Odiapua.com

ଯୋଡା : ଚଳନ୍ତା ବିଦ୍ୟୁତ୍ ସ୍ରୋତରେ ଚୋର କାଟିନେଲେ କେବୁଲ, ସରବରାହ ବାଧାପ୍ରାପ୍ତ

ଯୋଡା, ୧୭ା୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଯୋଡା ପୌରପାଳିକା ଅନ୍ତର୍ଗତ ଧରଣୀଧର ଛକ ନିକଟରୁ ଚଳନ୍ତା ବିଦ୍ୟୁତ୍ ସ୍ରୋତରେ ଲକ୍ଷାଧିକ ଟଙ୍କାର କେବୁଲ କାଟିନେଲେ ଚୋର। ଫଳରେ ଯୋଡା ସହରରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି। ଏହି ଚୋରି ର‌୍ୟାକେଟ ବୃଦ୍ଧି ପାଇବା ଫଳରେ ବାରମ୍ବାର ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହେବା ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସୂଚନା ମୁତାବକ ବିଭିନ୍ନ ସହରାଞ୍ଚଳରେ ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ଓଭରହେଡ ତାର ବଦଳରେ ଅଣ୍ଡରଗ୍ରାଉଣ୍ଡ କେବୁଲ ଯୋଗେ ବିଦ୍ୟୁତ୍ ଯୋଗାଇଦେବା ପାଇଁ ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର, ପୁରୀ, ଭୁବନେଶ୍ୱର ତିନୋଟି ସହରକୁ ପ୍ରଥମ ପର୍ଯ୍ୟାୟରେ ହାତକୁ ନିଆଯାଇଥିବା ବେଳେ ୨ଟି ସହରରେ ଏହି କାର୍ଯ୍ୟ ଚାଲୁରହିଥିବା ବେଳେ କେନ୍ଦୁଝର ଜିଲାର ଯୋଡା ଠାରେ ଏହାକୁ କାର୍ଯ୍ୟକାରୀ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପେକ୍ଷୀରେ ଧରଣୀଧର ଛକ ନିକଟରେ ଟାଟା ପାୱାର ନର୍ଦନ ଓଡିଶା ଡିସଟ୍ରିବ୍ୟୁଟର ଲିମିଟେଡ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ଓଭରହେଡ ବିଦ୍ୟୁତ୍ ସଂଯୋଗ ବନ୍ଦ କରାଯାଇ କେବୁଲ ଯୋଗେ ଅଣ୍ଡରଗ୍ରାଉଣ୍ଡ ବିଦ୍ୟୁତ୍ ସଂଯୋଗ କରାଯାଇଥିଲା। ତେବେ ୧୫ଦିନ ପୂର୍ବେ ଚୋରମାନେ କୌଶଳକ୍ରମେ ଏହି ଚଳନ୍ତା ବିଦ୍ୟୁତ୍ ସ୍ରୋତରେ ପ୍ରାୟ ୩୦ରୁ ୩୫ ମିଟର ଦୈର୍ଘ୍ୟର କେବୁଲ କାଟିନେଇଥିଲେ। ସେହିପରି ପୁନଃର୍ବାର ବୁଧବାର ବିଳମ୍ବିତ ରାତିରେ ଚୋରମାନେ ୩ଶହ ଏମ୍‌ଏମ୍ ବିଶିଷ୍ଟ ପ୍ରାୟ ୩୫ ମିଟର କେବୁଲ କାଟିନେଇଥିବା ଜଣାପଡିଛି। ଏହାସହିତ ସେଥିରେ ଲାଗିଥିବା କେତେକ ଯନ୍ତ୍ରାଂଶକୁ ମଧ୍ୟ ସେମାନେ ଚୋରି କରିନେଇଥିଲେ। ଯାହାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ସହକାରୀ ବିଦ୍ୟୁତ୍ ଚାଳକ ବିନ୍ଦୁ ସାଗର ମହାନ୍ତ ଅଭିଯୋଗ କରିଛନ୍ତି। ବାରମ୍ବାର ଏହି କେବୁଲ ଚୋରି ଯୋଗୁଁ ଯୋଡା ସହର ମଧ୍ୟରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହେଉଛି। ଏହି ଚୋରମାନେ ଏତେ କୁଶଳ ଯେ ଚଳନ୍ତା ବିଦ୍ୟୁତ ସ୍ରୋତରୁ ମଧ୍ୟ ଏହି କେବୁଲ କାଟିନେଉଥିବା ଫଳରେ ଏହା ବିଦ୍ୟୁତ୍ ବିଭାଗର ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଚଳନ୍ତା ବିଦ୍ୟୁତ୍ ସ୍ରୋତରେ ମାଟି ଖୋଳି କେବୁଲ କାଟିନେବା ଘଟଣା ଏବେ ଯୋଡା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଚୋରମାନେ ଏହି କେବୁଲକୁ କାଟିନେଇ କବାଡିବାଲା ପାଖରେ ସାଗ ମାଛ ଦରରେ ବିକ୍ରି କରିଦେଉଛନ୍ତି। ସହର ମଧ୍ୟରେ ପୁଲିସ ପ୍ୟାଟ୍ରୋଲିଙ୍ଗ ଆଦୌ ନଥିବାରୁ ଏହା ଚୋରମାନଙ୍କୁ ସୁହାଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।