକ୍ଷା, ବିଧବା, ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଏହି ଭଳି ଅନେକ ଯୋଜନାମାନ ଗରିବ ଲୋକଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି । ତେବେ ଏହି ମାଳମାଳ ଯୋଜନା ଠିକ୍ ଭାବେ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁନଥିବା ଖଣି ଅଞ୍ଚଳରେ ଅନେକ ନଜିର ରହିଛି । ଏହିଭଳି ଏକ ଲଜ୍ୟା ଜନକ ଏବଂ ସମ୍ବେଦଳଶୀଳ ଘଟଣା ଏବେ ଦେଖିବାକୁ ମିଳିଛି ଯୋଡା ବ୍ଲକ ଅନ୍ତର୍ଗତ ଦେଓଝର ପଞ୍ଚାୟତର ଠାକୁରାଣୀ ଗ୍ରାମର ୧ ନମ୍ବର ୱାର୍ଡରେ । ଏକ ଅପନ୍ତରା ଜଙ୍ଗଲ ଭିତରେ ଭଙ୍ଗା ମାଟି କାନ୍ଥ ଉପରେ ପଲିଥିନ ଟାଣି ଏକ ନବବିବାହିତ ଆଦିବାସୀ ଦମ୍ପତ୍ତି କିଛି ମାସ ହେବ ବସବାସ କରୁଥିବା ଦେଖିବାକୁ ମିଳିଛି । ଗାଁରେ ଶେଷ ମୁଣ୍ଡ ଜଙ୍ଗଲ ଭିତରେ ଗାର୍ଦି ମୁଣ୍ଡା ଏବଂ ସ୍ତ୍ରୀ ମିର୍ଜୁଙ୍କୁ ଧରି ସେହିଠାରେ ବସବାସ କରିଆସୁଛନ୍ତି । ତାରି ତଳେ ରୋଷେଇବାସ ଓ ଶୁଆ ବସା ସବୁକିଛି । ରାତି ହେଲେ ବନ୍ୟ ଜନ୍ତୁଙ୍କ ଭୟ, ସଞ୍ଜ ନଇରେ ଶରିସୃପଙ୍କ ବିଚରଣରୁ ନିଜକୁ ରକ୍ଷା କରିବା ପାଇଁ ନା ଘରର ଅଛି କାନ୍ଥ ନା ତାଟି କବାଟ । ଛେଳି ଗୁହାଳ ଠାରୁ ମଧ୍ୟ ହୀନ ଏହି ପଲିଥିନ ତଳେ ନିଜ ଭାଗ୍ୟକୁ ଆଦରି ପଡିରହିଛନ୍ତି ସେମାନେ । ଦାରିଦ୍ରତାର କଷାଘାତରେ ଜର୍ଜରିତ ଏହି ଦମ୍ପତ୍ତି ଏହି ଶନ୍ତସନ୍ତିଆ ଭୂଇଁ ଉପରେ ଖରା, ବର୍ଷା, ଶୀତ କାକରକୁ ଭୂକ୍ଷେପ ନକରି କନ୍ଥା ପକାଇ ରାତ୍ରୀ ଯାପନ କରୁଥିବା ଘଟଣା ଯେ କୌଣସି ସଚେତନ ବ୍ୟକ୍ତିଙ୍କୁ ମର୍ମାହତ କରିବ । ଗାର୍ଦି ଜଣେ ଦିନ ମଜୁରିଆ । ଦିନ ତମାମ ହାଡ ଭଙ୍ଗା ପରିଶ୍ରମ କଲେ ଦୁଇ ଓଳି ମୁଠେ ଖାଇବାକୁ ମିଳେ । ମିର୍ଜୁ ଏହି ପଲିଥିନ ତଳ ଦଦରା ଘରକୁ ଗାର୍ଦିର ଅନୁପସ୍ଥିତିରେ ଦିନ ରାତି ଜଗି ରୁହେ । କିଛି ଦିନ ପୂର୍ବରୁ ଉଭୟ ପରିବାରଙ୍କର ବିନା ସହମତିରେ ପ୍ରେମ ବିବାହ କରିଛନ୍ତି । ଗାର୍ଦିଙ୍କ ବାପା ଡାଲିଆ ମୁଣ୍ଡା, ମା ସୁମି ଏବଂ ୩ ଭାଇଙ୍କୁ ନେଇ ତାଙ୍କର ପରିବାର । ଗୋଟିଏ ବଖରା ଝାଟିମାଟି ଖପର ଘରେ ୫ ପ୍ରାଣୀ କୁଟୁମ୍ବ ସେହି ଗ୍ରାମରେ ଚଳିଆସୁଥିଲେ । ଏବେ ଅବିବାହିତ ସାନ ପୁଅ ରେଳ ବାପା ମାଙ୍କ ପାଖରେ । ପିଲାମାନେ ବଡ ହେବା ପରେ ବଡ ଭାଇ ରଥ ମୁଣ୍ଡା ବିବାହ ପରେ ଅନ୍ୟତ୍ର ଭଡା ଘର ନେଇ ରହୁଛନ୍ତି । ଗାର୍ଦି ବିବାହ ପରେ ସେହି ଗୋଟିଏ ବଖରା ଘରେ କିଛି ଦିନ ରହିବା ପରେ ସ୍ଥାନ ଅଭାବରୁ ସେଠାରୁ ତାଙ୍କୁ ବିଦା ହେବାକୁ ପଡିଥିଲା । ସେବେଠାରୁ ଏହି ଅଧା ଗଡା ପଲିଥିନ ଘରକୁ ତାର ବାସସ୍ଥଳି ଭାବେ ବାଛି ନେଇଛି । ଯେତେ ଥର ଏହି ମାଟି କାନ୍ଥକୁ ସମ୍ପୂର୍ଣ୍ଣ କରିବାକୁ ସ୍ୱାମୀ-ସ୍ତ୍ରୀ ଦୁହେଁ ଚେଷ୍ଟା କରିଛି ଉପରେ ଛପର ନଥିବାରୁ ବର୍ଷା ଏଥିରେ ଦାଉ ସାଜି ସେତେଥର ମାଟିରେ ମିଶାଇଦେଇଛି । ପୂର୍ବରୁ ଗାର୍ଦିର ବାପା ଡାଲିଆ ମୁଣ୍ଡା ସରକାରଙ୍କ ଯୋଜନାରୁ ଘର ଖଣ୍ଡିଏ ପାଇବା ପାଇଁ ନେତା, ମନ୍ତ୍ରୀ, ବ୍ଲକ କାର୍ଯ୍ୟାଳୟ ଦୌଡି ଦୌଡି ନୟାନ୍ତ ହୋଇପଡିଥିବା ବେଳେ ସେହି ବିଫଳତାକୁ ଦୃଷ୍ଟିରେ ରଖି ଗାର୍ଦି ସରକାରଙ୍କ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ କେବେ ପ୍ରୟାସ ମଧ୍ୟ କରିନାହିଁ । ତେବେ ଡାଲିଆ ମୁଣ୍ଡାଙ୍କ ଭଳି ଅନେକ ଆଦିବାସୀ ସମ୍ପ୍ରଦାୟ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଅପାରଗତାରୁ ଏବେବି ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତଥିବା ବେଳେ ଏହା ସେମାନଙ୍କର ଭାଗ୍ୟର ବିଡମ୍ବନା ନା ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର ତାହା ଏବେ ସମସ୍ତ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାକୁ ନେଇ ଆମ୍ଭେ ଯୋଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚୁନୁ ହାଂସଦାଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ତେବେ ସେ ଡାଲିଆଙ୍କର ପରିବାର ଆବାସ ଯୋଜନା ତାଲିକାରେ ଅନ୍ତର୍ଭୁକ୍ତ ନଥିବା ବେଳେ ଏବେ ନୂତନ ତାଲିକା ପ୍ରସ୍ତୁତ କରାଯାଉନଥିବାରୁ ସେମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ଅସମ୍ଭବ ହୋଇପଡିଛି ବୋଲି କହିଥିଲେ । ତେଣୁ ସ୍ୱତନ୍ତ୍ର ଭାବେ ଏହି ଘଟଣାକୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ଡାଲିଆଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ସେ ପ୍ରୟାସ କରିବେ ବୋଲି ଗଣମାଧ୍ୟମକୁ ଆଶ୍ୱାସନା ଦେଇଛନ୍ତି ।