Odiapua.com

ଯୋଡା ଛାଡି ବାମେବାରୀ ଅଞ୍ଚଳରେ ମାତିଛନ୍ତି ଲୁଟେରା, ଚୋରା ଲୁହାପଥର ବୋଝେଇ ବେଳେ ଓଲଟିଲା ଜେସିବି

ଯୋଡା, ୦୧ା୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବୁଧବାର ବିଳମ୍ବିତ ରାତିରେ ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡି ଲୌହ ଖଣି ନିକଟ ପାଲପାଲ ଠାରେ ଗଚ୍ଛିତ ଥିବା ଚୋରା ଲୁହାପଥରକୁ ଏକ ନମ୍ବର ବିହିନ ଜେସିବି ଲଗାଇ ମାଫିଆମାନେ ଟ୍ରକରେ ବୋଝେଇ କରୁଥିବା ସମୟରେ ଜେସିବିଟି ଅଧିକ ବୋଝ ଯୋଗୁଁ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଘଟଣାଟି ଜାଣିବା ପରେ ବାମେବାରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଜେସିବିଟିକୁ ଜବତ କରିଥିବା ବେଳେ ଚୋରା ଲୁହାପଥର ବୋଝେଇ ନିମନ୍ତେ ଯାଇଥିବା ୪ଟି ଯାକ ଟ୍ରକ ସେଠାରୁ ଖସି ପଳାଇଥିଲେ । ଏହି ଚୋରା ଲୁହାପଥର କାରବାରରେ କେଉଁମାନଙ୍କର ସମ୍ପୃକ୍ତି ରହିଛି ତାହା ଏବେ ଆରକ୍ଷୀର ତଦନ୍ତ ପରିସର ଭୁକ୍ତ ବୋଲି ଜଣାପଡିଛି । ତେବେ ବିଶେଷ ସୂତ୍ରରୁ ଜଣାପଡିଛି ଯେ, ମାଫିଆମାନେ ଏବେ ଯୋଡା ଅଞ୍ଚଳ ଛାଡି ବାମେବାରୀ ଅଞ୍ଚଳରୁ ବେଧଡକ ଚୋରା ଲୁହାପଥର କାରବାର ଚଳାଇଥିବା ବେଳେ ଏଥିରେ ଖଣି ଓ ପୁଲିସ ବିଭାଗର ସମ୍ପୃକ୍ତିଥିବା ଅଭିଯୋଗ ହୋଇଆସୁଛି ।