Odiapua.com

ଯୋଡା – ଗଙ୍ଗେଇଗୁଡା ମାଙ୍ଗାନିଜ ଖଣିରେ ଗ୍ରାମବାସୀଙ୍କ ନିଯୁକ୍ତି ଦାବି

ଯୋଡା, ୧୧/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ସ୍ଥାନୀୟ ନିଯୁକ୍ତିକୁ ନେଇ ଯୋଡା ଖଣି କ୍ଷେତ୍ର ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି । ଟାଟା କମ୍ପାନୀଙ୍କ ଗଙ୍ଗେଇଗୁଡା ମାଙ୍ଗାନିଜ ଖଣିରେ ଏମ୍‌.ଆଇ.ପି.ଏଲ. ନାମକ ଏକ ଠିକା ସଂସ୍ଥାକୁ ମାଙ୍ଗାନିଜକ ଉତ୍ତୋଳନ ନିମନ୍ତେ ଠିକା ପ୍ରଦାନ କରାଯାଇଛି । ତେବେ ଏହି ଠିକାଦାର ଜଣଙ୍କ ନିଜେ ଖଣି କାର୍ଯ୍ୟ ନକରି ବାଂଶପାଣି ଅଞ୍ଚଳର ଜଣେ ପୂର୍ବତନ ଖଣି ମାଫିଆକୁ ଏହି କାର୍ଯ୍ୟଟିକୁ ହସ୍ତାନ୍ତର କରିଛନ୍ତି । ସେ ବାହାରୁ ଶ୍ରମିକ ଆଣି ଏହି ଖଣି କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଏହି ଖଣି ସଂଲଗ୍ନ ଯୋଡା ପୌରପାଳିକା ୧୧,୧୨,୧୩ ନଂ. ୱାର୍ଡର ସ୍ଥାନୀୟ ଲୋକମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି । ଜନଶୁଣାଣୀ ସମୟରେ କମ୍ପାନୀ ଏହି ୱାର୍ଡ ବାସିନ୍ଦାଙ୍କୁ ଖଣିରେ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିବା ବେଳେ ଏବେ ମାତ୍ର ୨୨ଜଣ ଶ୍ରମିକଙ୍କୁ ସେଠାରେ ନିଯୁକ୍ତି ଦେଇଛନ୍ତି । ଜନଶୁଣାଣୀ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତିକୁ କମ୍ପାନୀ ଅଣଦେଖା କରିଥିବା ବେଳେ ଏ ନେଇ ୱାର୍ଡ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେକାଦେଇଛି । ସେମାନେ ଠିକାଦାର ଏମ୍‌.ଆଇ.ପି.ଏଲ୍‌. ସିଧାସଳଖ ଭାବେ ସେମାନଙ୍କୁ ନିଯୁକ୍ତି ଦେଇ ଖଣି ଉତ୍ତୋଳନ କରିବାକୁ ଦାବି କରିଥିବା ବେଳେ ଏ ନେଇ ଠିକାଦାର ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଏ ନେଇ ସେମାନେ ଯୋଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା କରାଇ ସମାଧାନର ବାଟ ବାହାର କରିବାକୁ ପୁଲିସ ପ୍ରତିଶ୍ରୁତି ଦେଇ ବାରମ୍ବାର ସ୍ଥାନୀୟ ବାସିନ୍ଦାଙ୍କୁ ହତୋତ୍ସାହ କରିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ବୁଧବାର ଦିନ ଆଲୋଚନା ନିମନ୍ତେ ବାସିନ୍ଦାମାନଙ୍କୁ କୁଦୁରସାହି କ୍ଲବ ନିକଟରେ ଏକତ୍ରିତ ହୋଇ ରହିବାକୁ ପୁଲିସ ନିର୍ଦ୍ଦେଶ ଦେଇଥିବା ବେଳେ ଅପରାହ୍ନ ୩ଟା ବେଳ ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରିଥିଲେ ମଧ୍ୟ ପୁଲିସ ପ୍ରଶାସନ କିମ୍ବା ସମ୍ପୃକ୍ତ ଠିକାଦାର ଘଟଣା ସ୍ଥଳରେ ପହଞ୍ଚିନଥିବା ସେମାନେ ଅଭିଯୋଗ କରିଛନ୍ତି । ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ, ବାରମ୍ବାର ପୁଲିସ ଆଲୋଚନା ନିମନ୍ତେ ସେମାନଙ୍କୁ ଥାନାକୁ ଡକାଇ ଦିନ ତମାମ ବାହାରେ ବସାଇବା ସହିତ କୌଣସି ଆଲୋଚନା ନକରି ରାତିରେ ଫେରାଇଦେଉଛି । ତେଣୁ ଠିକାଦାର ସହିତ ପୁଲିସ ପ୍ରଶାସନର ଅନୈତିକ ସମ୍ପର୍କ ଥିବା ସେମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ସେମାନଙ୍କୁ ନିଯୁକ୍ତି ନମିଳିଲେ ସେମାନେ ଏହି ଖଣିଟିକୁ ସମ୍ପୂର୍ଣ୍ଣ ଅଚଳ କରିଦେବେ ବୋଲି ଚେତାବନୀ ଦେଇଛନ୍ତି । ଏହି ୩ଟି ୱାର୍ଡର ବାସିନ୍ଦାଙ୍କ ମଧ୍ୟରେ ସିଦ୍ଧାର୍ଥ ମୁଣ୍ଡା, ପୁନମ ମୁଖି, ସୁରଜ ମୁଣ୍ଡା, ସୁନା ବେହେରା, ଲକ୍ଷ୍ମୀ ମହାକୁଡ, ବବିତା ଆପଟ୍ଟ, ଗୌରୀ ଗୋପ, ଅନୀତା ମୁଣ୍ଡା, ପାର୍ବତୀ ମୁଣ୍ଡା ପ୍ରମୁଖ ନେତୃତ୍ୱ ନେଇଥିବା ଦେଖିବାକୁ ମିଳିଛି ।