Odiapua.com

ଯୋଡା – ଖଣି ରାସ୍ତା ପାଇଁ ଜଙ୍ଗଲ ଧ୍ୱଂସ, ପ୍ରଶାସନ ନିରବଦ୍ରଷ୍ଟା

ଯୋଡା, ୨୮/୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଖଣିରୁ ଲୁହାପଥର ପରିବହନ ନିମନ୍ତେ ସଂକ୍ଷିପ୍ତ ରାସ୍ତା ନିର୍ମାଣ ଚାଲିଛି । ସେଥିପାଇଁ ସଂରକ୍ଷୀତ ଜଙ୍ଗଲରୁ ବେଧଡକ ଚାଲିଛି ଗଛ କଟା । ଏହି ନୂତନ ରାସ୍ତା ନିର୍ମାଣ ନିମନ୍ତେ ହଜାର ହଜାର ବିରାଟକାୟ ବୃକ୍ଷକୁ କାଟି ଧରାସାଇ କରିଦିଆଯାଉଛି, ହେଲେ ବାରଣ କରିବାକୁ ଯେମିତି କେହି ନାହିଁ । ଘଟଣାଟି କେନ୍ଦୁଝର ଜିଲ୍ଲା ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ କାଦକଳା ଗ୍ରାମପଞ୍ଚାୟତର ପ୍ରକାଶ ଇଣ୍ଡଷ୍ଟ୍ରିଜ ଲିଃ ଖଣିରେ ଦେଖିବାକୁ ମିଳିଛି । ଲୁହାପଥର ପରିବହନ ନିମନ୍ତେ ଏକ ନୂତନ ରାସ୍ତା ନିର୍ମାଣ ପାଇଁ ଜଙ୍ଗଲ ବିଭାଗର କୌଣସି ଅନୁମତି ନଥାଇ ବେଧଡକ ଏହି ଗଛ କଟା ହେଉଛି । ଏଥିରେ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ହାତକରି ଏହି ଗଛ କଟା ଚାଲିଥିବା ବେଳେ ବଡବଡ ଶାଳ, ପିଆଶାଳ, ଗମ୍ଭାରୀ, ମହୁଲ, କଳମ, ଆମ୍ବ, ଜାମୁ, କୁଷୁମ ଏବଂ ଅଁଳା, ବାହାଳା, ହରିଡା, ଡିମ୍ବିରି, ଭାଲିଆ, କେନ୍ଦୁ ଭଳି ଅନେକ ଔଷଧୀୟ ବୃକ୍ଷକୁ ଧୂଳିସାତ କରିଦିଆଯାଉଛି । ଏନ.ଆର.ଜି.ଏସ୍‌. କାମର ବାହାନାରେ ରାତିଦିନ ୨୪ ଘଣ୍ଟା ମେସିନ ଲଗାଯାଇ ଏହି କାର୍ଯ୍ୟ ଚାଲୁଥିବା ବେଳେ ଜଙ୍ଗଲ ବିଭାଗ ପାଖରେ ଏହାର ଖୋଜ ଖବର ନଥିବା ସମସ୍ତଙ୍କୁ ଚକିତ କରିଛି । ୩୦ ଫୁଟ ଚଉଡା ପରିମିତ ପ୍ରାୟ ୧୦ କିମି ଦୀର୍ଘ କଚା ରାସ୍ତା ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ହେଉଛି । ତେବେ ସଂରକ୍ଷୀତ ଜଙ୍ଗଲ ତଥା ଓଏମ୍‌ସି କମ୍ପାନୀର ଲିଜ୍ ଅଞ୍ଚଳରେ ଏହି କାର୍ଯ୍ୟ ଚାଲୁଥିଲେ ମଧ୍ୟ ସରକାରଙ୍କ ଜଙ୍ଗଲ ସୁରକ୍ଷା ନିମନ୍ତେ କଟକଣା ଯେ କେବଳ ପ୍ରହଶନ ବୋଲି ଜଣାପଡିଛି । ଏହି ଖଣି କମ୍ପାନୀ କାହା ସାହସରେ ଅନୈତିକ କାର୍ଯ୍ୟ ଚଳାଇଆସିଛି ତାହା ଏବେ ତଦନ୍ତ ସାପେକ୍ଷ । ଖଣି ନିକଟରେ ଅବସ୍ଥିତ ପିଡପୋଖରୀ ଗ୍ରାମକୁ ଏକ ଭଲ ସବୁ ଦିନିଆ ରାସ୍ତାଟିଏ ନଥିବା ବେଳେ ଗ୍ରାମବାସୀମାନେ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି । ତେବେ କାହା ସ୍ୱାର୍ଥରେ ଏହି ବିପୁଳ ପରିମାଣର ଗଛ କଟା ଚାଲିଛି ତାହା ଜଙ୍ଗଲ ବିଭାଗ ସ୍ୱଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି ।