ଯୋଡା – ୧୧/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ବ୍ଲକ ଅନ୍ତର୍ଗତ ଜଜାଙ୍ଗ ପଞ୍ଚାୟତ ଜରୋଳି ଠାରେ ପ୍ରଭୁରଞ୍ଜନ ଶତପଥି ନାମକ ଜଣେ ବ୍ୟକ୍ତି କିଛି ଗୋଚର ଏବଂ ଶ୍ମଶାନ ଜମିକୁ ନିଜ ପଟ୍ଟା ଭୁକ୍ତ ଜମି ସହିତ ମିଶାଇ ପାଚେରି କରିବା ସହ ନିଜ ଅକ୍ତିଆରରେ ରଖିଥିଲେ । ଫଳରେ ଚାରଣ ଭୁମିର ଅଭାବ ଏବଂ ଶବ ଦାହ ନିମନ୍ତେ ଲୋକେ ଅସୁବିଧାର ସମ୍ମୁଖିନ ହେଉଥିଲେ । ଏହି ଜମିକୁ ଉଦ୍ଧାର କରି ସେଠାରେ ଏକ ଶ୍ମଶାନ ପ୍ରତିଷ୍ଠା କରିବା ପାଇଁ ସ୍ଥନୀୟ ଲୋକେ ଦାବି କରିଥିଲେ । ଏହାକୁ ଆଧାର କରି ଜଜାଙ୍ଗ ଗ୍ରାମପଞ୍ଚାୟତର ସରପଞ୍ଚ ରତ୍ନମଣୀ ନାଏକ, ଜୁରୁଡି ଗ୍ରା.ପ. ର ସରପଞ୍ଚ ସୁଜାତା ହେମ୍ବ୍ରମ, ଜରହରି ଗ୍ରା.ପ.ର ସରପଞ୍ଚ ମିତା ମୁଣ୍ଡା, ପି.ଏସ୍. ମେମ୍ବର ପ୍ରଦୀପ କୁମାର ବେହେରା, ଇନ୍ଦ୍ର ପାତ୍ର, ସାବିତ୍ରୀ ମୁଣ୍ଡା ପ୍ରମୁଖ ଯୋଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ଏହାକୁ ଉଚ୍ଛେଦ କରି ଉକ୍ତ ସ୍ଥାନରେ ସରକାରଙ୍କ ପକ୍ଷରୁ ଏକ ଶ୍ମଶାନ ନିର୍ମାଣ ନିମନ୍ତେ ଅନୁରୋଧ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏହାର ସରଜମିନ ତଦନ୍ତ କରି ଜମି ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ଯୋଡା ରାଜସ୍ୱ ନିରୀକ୍ଷକ ଖାତା ନଂ. ୧୬୮ରେ ପ୍ଲଟ ନଂ. ୪୯, ୫୦ ଏବଂ ୫୨, ଖାତା ନଂ. ୧୬୯ରେ ପ୍ଲଟ ନଂ. ୫୧ରେ ମୋଟ ୧ ଏକର ୪୫ ଡିସମିଲ ସରକାରୀ ଗୋଚର ଏବଂ ଜଙ୍ଗଲ ଜମି ଥିବା ଚିହ୍ନଟ କରାଯାଇଛି । ଏହାକୁ ତୁରନ୍ତ ଉଚ୍ଛେଦ କରାଯିବ ବୋଲି ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଏହି ଘଟଣାଟି ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଜମିଟି ଉଦ୍ଧାର ହୋଇପାରିଲେ ଗ୍ରାମବାସୀମାନେ ଉପକୃତ ହେବେ ବୋଲି ଜଣାପଡିଛି ।