Odiapua.com

ଯୋଡା : ଜିନ୍ଦଲ କମ୍ପାନୀର ସ୍ଲରି ପାଇପ ଲାଇନକୁ ବିଭିନ୍ନ ସ୍ଥାନରେ ବିରୋଧ, ମେଶିନ ଲଗାଇ ଖୋଳା ଚାଲିଛି ସୁନା ନଦୀ, ପ୍ରଶାସନର ନିଘା ନାହିଁ, କାର୍ଯ୍ୟ ବନ୍ଦ କଲେ ଟ୍ରକ ମାଲିକ ସଂଘ

– ବର୍ଜ୍ୟବସ୍ତୁ ପଡି ସୁନା ନଦୀର ଜଳଧାରଣା କ୍ଷମତା ହ୍ରାସ
– ସ୍ଲରି ପାଇପ ଯୋଗୁଁ ସୁନା ନଦୀ ପ୍ରଦୂଷିତ
– ଟ୍ରକ ମାଲିକଙ୍କ ପକ୍ଷରୁ ସ୍ଲରି ପାଇପକୁ ତୀବ୍ର ବିରୋଧ
– ସ୍ଥାନୀୟ ପ୍ରଶାସନ ଓ କମ୍ପାନୀ ଭିତିରି ସମ୍ପର୍କ
ଯୋଡା, ୨୮ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଯୋଡାର ଜୀବନଧାରା କୁହାଯାଉଥିବା ଚିରସ୍ରୋତା ସୁନା ନଦୀ ଉପରେ ବିଭିନ୍ନ ଖଣି କମ୍ପାନୀମାନଙ୍କ ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଛି। ଏହି ଅତ୍ୟାଚାର ବନ୍ଦ ନହେଲେ ଖୁବଶୀଘ୍ର ସୁନାନଦୀ ମୃତ ନଦୀରେ ପରିଣତ ହେବାର ସମ୍ଭାବନା ଦେଖାଦେଇଛି। କେତେକ ଖଣି କମ୍ପାନୀ ଲୁହାପଥର ଗୁଣ୍ଡ ପରିବହନ ନିମନ୍ତେ ପାଇପ ବିଛାଉଥିବା ବେଳେ ସେମାନେ ସୁନା ନଦୀକୁ ବଡ ବଡ ମେସିନ ସାହାଯ୍ୟରେ କାଟି ଏହାର ଜଳଧାରାକୁ ଅବରୋଧ କରିବା ସହ ସୁନା ନଦୀକୁ ପ୍ରଦୂଷିତ କରୁଥିବା ଦେଖାଯାଇଛି। ଫଳରେ ଏହାକୁ ବିରୋଧ କରି ମଙ୍ଗଳବାର ଯୋଡା ଟ୍ରକ ମାଲିକ ସଂଘର ଶତାଧିକ ମାଲିକ ଏହି କାର୍ଯ୍ୟ ସ୍ଥଳରେ ପହଞ୍ଚି ଏହାକୁ ବିରୋଧ କରିବା ସହ ଏହି କାର୍ଯ୍ୟକୁ ବନ୍ଦ କରିଦେଇଥିବା ଦେଖିବାକୁ ମିଳିଛି। ଫଳରେ ଏହି ଠିକାଦାର ତାର ଯନ୍ତ୍ରପାତି ଧରି ସେଠାରୁ ପଳାଇଯିବାକୁ ବାଧ୍ୟ ହୋଇଛି। ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ନଦୀ ବଞ୍ଚାଓ ଅଭିଯାନର ବଡବିଲ କର୍ମକର୍ତ୍ତା ଅଶୋକ କୁମାର ଠକ୍କର ଘଟଣା ସ୍ଥଳରେ ପହଞ୍ଚି ଏହାର ସରଜମିନ ତଦନ୍ତ କରି ଫେରିଥିବା ଜଣାପଡିଛି। ସେ ଏ ନେଇ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ସେ ସମ୍ପୃକ୍ତ କମ୍ପାନୀ ରାସ୍ତା କଡରେ ପାଇପ ଲାଇନ ବିଛାଇବା ପାଇଁ ପୌରପାଳିକା ଠାରୁ ଅନୁମତି ନେଇଥିବା ବେଳେ ନଦୀ ଗର୍ଭକୁ କାଟି ପାଇପ ଲାଇନ ନେବା ପାଇଁ କୌଣସି ଅନୁମତି ନେଇନଥିବା ସ୍ପଷ୍ଟ କରିଛନ୍ତି। ସୂଚନା ଯୋଗ୍ୟ, ସୁନ୍ଦରଗଡ ଜିଲ୍ଲା କୋଇଡା ଠାରୁ ଏହି ନଦୀଟି ବାହାରି ଯୋଡା ମଧ୍ୟଦେଇ ପ୍ରବାହିତ ହେବା ସହ ବିଲେଇପଦା ନିକଟରେ ବୈତରଣୀ ନଦୀରେ ଲୀନ ହୋଇଛି। ଏହାର ପ୍ରବାହ ପଥକୁ ବିଭିନ୍ନ ଖଣି କମ୍ପାନୀ ଅବରୋଧ କରି ପାନୀୟ ଜଳ ଏବଂ କାରଖାନା ପାଇଁ ନିଜସ୍ୱ ବ୍ୟବହାର କରୁଥିବା ବେଳେ ନଦୀର ଉଭୟ ପାଶ୍ୱର୍ରେ ଏହି ଜଳଧାରା ଉପରେ ନିର୍ଭର କରି ଅନେକ ଗାଁ ବସ୍ତି ସମୂହ ଗଢି ଉଠିଛି। ବର୍ଷ ତମାମ ଏଥିରେ ନିର୍ମଳ ଜଳ ପ୍ରବାହିତ ହେଉଥିବା ବେଳେ ଲୋକେ ଏହାକୁ ସ୍ନାନ ଓ ଶୌଚାଦି କର୍ମରେ ବ୍ୟବହାର କରିଥାନ୍ତି। ଏପରିକି କେତେକ ଲୋକ ଏହାକୁ ପାନୀୟ ଜଳ ଭାବେ ମଧ୍ୟ ବ୍ୟବହାର କରି ଆସୁଛନ୍ତି। ତେବେ ଅତ୍ୟନ୍ତ ପରିତାପର ବିଷୟ ଯେ ଏହି ନଦୀର ଉଭୟ ପାଶ୍ୱର୍ରେ କେତେକ ଖଣି ଗଢି ଉଠିଥିବା ବେଳେ ଖଣିର ବର୍ଜ୍ୟବସ୍ତୁ ପଡି ନଦୀଟିର ଜଳଧାରଣ କ୍ଷମତା ହ୍ରାସ ପାଇବା ସହ ଏହା ବାରମ୍ବାର ଗତିପଥ ପରିବର୍ତ୍ତନ କରୁଥିବା ଦେଖାଯାଇଛି। ନଦୀପାଶ୍ୱର୍ରେ ସର୍ଭିସ ସେଣ୍ଟର କରାଯାଇ ଗାଡି ଧୁଆ ଯାଉଥିବା ବେଳେ ଏହାର ଦୂଷିତ ଜଳକୁ ନଦୀ ମଧ୍ୟରେ ଛାଡି ଦିଆଯାଉଛି। ଏପରିକି ଯୋଡା ସହରର ଅନେକ ନର୍ଦ୍ଦମା ଏହି ନଦୀରେ ସିଧାସଳଖ ପଡୁଥିବାର ଦେଖିବାକୁ ମିଳିଛି। ଏଥିପ୍ରତି ପୌରପାଳିକାର ନିଘା ନାହିଁ। ଏବେ କେତେକ ବହୁରାଷ୍ଟ୍ରୀୟ ଖଣି କମ୍ପାନୀ ଏହି ନଦୀର ଜଳକୁ ବନ୍ଧ ବାନ୍ଧି ଏହାର ବକ୍ଷ ଚିରି ଲୁହାପଥର ଗୁଣ୍ଡ ପରିବହନ ନିମନ୍ତେ ସ୍ଲରୀ ପାଇପ ବିଛାଇବା କାର୍ଯ୍ୟ ଜାରି ରଖିଛନ୍ତି। ଅତ୍ୟନ୍ତ ନିର୍ଦ୍ଦୟ ଭାବେ ସେମାନେ ଏହି ନଦୀର ଶଯ୍ୟାକୁ ଖିନଭୀନ କରି ପକାଉଥିଲେ ମଧ୍ୟ ପ୍ରଶାସନର ଭିତିରି ସମ୍ପର୍କ ଯୋଗୁଁ ଲୋକେ ଭୟରେ ମୁହଁ ଖୋଲିବାକୁ ସାହାସ ଜୁଟାଇ ପାରୁନାହାଁନ୍ତି। ଏହି କାର୍ଯ୍ୟ ଯୋଗୁଁ ନଦୀ ଜଳ ସମ୍ପୂର୍ଣ୍ଣ ପ୍ରଦୂଷିତ ହୋଇ ବ୍ୟବହାର ଅନୁପଯୋଗୀ ହୋଇପଡିଛି। ଅତ୍ୟନ୍ତ ନିର୍ଦ୍ଦୟ ଭାବେ ଏହି ନଦୀର ଅପବ୍ୟବହାର କରାଯାଉଥିବା ବେଳେ ଯୋଡା ବାସୀଙ୍କ ହୃଦୟରେ ଏହା ଗଭୀର ଆଘାତ ଦେଇଥିବା ଜଣାପଡିଛି। ନିୟମ ମୁତାବକ ଏହି ପାଇପ ଲାଇନ ରାସ୍ତା ଠାରୁ ୫୦ ଫୁଟ ଦୂରରେ ଏବଂ ୩ ଫୁଟ ତଳେ ବିଛାଇବାର ପ୍ରାବଧାନ ଥିବା ବେଳେ କମ୍ପାନୀ ଏତେ ବେପରୁଆ ଭାବେ ଏହି କାର୍ଯ୍ୟ ଚଳାଇଛି ଯେ, କେତେବେଳେ ଯୋଡା ସହରକୁ ଜଳ ଯୋଗାଣ ପାଇପକୁ ଭାଙ୍ଗିଦେବା ଫଳରେ ଦିନ ଦିନ ଧରି ଯୋଡାକୁ ଜଳ ଯୋଗାଣ ବନ୍ଦ ରହୁଛି ତ ଅନ୍ୟ କେତେବେଳେ ବିଦ୍ୟୁତ ଖୁଣ୍ଟ ଢଳି ପଡିବା ଫଳରେ ବିଦ୍ୟୁତ୍ ସରବରାହ ବନ୍ଦ ରଖିବାକୁ ପଡୁଛି। ଏପରିକି କେବୁଲ ଲାଇନ ଛିଣ୍ଡିଯିବା ଫଳରେ ଯୋଡାରେ ବାରମ୍ବାର ଇଣ୍ଟରସେବା ମଧ୍ୟ ବିଚ୍ଛିନ୍ନ ରହୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ସ୍ଲରି ପାଇପ ଯୋଗେ ଲୁହାପଥର ପରିବହନ ହେଲେ ହଜାର ହଜାର ଟ୍ରକ ମାଲିକ ଜୀବିକା ହରାଇ ବସିବେ ବୋଲି ଜଣାପଡିଛି। ଫଳରେ ଏହି ସ୍ଲରି ପାଇପ ବିଛାଇବାକୁ ବିଭିନ୍ନ ସ୍ଥାନରେ ବାରମ୍ବାର ବିରୋଧ କରାଯାଉଥିବାର ଦେଖିବାକୁ ମିଳିଛି। ସୋମବାର ଅପରାହ୍ନରେ ଏ ନେଇ ଯୋଡା ଟ୍ରକ ମାଲିକ ସଂଘ (ଜାଟୋଆ) ପକ୍ଷରୁ ଏହାକୁ ବିରୋଧ କରାଯିବା ସହ କାର୍ଯ୍ୟ ବନ୍ଦ କରିଦିଆଯାଇଥିବା ବେଳେ ଅନୁରୂପ ଖଣି ଅଞ୍ଚଳ ଟ୍ରକ ମାଲିକ ସଂଘ (ମାଟୋଆ) ପକ୍ଷରୁ ବାଂଶପାଣି ଠାରୁ ବସନ୍ତପୁର ପର୍ଯ୍ୟନ୍ତ ଏହି ପାଇପ ବିଛା କାର୍ଯ୍ୟକୁ ମଧ୍ୟ ବନ୍ଦ କରିଦିଆଯାଇଛି।