Odiapua.com

ଯୋଡା : ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଯୋଡ଼ାରେ ଷ୍ଟେଟ ଅଫ୍ ଆର୍ଟ ପ୍ରେସର ସ୍ୱିଙ୍ଗ୍ ଆଡସୋର୍ପସନ୍ (ପିଏସ୍‌ଏ) ଅକ୍ସିଜେନ୍ ପ୍ଲାଣ୍ଟ କାର୍ଯ୍ୟକ୍ଷମ

ଯୋଡା, ୦୪ା୯ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) କୋଭିଡ୍‌-୧୯ର ମୁକାବିଲା କରିବା ଏବଂ ଭବିଷ୍ୟତ ଲାଗି ପ୍ରସ୍ତୁତ ରହିବାର ଉଦ୍ୟମ ସ୍ୱରୂପ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଯୋଡାର ଟାଟା ଷ୍ଟିଲ୍ ହସ୍ପିଟାଲ୍ ଓ ନୂଆମୁଣ୍ଡିର ଟାଟା ଷ୍ଟିଲ୍ ହସ୍ପିଟାଲ୍‌ରେ ଗୁରୁବାର ଦୁଇଟି ଷ୍ଟେଟ୍ ଅଫ୍ ଆର୍ଟ ପ୍ରେସର ସ୍ୱିଙ୍ଗ୍ ଆଡସୋର୍ପସନ୍ (ପିଏସ୍‌ଏ) ଅକ୍ସିଜେନ୍ ପ୍ଲାଂଟ୍ କାର‌୍ୟ୍ୟକ୍ଷମ କରାଯାଇଛି । ଏହି ଅବସରରେ ଚାଣକ୍ୟ ଚୌଧୁରୀ, ଉପସଭାପତି (କର୍ପୋରେଟ୍ ସେବା), ଟାଟା ଷ୍ଟିଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୌରଭ ରାୟ, ମୁଖ୍ୟ (କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ), ଡକ୍ଟର ସୁଧୀର ରାଏ, ମହାପ୍ରବନ୍ଧକ, ମେଡିକାଲ୍ ସେବା, ଟାଟା ଷ୍ଟିଲ୍‌, ଡକ୍ଟର ରାଜନ ଚୌଧୁରୀ, ପରାମର୍ଶଦାତା, ମେଡିକାଲ୍ ସେବା, ଟାଟା ଷ୍ଟିଲ୍ ଓ ଅତୁଲ ଭଟ୍ଟନାଗର, ମହାପ୍ରବନ୍ଧକ ଓକ୍ୟୁଏମ୍ ଡିଭିଜନ୍‌, ଟାଟା ଷ୍ଟିଲ୍ ଉପସ୍ଥିତ ଥିଲେ ।
ଟାଟା ଷ୍ଟିଲ୍ ଫାଉଣ୍ଡେସନ ଦ୍ୱାରା ସ୍ଥାପନ କରାଯାଇଥିବା ଉଭୟ ପିଏସ୍‌ଏ ଅକ୍ସିଜେନ୍ ପ୍ଲାଂଟ୍ ୫୫୦ ବର୍ଗଫୁଟ ଲେଖାଏଁ ସ୍ଥାନରେ ବ୍ୟାପ୍ତ ରହିଛି ଏବଂ ତାହାର କ୍ଷମତା ହେଉଛି ମିନିଟ୍ ପିଛା ୮୩୩ ଲିଟର । ଅକ୍ସିଜେନ୍ ପ୍ଲାଂଟ୍ ବ୍ୟତୀତ ଖାଲିଥିବା ଅକ୍ସିଜେନ୍ ସିଲିଣ୍ଡର ରଖିବା ଏବଂ ଭର୍ତି କରିବା ଲାଗି ଏକ ଅକ୍ସିଜେନ୍ ମାନିଫୋଲ୍ଡ ଓ ଷ୍ଟୋରେଜ୍ (ସଂରକ୍ଷଣ) ସ୍ଥାନ ରହିଛି । ପିଏସଏ ଅକ୍ସିଜେନ୍ ପ୍ଲାଂଟ୍‌ଗୁଡ଼ିକ କେବଳ ଉଭୟ ହସ୍ପିଟାଲ୍‌କୁ ମେଡିକାଲ୍ ଅକ୍ସିଜେନ୍ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବ ନାହିଁ ବରଂ ଏହା ହସ୍ପିଟାଲ୍ ଭିତରେ ମେଡିକାଲ୍ ଗ୍ୟାସ୍ ପାଇପ୍‌ଲାଇନ୍ ସପ୍ଲାଏ (ଏମ୍‌ପିଜିଏସ୍‌) ଜରିଆରେ ସବୁ ଶର‌୍ୟ୍ୟାକୁ ନିରନ୍ତର ମେଡିକାଲ୍ ଯୋଗାଣ କରି ମେଡିକାଲ୍ ସେବାରେ ଉନ୍ନତି ଆଣିବ । ରୋଗୀମାନଙ୍କ ଲାଗି ମେଡିକାଲ୍ ଅକ୍ସିଜେନ୍‌ର କୌଣସି ଅଭାବ ନଥିବାକୁ ନିଶ୍ଚିତ କରିବା ଦିଗରେ ଏହି ପ୍ଲାଂଟ୍‌ଗୁଡ଼ିକ ଏକ ପଦକ୍ଷେପ ଏବଂ ଏହା ହସ୍ପିଟାଲ୍‌ରେ ଅକ୍ସିଜେନ୍ ସହାୟତା ଭିତିକ ଶଯ୍ୟା ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଆଣିବ । ୭୨୬ ବର୍ଗଫୁଟ ଅଂଚଳରେ ସ୍ଥାପନ କରାଯାଇଥିବା ମିନିଟ୍ ପିଛା ୮୩୩ ଲିଟର କ୍ଷମତା ବିଶିଷ୍ଟ ଏଭଳି ଏକ ପ୍ଲାଂଟ୍‌କୁ ଅଗଷ୍ଟରେ ୱେଷ୍ଟ ବୋକାରୋରେ ଉଦ୍‌ଘାଟନ କରାଯାଇଥିଲା । ଝାରିଆରେ ପରବର୍ତୀ କାରଖାନାକୁ କାର‌୍ୟ୍ୟକ୍ଷମ କରିବା ଯୋଜନା ରହିଛି । ଟାଟା ଷ୍ଟିଲ୍ ଦ୍ୱାରା ପରିଚାଳିତ ହେଉଥିବା ହସ୍ପିଟାଲ୍‌ଗୁଡ଼ିକ ପ୍ରଥମ ଓ ଦ୍ୱିତୀୟ ଲହରରେ ବଡ଼ ସଂଖ୍ୟକ କୋଭିଡ-୧୯ ରୋଗୀଙ୍କ ପରିଚାଳନା କରିବା ଲାଗି କୋଭିଡ୍‌-୧୯ ଉତ୍ସର୍ଗୀକୃତ ସେଂଟର୍ ଭାବେ କାର‌୍ୟ୍ୟ କରିଥିଲା ଏବଂ ଗୋଷ୍ଠୀ ସଦସ୍ୟଙ୍କୁ ଉନ୍ନତ ମେଡିକାଲ୍ ସେବା ପ୍ରଦାନ କରିଛି ।