Odiapua.com

ଯୋଡା : ଡ୍ରଗ୍ସ ନିଶାରେ ଯୁବକଙ୍କ ଉନ୍ମତ୍ତକାଣ୍ଡ, ଟେଲିଫୋନ ଟାୱାର ଉପରେ ଚଢି ୨୦ ଘଣ୍ଟା ନାଟକ, ଯୋଡା ପୁଲିସ, ଅଗ୍ନିଶମ ବିଭାଗ ନାକେଦମ

ଯୋଡା, ୧ା୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ସହରର ଅଧିକାଂଶ ଯୁବକ କାମଧନ୍ଦା ନପାଇ ମାନସୀକ ଚାପରେ ନିଶା ସେବନରେ ଅଭ୍ୟସ୍ଥ। ଯୋଡା ବସ୍ ଷ୍ଟାଣ୍ଡ ନିକଟ ହନୁମାନ ହାଟିଂରେ ରହୁଥିବା ରାଜୁ ମୁଣ୍ଡାରି ନାମକ ଜଣେ ନିଶାଗ୍ରସ୍ତ ଯୁବକ ନିଜ ଘର ପାଖରେ ଥିବା ଏକ ୧୦୦ ଫୁଟ ଉଚ୍ଚ ଟେଲିଫୋନ ଟାୱାର ଉପରକୁ ବୁଧବାର ସନ୍ଧ୍ୟାରେ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଚଢିଯାଇଥିଲା। ଏହି ଖବର ଅଗ୍ନିଶମ ବିଭାଗ ଏବଂ ଯୋଡା ପୁଲିସ ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଖବର ପାଇ ଘଟଣାସ୍ଥଳରେ ଲୋକଙ୍କ ପ୍ରବଳ ଭିଡ ଜମିଯାଇଥିଲା। ଅଗ୍ନିଶମ ବିଭାଗ ଉକ୍ତ ଯୁବକଟିକୁ ଉଦ୍ଧାର କରିବା ପାଇଁ ଟାୱାର ଉପରକୁ ଚଢିବାକୁ ପ୍ରୟାସ କରୁଥିବା ବେଳେ ଉକ୍ତ ଯୁବକ ଏକ ଧାରୁଆ ଛୁରିରେ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲା। ଫଳରେ କେହି ସାହାସ କରି ତା ପାଖକୁ ଯାଇପାରୁନଥିଲେ। ତା ପାଖକୁ ଯିବା ସମୟରେ ସେ ତଳକୁ ଡେଇଁ ଆତ୍ମହତ୍ୟା କରିବାର ମଧ୍ୟ ଧମକ ଦେଉଥିବାରୁ ଉକ୍ତ ଟାୱାର ଚତୁପାଶ୍ୱର୍ରେ ଅଗ୍ନିଶମ ବିଭାଗ ପକ୍ଷରୁ ଜାଲ ବିଛାଇଦିଆଯାଇଥିଲା। ପରେ ସନ୍ଧ୍ୟା ସମୟରେ ଯୁବକ ଜଣଙ୍କର ନିଶା ଫାଟିବା ପରେ ନିଜେ ଟାୱାର ଉପରୁ ତଳକୁ ଓହ୍ଲାଇଥିଲା। ପୁଲିସ ସମ୍ପୃକ୍ତ ଯୁବକଟିକୁ ଉଦ୍ଧାର କରି ଡାକ୍ତରୀ ଚିକିତ୍ସା ପାଇଁ ପଠାଇଥିବା ଜଣାପଡିଛି। ଏହି ଘଟଣାଟିରେ ଯୋଡା ପୁଲିସ ଏବଂ ଅଗ୍ନିଶମ ବିଭାଗକୁ ଦୀର୍ଘ ୨୦ ଘଣ୍ଟା ଧରି ନାକେଦମ ହେବାକୁ ପଡିଥିଲା। ସାମାନ୍ୟ ସୁସ୍ଥ ହେବା ପରେ ସମ୍ପୃକ୍ତ ଯୁବକକୁ ପଚାରିବାରୁ ଜଣାପଡିଛି ଯେ, ସେ କାମଧନ୍ଦା ନପାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଉପରୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ସାହାସ ଜୁଟାଇପାରିନଥିବାରୁ ସେଠାରେ ସେ ରାତ୍ରି ଯାପନ କରିଥିଲା। ଗତ ପୌରନିର୍ବାଚନରେ ଏକ ଗଣ୍ଡଗୋଳରେ ରାଜୁ ମୁଣ୍ଡାରିକୁ ପୁଲିସ ଗିରଫ କରିଥିଲା। ଏବେ ସେ ଜାମିନରେ ଆସିବା ପରେ କୌଣସି ସ୍ଥାନରେ କାମଧନ୍ଦା ପାଇନଥିଲା। ଫଳରେ ଏକ ଦୟନିୟ ଅବସ୍ଥାରେ ତାଙ୍କ ପରିବାର ଲୋକେ ଚଳୁଥିବାରୁ ସେ ଆତ୍ମହତ୍ୟା କରିବାକୁ ମନସ୍ଥ କରି ପ୍ରଚୁର ନିଶା ବଟିକା ସେବନ କରି ଏହି କାଣ୍ଡ ଭିଆଇଥିଲା ବୋଲି ଜଣାପଡିଛି।