Odiapua.com

ଯୋଡା : ଜେଏସ୍‌ଡବ୍ଲୁ ଖଣିର ମନମୁଖି କାର୍ଯ୍ୟ, ପୂର୍ବ ସୂଚନା ନଥାଇ ପରିବହନ ଦର କମାଇବା ବିରୋଧରେ ଖଣି ଫାଟକ ସମ୍ମୁଖରେ ଟିପ୍ପର ମାଲିକଙ୍କ ଧାରଣା

ଯୋଡା, ୧୪ା୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ ଜଜାଙ୍ଗ ଲୌହ ଖଣିରେ ପୂର୍ବ ସୂଚନା ନଥାଇ ହଠାତ୍ ପରିବହନ ଦର କମାଇଦିଆଯାଇଥିବା ଯୋଗୁଁ ଖଣି ଫାଟକ ସମ୍ମୁଖରେ ମଙ୍ଗଳବାର ଖଣି ଅଞ୍ଚଳ ଟିପ୍ପର ମାଲିକ ସଂଘ ପକ୍ଷରୁ ଶତାଧିକ ମାଲିକ ଧାରଣା ଦେଇ ଏହାର ପ୍ରତିବାଦ କରିବା ସହ ପରିବହନ ବନ୍ଦ ରଖିଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ, ତୈଳ ଦର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ତୈଳ ଦର ଲିଟର ପିଛା ୯୦ ଟଙ୍କା ଥିବା ବେଳେ ଜଜାଙ୍ଗ ଲୌହ ଖଣିରୁ ଟଣ୍ଟୋସ୍ଥିତ ବିଆରପିଏଲ୍ କାରଖାନାକୁ ଟନ୍ ପ୍ରତି ପରିବହନ ଦର ୩୮୩ ଟଙ୍କା ରହିଥିଲା । ତେବେ ଖଣି କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା ପରେ ତୈଳ ଦର ବୃଦ୍ଧି ପାଇଲେ ପରିବହନ ଦରରେ ବୃଦ୍ଧି କରାଯିବ ବୋଲି ଏକ ଚୁକ୍ତିନାମା କରାଯାଇଥିଲା । ତେବେ ଏହାରି ଭିତରେ ତୈଳ ଦଳ ଶହେ ଟଙ୍କାରୁ ଉର୍ଦ୍ଧ୍ୱ ଛୁଇଁଥିବା ବେଳେ କୌଣସି ପୂର୍ବ ସୂଚନା ନଥାଇ ଏହି ଖଣିର ମାଲିକାନା ଥିବା ଜେଏସ୍‌ଡବ୍ଲୁ କର୍ତ୍ତୁପକ୍ଷ ଟନ୍ ପ୍ରତି ଦର ୩୨୦ ଟଙ୍କାକୁ ହ୍ରାସ କରିଥିବା ବେଳେ ପ୍ରତି ଟନ୍ ଟିପ୍ପର ମାଲିକମାନେ ୬୩ ଟଙ୍କା ପ୍ରାପ୍ୟ ହରାଇବେ ବୋଲି ଜଣାପଡିଛି । ଏ ନେଇ ଟିପ୍ପର ମାଲିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ସେମାନେ ଖଣି ଫାଟକ ସମ୍ମୁଖରେ କର୍ତ୍ତୁପକ୍ଷଙ୍କର ମନମୁଖି କାର୍ଯ୍ୟକୁ ବିରୋଧ କରି ଧାରଣ ଦେଇଥିବା ଦେଖିବାକୁ ମିଳିଛି । ପରିବହନ ଦର ବୃଦ୍ଧି ନପାଇଲେ ଏହି ଧାରଣା ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସଂଘର ସଭାପତି ସତ୍ୟପ୍ରିୟ ବାରିକ୍ ଏବଂ ସମ୍ପାଦକ ଚତୁର୍ଭୁଜ ପଲେଇ ସୂଚନା ଦେଇଛନ୍ତି । ଫଳରେ ଏହି ଖଣିରୁ ବିଆରବିଏଲ କାରଖାନାକୁ ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଜଣାପଡିଛି ।