Odiapua.com

ଯୋଡା : କେଥହାଟିଂକୁ ସଂଯୋଗ ନିମନ୍ତେ ଟାଟା ଷ୍ଟିଲ ପକ୍ଷରୁ ନୂତନ ପୋଲ ନିର୍ମାଣର ଭୂମିପୂଜନ ଉତ୍ସବ ଅନୁଷ୍ଠିତ

ଯୋଡା,୨୧/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ଭୂୟାଁରୋଇଡା ପଞ୍ଚାୟତରେ ଅବସ୍ଥିତ କେଥକ୍ୟାମ୍ପ ଗ୍ରାମଟି ସମ୍ପୂର୍ଣ୍ଣ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ପ୍ରାୟ ତିନିହଜାରରୁ ଉର୍ଦ୍ଧ୍ୱ ଲୋକ ଏଅଞ୍ଚଳରେ ବସବାସ କରନ୍ତି । ଚମ୍ପୁଆ ନିର୍ବାଚନ ମଣ୍ଡଳୀର ମାନଚିତ୍ରରେ ସୁନାନଦୀର ଠିକ୍ ଅବବାହିକାରେ ଗଢି ଉଠିଛି ଏହି ଗାଁଟି । ଯୋଡା ପୌରପାଳିକା – ଭୂୟାଁରୋଇଡା ପଞ୍ଚାୟତର ସୀମାରେଖାରେ ମୁକସାଖୀ ରୂପେ ସୁନାନଦୀଟି ପ୍ରବାହିତ ହୋଇଛି । ଯୋଡା ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଗଣିତ ଭୂୟାଁରୋଇଡା ପଞ୍ଚାୟତର କେଥକ୍ୟାମ୍ପ ଯାହା ଏକ ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳ । ଯୋଡା ସହର ଓ କେଥକ୍ୟାମ୍ପ ମଧ୍ୟଭାଗ ଦେଇ ବହିଯାଇଛି ଚିରସ୍ରୋତା ସୁନାନଦୀ । ଯାତାୟତ ନିମନ୍ତେ ଏହି ନଦୀ ଉପରେ ନିର୍ମିତ ଏକ କଂକ୍ରିଟ୍ ପୋଲ ଏଅଞ୍ଚଳବାସୀଙ୍କ ପାଇଁ ଏକମାତ୍ର ଭରସା ଓ ନିର୍ଭରଶୀଳ ଥିବା ବେଳେ ବର୍ଷା ସମୟରେ ଲଗାତାର ବର୍ଷା ହେଲେ ଏହି ନଦୀ ପ୍ରାୟତଃ ପ୍ରବଳ ବେଗରେ ଫୁଲି ଉଠିବା ସହ ଦୁଇପାଶ୍ୱର୍ରେ ମାଟି ଧୋଇଯାଇ ବିରାଟ ଘାଇ ସୃଷ୍ଟି ହେଉଥିବାରୁ ସେଠାକାର ଅଧିବାସୀ ମାନେ ବାହ୍ୟଜଗତରୁ ବିଚ୍ଛିନ୍ନ ହେବା ଏକ ଧାରାବାହିକ ଘଟଣା କହିଲେ ଭୁଲ ହେବନାହିଁ । ଦୀର୍ଘବର୍ଷ ଧରି ବର୍ଷାଋତୁରେ ଏହିଭଳି ଚିରାଚରିତ ଘଟଣା ଘଟୁଥିବାରୁ ଆଖପାଖ ଶତାଧିକ ଗ୍ରାମର ଅଧିବାସୀ ସେହି ସ୍ଥାନରେ ଏକ ଉଚ୍ଚସ୍ଥାୟୀ ପକ୍କା ପୋଲ ନିର୍ମାଣ କରିବାକୁ ନେଇ ଦାବି କରି ଆସୁଥିଲେ । ଜନସାଧାରଣଙ୍କ ଦାବି ଅବଗତ ହୋଇ ଟାଟାଷ୍ଟିଲ କମ୍ପାନୀ ସେଠାରେ ଏକ ସ୍ଥାୟୀ ଉଚ୍ଚ ଦୀର୍ଘ ପୋଲ ନିର୍ମାଣ କରିବା ନେଇ ଗୁରୁବାର ଘୋଷଣା କରି ଭୂମିପୂଜନ କରିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଖୁସିର ମାହୋଲ ସୃଷ୍ଟି ହେବା ସହ ଟାଟାଷ୍ଟିଲ କମ୍ପାନୀକୁ ଅଜସ୍ର ଧନ୍ୟବାଦ ଗ୍ରାମବାସୀଙ୍କ ପକ୍ଷରୁ ଦିଆଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ଏହି ପୋଲର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ୨୦୨୨ ମାର୍ଚ୍ଚ ୩ ତାରିଖ ଦିନ ଜାମସେଦଜୀ ଟାଟାଙ୍କ ଜନ୍ମଦିନରେ ଉପହାର ସ୍ୱରୂପ ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ବୋଲି ଟାଟାଷ୍ଟିଲ ଓଏମକ୍ୟୁ ଡିଭିଜନର ମହାପ୍ରବନ୍ଧକ ଅତୁଲ ଭଟ୍ଟନାଗର ଉପସ୍ଥିତ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ ।
କେଥହଟିଂ ଓ ନିକଟବର୍ତ୍ତୀ ଗ୍ରାମର ବାସିନ୍ଦାମାନଙ୍କୁ ଉନ୍ନତମାନର ଯୋଗାଯୋଗ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ଟାଟାଷ୍ଟିଲ ପକ୍ଷରୁ କେଥହଟିଂ ସହିତ ବିଛାକୁଣ୍ଡିକୁ ଯୋଡ଼ିବା ପାଇଁ ସୁନାନଦୀରେ ଏକ ପୋଲର ନିର୍ମାଣ କରାଯାଉଛି । ଗୁରୁବାର ଦିନ ଆୟୋଜିତ ଏହି ସେତୁର ଭୂମିପୂଜନ ଉତ୍ସବରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହନ୍ତ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଚମ୍ପୁଆ ଉପ-ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଉପସ୍ଥିତ ରହିଥିଲେ । ଏଥିସହିତ ଯୋଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜଗନ୍ନାଥ ହନୁମାନ, ଟାଟା ଷ୍ଟିଲ ଓଏମ୍‌କ୍ୟୁ ବିଭାଗର ମହାପ୍ରବନ୍ଧକଅତୁଲ କୁମାର ଭଟ୍ଟନାଗର ଏବଂ ଟାଟା ଷ୍ଟିଲ ଯୋଡ଼ା ମୁଖ୍ୟ ରାଜେଶ କୁମାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ରୋଇଡ଼ା ସରପଞ୍ଚ ଜତୀଶ ଚନ୍ଦ୍ର ନାୟକ, ରୋଇଡ଼ା ସମିତି ସଭ୍ୟା ତୁଳସୀ ବୋବଙ୍ଗା, ଜଳହରି ସରପଞ୍ଚ ମିତା ମୁଣ୍ଡା, ଜଳହରି ସମିତି ସଭ୍ୟା ସାବିତ୍ରୀ ମୁଣ୍ଡା, ଜୁରୁଡ଼ି ସରପଞ୍ଚ ସୁଜାତା ହେମ୍ବ୍ରମ୍‌, ଜୁରୁଡ଼ି ସମିତି ସଭ୍ୟା ଇନ୍ଦିରା ପାତ୍ର ଓ ରୋଇଡ଼ାର ପୂର୍ବତନ ସରପଞ୍ଚ ମନମୋଦ୍ଧ ଓରାମଙ୍କ ସହିତ ଟାଟା ଷ୍ଟିଲର ବରିଷ୍ଠ ଅଧିକାରୀ, କର୍ମଚାରୀ ସଂଘର କର୍ମକର୍ତ୍ତା ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ସେତୁ ୬୫ ଫୁଟ୍ ଲମ୍ବ ଓ ୧୪ ଫୁଟ୍ ଓସାରର ହୋଇଥିବାରୁ ଏଥିରେ ହାଲୁକା ଯାନ ଯିବା ଆସିବା କରିପାରିବ,ଯାହାକି ପୂର୍ବରୁ ସମ୍ଭବ ହେଉନଥିଲା । ପୋଲର ନିର୍ମାଣ କାର୍ଯ୍ୟ ତୁରନ୍ତ ପ୍ରଭାବରେ ଆରମ୍ଭ ହେବା ସହିତ ଆଗାମୀ କିଛି ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବ । ଏଠାରେ ସୂଚନାଯୋଗ୍ୟ ଯେ, ଟାଟା ଷ୍ଟିଲର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ୍ ମାଧ୍ୟମରେ କମ୍ପାନୀ ଏହାର କାର୍ଯ୍ୟକ୍ଷେତ୍ର ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ନେବା ସହିତ ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି ବିକାଶ, ଜୀବନଜୀବିକା, ଦକ୍ଷତା ବିକାଶ ଏବଂ ମହିଳା ସଶକ୍ତିକରଣ ଭଳି କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦେଉଛି । ଯେ କୌଣସି ଦେଶର ସାମଗ୍ରିକ ବିକାଶ ପାଇଁ ଭିତ୍ତିଭୂମିର ନିର୍ଣ୍ଣାୟକ ଭୂମିକା ରହିଛି । କମ୍ପାନୀ ପକ୍ଷରୁ ଅତି ନିକଟରେ ସ୍ଥାନୀୟ ଅଞ୍ଚଳରେ ଗୋଷ୍ଠୀ କେନ୍ଦ୍ର, ଗଭୀର ନଳକୂପ, ଯୋଡ଼ା ମହିଳା ମହାବିଦ୍ୟାଳୟର ପାଚେରୀ ନିର୍ମାଣ ଭଳି ବିଭିନ୍ନ ଭିତ୍ତିଭୂମି ବିକାଶ ସମ୍ପର୍କିତ ପଦକ୍ଷେପମାନ ଗ୍ରହଣ କରାଯାଇଛି । ଏହି ପୋଲ ନିର୍ମାଣ ସ୍ଥାନୀୟ ଲୋକଙ୍କ ପାଇଁ ଆଉ ଏକ ଭିତ୍ତିଭୂମି ବିକାଶ ପ୍ରକଳ୍ପ ।