Odiapua.com

ଯୋଡା : ତ୍ତଲ କାରଖାନା ଫାଟକ ସମ୍ମୁଖରେ ଆସନ୍ତା ୬ରୁ ଟ୍ରକ ମାଲିକଙ୍କ ଧାରଣା

ଯୋଡା, ୨୫ା୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ବ୍ଲକ ତଥା ବାମେବାରୀ ଥାନା ଅନ୍ତର୍ଗତ ଦବୁନାଠାରେ ଥିବା ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଇଣ୍ଡିଆ ପ୍ରାଃ ଲିଃ (ମିତ୍ତଲ) ବେନିଫିକେସନ କାରଖାନାକୁ ଲୁହାପଥର ପରିବହନ ହେଉଥିବା ବେଳେ କାରଖାନାର ନିଜସ୍ୱ ରହଣିସ୍ଥଳ (ପାର୍କିଂ ଏରିଆ) ନଥିବାରୁ ଲୁହାପଥର ବୋଝେଇ ହୋଇ ମିତ୍ତଲ ବେନିଫିକେସ ପ୍ଲାଣ୍ଟକୁ ଯାଉଥିବା ଲୁହାପଥର ବୋଝେଇ ଟ୍ରକ ଗୁଡିକ ଘଣ୍ଟା ଘଣ୍ଟା ଧରି ଯୋଡା-ବାମେବାରୀ ରାସ୍ତାର ବାମେବାରୀ ଠାରୁ କାଳିମାଟି ପର୍ଯ୍ୟନ୍ତ ରାସ୍ତା ଅବରୋଧ କରି ରହୁଥିବାରୁ ସାଧାରଣ ଚଳପ୍ରଚଳରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି। ଲୁହାପଥର ବୋଝେଇ ଟ୍ରକ କବ୍ଚାରେ ୨୪ ଘଣ୍ଟା ଧରି ରାସ୍ତାଟି ଜାମ ରହିବା ଫଳରେ ଏକ ଅଚଳା ଅବସ୍ଥା ସୃଷ୍ଟି ହେଉଛି। ଏପରିକି ରୋଗୀବୁହା ଯାନ ଟିଏ ଯିବା ମଧ୍ୟ କଷ୍ଟ ହୋଇପଡୁଛି। ଦୀର୍ଘ ଘଣ୍ଟା ଧରି ସ୍କୁଲ ବସ୍ ଫସିରହୁଥିବାରୁ ଛାତ୍ର-ଛାତ୍ରୀମାନେ ଠିକ୍ ସମୟରେ ସ୍କୁଲରେ ପହଞ୍ଚିପାରୁନାହାନ୍ତି। ସାଧାରଣ ଲୋକେ ଚଳ ପ୍ରଚଳରେ ଏହା ବ୍ୟାଘାତ ସୃଷ୍ଟି କରୁଛି। ଏହି ରାସ୍ତାରେ ନୟାଗଡ, ପର୍ଜନପୁର ରେଳ ସାଇଡିଂ ଗୁଡିକ ଅବସ୍ଥିତ ଥିବା ବେଳେ ସେଠାକୁ ଲୁହାପଥର ପରିବହନରେ ବ୍ୟାଘାତ ସୃଷ୍ଟି ହେବାରୁ ଟ୍ରକ ମାଲିକମାନେ ବ୍ୟାପକ କ୍ଷତିର ସମ୍ମୁଖିନ ହେଉଛନ୍ତି। ଠିକ୍ ସମୟରେ ରେଳ ଡବା ବୋଝେଇ ହୋଇପାରୁନଥିବାରୁ ରେଳ ବିଭାଗକୁ ଠିକାଦାରଙ୍କୁ କ୍ଷତିପୂରଣ ଦେବାକୁ ପଡୁଛି। ଏହି ଘଟଣା ବାରମ୍ବାର ଘଟୁଥିବା ବେଳେ ଏ ନେଇ ମାଇନିଙ୍ଗ ଏରିଆ ଟ୍ରକ ୱନର ଆସୋସିଏସନ୍ (ମାଟୋଆ, ଯୋଡା) ପକ୍ଷରୁ କାରଖାନା କର୍ତ୍ତୁପକ୍ଷଙ୍କୁ ଏକ ଟ୍ରକ ରହଣୀସ୍ଥଳ ତିଆରି କରି ସେଠାରେ ଟ୍ରକ ଗୁଡିକୁ ରଖି ପର୍ଯ୍ୟାୟକ୍ରମେ ଅନଲୋଡ କରିବା ପାଇଁ ନିବେଦନ କରାଯାଇଥିଲେ ମଧ୍ୟ କାରଖାନା କର୍ତ୍ତୁପକ୍ଷ ଏହାକୁ କର୍ଣ୍ଣପାତ କରିନାହାନ୍ତି। ଫଳରେ ସଂଘ ପକ୍ଷରୁ କାରଖାନା କର୍ତ୍ତୁପକ୍ଷଙ୍କୁ ଏକ ଚରଣ ପତ୍ର ଦିଆଯାଇଥିବା ଜଣାପଡିଛି। କର୍ତ୍ତୁପକ୍ଷ ନିଜସ୍ୱ ରହଣୀସ୍ଥଳ (ପାର୍କିଂ) ତିଆରି ନକଲେ ଆସନ୍ତା ତା. ୦୬.୦୬.୨୦୨୨ରିଖ ଠାରୁ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ହଜାର ହଜାର ସଂଖ୍ୟାରେ ଟ୍ରକ ମାଲିକମାନେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। କାରଖାନା କର୍ତ୍ତୁପକ୍ଷଙ୍କୁ ସଂଘର ସମ୍ପାଦକ ସତ୍ୟପ୍ରିୟ ବାରିକ୍ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ଏହାର ନକଲ କେନ୍ଦୁଝର ଜିଲାପାଳ, କେନ୍ଦୁଝର ଆରକ୍ଷୀ ଅଧିକ୍ଷକ, ଚମ୍ପୁଆ ଉପଜିଲାପାଳ, ବଡବିଲ ତହସିଲଦାର, ବଡବିଲ ଉପଖଣ୍ଡ ପୁଲିସ ଅଧିକାରୀ, ଯୋଡା ଖଣି ଉପନିର୍ଦ୍ଦେଶକ, ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ପ୍ରଦାନ କରିଥିବା ଜଣାପଡିଛି।