Odiapua.com

ଯୋଡା ଟ୍ରକ ମାଲିକ ସଂଘରେ ଅସ୍ଥାୟୀ କମିଟି ଗଠିତ

ଯୋଡା, ୧୯/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଖଣି ଅଞ୍ଚଳରେ ଅବସ୍ଥିତ ସର୍ବ ପୁରାତନ ଟ୍ରକ ମାଲିକ ସଂଘରେ ଏବେ ଅଚଳା ଅବସ୍ତା ଦେଖାଦେଇଛି । ସଂଘର ନିର୍ବାଚିତ କମିଟିର କାର୍ଯ୍ୟକାଳର ପରିସମାପ୍ତି ହୋଇଥିବା ବେଳେ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇପାରିନାହିଁ । ଏ ନେଇ କମିଟିର ସଭାପତି ଭକ୍ତବନ୍ଧୁ ମହାନ୍ତ ଏବଂ ସମ୍ପାଦକ ରବି ଦାସ ୦୧.୦୬.୨୦୨୦ରିଖରେ ଏକ ପତ୍ର ମାଧ୍ୟମରେ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳଙ୍କୁ ଏ ସଂକ୍ରାନ୍ତରେ ଜଣାଇ, ଯେକୌଣସି ମୁହୁର୍ତ୍ତରେ ନିର୍ବାଚନ କରାଗଲେ ସେମାନେ ପ୍ରସ୍ତୁତ ଥିବା ସୂଚନା ଦେଇଥିଲେ । ତେବେ ଏହି ମହାମାରୀକୁ ଦୃଷ୍ଟିରେ ରଖି ଅତିରିକ୍ତ ଜିଲ୍ଲାପାଳଙ୍କ ପକ୍ଷରୁ କୌଣସି ପଦକ୍ଷେପ ଅଦ୍ୟାବଧି ଗ୍ରହଣ କରାଯାଇନାହିଁ । ଏପର୍ଯ୍ୟନ୍ତ ସେହି ପୁରୁଣା କମିଟି କାର୍ଯ୍ୟ ଭାର ତୁଲାଇଆସୁଥିବା ବେଳେ ସାନି ନିର୍ବାଚନକୁ ନେଇ କେତେକ ଟ୍ରକ ମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଫଳରେ କେତେକ ପୁରୁଣା ନିର୍ବାଚିତ କର୍ମକର୍ତ୍ତା ଏବଂ ଟ୍ରକ ମାଲିକ ଏହି କମିଟିକୁ ଭଙ୍ଗ କରିବା ପାଇଁ ନିଷ୍ପତି ନେଇଥିଲେ । ଏ ନେଇ ବୁଧବାର ଦିନ ବାଂଶପାଣିସ୍ଥିତ ସଂଘ କାର୍ଯ୍ୟାଳୟ ଠାରେ ସଂଘର ସମ୍ପାଦକ ରବି ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଟ୍ରକ ମାଲିକ ଏବଂ କେତେକ ପୁରୁଣା କର୍ମକର୍ତ୍ତାମାନଙ୍କ ମଧ୍ୟରେ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବସମ୍ମତି କ୍ରମେ ଏକ ୨୭ ଜଣିଆ ଅସ୍ଥାୟୀ କମିଟି ଗଠନ କରାଯାଇ ସଂଘଟିକୁ ସୁପରିଚାଳନା କରିବା ନିମନ୍ତେ ପ୍ରସ୍ତାବ ରଖାଯାଇଥିଲା । ଏହି କମିଟିରେ ଖଣି କ୍ଷେତ୍ରର ବିଭିନ୍ନ ପ୍ରାନ୍ତରୁ ମାତା ପ୍ରସାଦ ଜୟସ୍ୱାଲ, ବିନୋଦ ପଟ୍ଟନାୟକ, ବିଦୁ ଭୂଷଣ ପଟ୍ଟନାୟକ, ସୁଶାନ୍ତ ବାରିକ୍‌, ଶୈଳେନ୍ଦ୍ର ଜୋରା, ସୋଏବ ଖାଁ, ପଙ୍କଜ ମେହେତା, ସୁରେଶ ବେହେରା, ମହେଶ ସିଂ, ଅଗ୍ନୁ ମହାନ୍ତ, ଗୋପିନାଥ ଗୋପ, ନନ୍ଦ କିଶୋର ମହାନ୍ତ, ମୁନା ବାରିକ୍‌, ସଞ୍ଜିତ୍ ବାରିକ୍‌, ବିଭୂତୀ ଭୂଷଣ ବାରିକ୍‌, ବୃନ୍ଦାବନ ରାମ, ଚିତ୍ତରଞ୍ଜନ ମହାନ୍ତ, ସୁବ୍ରତ ମହାକୁଡ, ସାଗର ମଙ୍ଗରାଜ, ଅମେଶ ପ୍ରହରାଜ, ନବୀନ ମହାକୁଡ, ବିଭୂତି ବାରିକ୍‌, ସୁବ୍ରତ ପ୍ରଧାନ, ଦିବାକର ମହାନ୍ତି, ବିଜୁ ଆପଟ୍ଟ, ତୁସାରକାନ୍ତ ବେହେରା, ବିଶ୍ୱରଞ୍ଜନ ସେଠୀ ପ୍ରମୁଖ ଟ୍ରକ ମାଲିକଙ୍କୁ ସଦସ୍ୟ ଭାବେ ରଖାଯାଇ ଆଗାମୀ ନିର୍ବାଚନ ପର୍ପ୍ୟନ୍ତ ସଂଘ ପରିଚାଳନା ନିମନ୍ତେ ଦାୟିତ୍ୱ ହସ୍ତାନ୍ତର କରାଯାଇଛି ।
ପୁରୁଣା କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ସରିଯାଇଥିବାରୁ କେତେକ କ୍ଷେତ୍ରରେ ଟ୍ରକ ମାଲିକଙ୍କ ସ୍ୱାର୍ଥକୁ ସଂଘ ଅଣଦେଖା କରୁଥିବା ଟ୍ରକ ମାଲିକମାନେ ଅଭିଯୋଗ କରିଛନ୍ତି । ସଂଘର ପୂର୍ବ ଧାର୍ଯ୍ୟ ମୂଲ୍ୟ ଠାରୁ ଟ୍ରକ ମାଲିକମାନଙ୍କୁ ଟନ୍ ପ୍ରତି କମ ଦରରେ ଖଣିଜ ପରିବହନ କରିବାକୁ ବାଧ୍ୟ କରାଯାଉଥିଲେ ମଧ୍ୟ ଏ ନେଇ ପରିବହନ ଠିକା ସଂସ୍ଥା ଏବଂ ଖଣି ମାଲିକଙ୍କ ନିକଟରେ ମୁହଁ ଖୋଲିବାକୁ କେହି ନଥିବା ଯୋଗୁଁ ଟ୍ରକ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଇନ୍ଦ୍ରାଣୀ ପଟ୍ଟନାୟକ ଖଣି ସମେତ ଅନ୍ୟ କେତେକ ଖଣିରେ ତ୍ରିବେଣୀ ଆର୍ଥ ମୁଭର୍ସ ଅନୁବନ୍ଧିତ ଆଣ୍ଡଲ ଲଜିଷ୍ଟିକ୍ ନାମକ ଏକ ପରିବହନ ଠିକା ସଂସ୍ଥା ଗାଡି ମାଲିକମାନଙ୍କୁ ଟନ୍ ପ୍ରତି ୩ଶହ ଟଙ୍କା କମ୍ ମୂଲ୍ୟ ଦେବା ସହ ୬୦ ଟଙ୍କା ଅବୈଧ ଅସୁଲି କରୁଥିବା ବେଳେ ସଂଘରେ ପଞ୍ଜିକୃତ ଟ୍ରକ ଗୁଡିକୁ ପରିବହନ ନଦେଇ ବାହାର ରାଜ୍ୟର ଟ୍ରକ ଗୁଡିକକୁ ପରିବହନ ପାଇଁ ଅଗ୍ରାଧିକାର ଦେଉଥିବା ନେଇ ଇନ୍ଦ୍ରାଣୀ ପଟ୍ଟନାୟକ ଖଣି ଫାଟକ ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିଲା । ତ୍ରିବେଣୀ ଆର୍ଥ ମୁଭର୍ସ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ବି. ପ୍ରଭାକରଣ ହସ୍ତକ୍ଷେପ କରିବା ଫଳରେ ଉତ୍ତେଜନା ହ୍ରାସ ପାଇଥିଲା । ଗୁରୁବାର ଦିନ ବି. ପ୍ରଭାକରଣଙ୍କ ସହିତ ସଂଘ କାର୍ଯ୍ୟାଳୟରେ ଏକ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ତେବେ ଟ୍ରକ ମାଲିକମାନେ ସଂଘ କାର୍ଯ୍ୟାଳୟରେ ବସିରହିଥିବା ବେଳେ ଗୁରୁବାର ଦିନ ସନ୍ଧ୍ୟା ପର୍ଯ୍ୟନ୍ତ ତ୍ରିବେଣୀ ପକ୍ଷରୁ କୌଣସି ଅଧିକାରୀ ଯୋଗଦେଇନଥିଲେ । ଫଳରେ କୌଣସି ସମାଧାନର ବାଟ ଫିଟିପାରିନଥିବା ଜଣାପଡିଛି ।