Odiapua.com

ଯୋଡା : ଚା ପିଇବା ହେଲା କାଳ, ଟିପ୍ପର ଧକ୍କାରେ ଚାଲିଗଲା ଜୀବନ

ଯୋଡା, ୧୪ା୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ମଙ୍ଗଳବାର ଭୋର ୫.୩୦ମି. ସମୟରେ ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡି ହାଟ ଛକ ନିକଟରେ ଅବସ୍ଥିତ ଏକ ଚା ଦୋକାନରେ ଚା ପିଇବାକୁ ଯାଇ ସେଠାରୁ ଫେରୁଥିବା ସମୟରେ କୌତୁକ ପାତ୍ର (୬୦) ନାମକ ଜଣେ ବ୍ୟକ୍ତି ଉପରେ ବାମେବାରୀ ପଟୁ ଆସୁଥିବା ଏକ ଟିପ୍ପର ଧକ୍କା ଦେଇ ତାଙ୍କୁ କିଛି ବାଟ ଘୋଷାଡି ନେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣାଟି ଏବେ ତୀବ୍ର ଥିଲା ଯେ, ମୃତକ କୌତୁକଙ୍କର ଅଙ୍ଗପ୍ରତ୍ୟଙ୍ଗ ଖଣ୍ଡ ଖଣ୍ଡ ହୋଇଯାଇଥିଲା । ପରେ ଟିପ୍ପରଟି ଏକ ବଡ ପଥର ଚଟାଣରେ ବାଜି ରହିଯାଇଥିବା ବେଳେ ଘଟଣା ସ୍ଥଳରୁ ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି । ଏ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ସକାଳ ୬ଟାକୁ ଦିନ ଦେଢଟା ପର୍ଯ୍ୟନ୍ତ ସ୍ଥାନୀୟ ଲୋକେ ରାସ୍ତା ରୋକ କରିଥିବା ଦେଖିବାକୁ ମିଳିଥିଲା । ତେବେ ଘଟଣା ସ୍ଥଳରେ ଆରକ୍ଷୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ପ୍ରତ୍ୟାହାର ହୋଇଥିଲା । ଆରକ୍ଷୀ ସହାୟତାରେ ମୃତକଙ୍କ ପରିବାରଙ୍କୁ ରେକ କ୍ରସ ମାଧ୍ୟମରେ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡିଛି ।