Odiapua.com

ଯୋଡା- ଆନ୍ତଃରାଜ୍ୟ ଲୁହା ପଥର ଚୋରା ଚାଲଣ ର‌୍ୟାକେଟ, ୪ ଟ୍ରଲର, ୧ ଲୋଡର, ୧ ବାଇକ ସମେତ ୬ ଗିରଫ

ଯୋଡା,୨୨ା୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ପ୍ରଶାସନ ଡାଳେ ଡାଳେ ଗଲେ ଖଣି ମାଫିଆନେ ପତ୍ରେ ପତ୍ରେ ଯାଉଥିବା ଲକ୍ଷ କରାଯାଇଛି । ପ୍ରଶାସନ ପକ୍ଷରୁ ଯେତେବ ଅଙ୍କୁଶ ଲଗାଗଲେ ମଧ୍ୟ ଖଣି ସମ୍ପଦ ଚୋରା କାରବାର ରୋକାଯାଇପାରିନାହିଁ । ବଡବିଲ ପୁଲିସକୁ ଏ ନେଇ ରବିବାର ଦିନ ଏକ ବଡ ସଫଳତା ମିଳିଛି । ୨୧ ତାରିଖ ବିଳମ୍ବିତ ରାତ୍ରୀରେ ଖଣି ମାଫିଆମାନେ ବଡବିଲ ରେଳ ସାଇଡିଂରେ ପୂର୍ବରୁ ଜବତ ହୋଇ ଗଚ୍ଛିତ ଥିବା ଲୁହାପଥରକୁ ୪ଟି ଟ୍ରଲରରେ ଏକ ଲୋଡର ସାହାଯ୍ୟରେ ବୋଝେଇ କରି ପଡୋଶୀ ଝାରଖଣ୍ଡ ଏବଂ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରିବା ପାଇଁ ଉଦ୍ୟାମ କରୁଥିବା ବେଳେ ବଡବିଲ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଲୁହାପଥର ବୋଝେଇ ୪ଟି ଟ୍ରଲର ନଂ. ଜେଏଚ୍‌୦୨ଏଆର-୩୮୨୮, ଏନ୍‌ଏଲ୦୧ଏନ୍‌-୫୨୨୭, ଏନ୍‌ଏଲ୍ ୦୧ଏଲ୍‌-୫୫୫୧ (ଗୋଟିଏ ନମ୍ବର ଜଣାପଡିନାହିଁ) କୁ ଜବତ କରିବା ସହ ବୋଝେଇରେ ବ୍ୟବହୃତ ଏକ ଲୋଡର ନଂ. ଜେଏଚ୍‌-୦୬ସି-୪୩୫୧ କୁ ମଧ୍ୟ ଜବତ କରିଛି । ଏହି ଘଟଣାରେ ଚୋରା କାରବାରରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ୨ଜଣ ଅଭ୍ୟାସଗତ ଲୁହାପଥର ମାଫିଆ ସେହି ବଡବିଲ ଷ୍ଟେସନ ରୋଡର ଜିତେନ୍ଦ୍ର ଝା ଓ ପି.ଏଚ୍‌.ଡି. ରୋଡର ଏକବାଲ କ୍ୟୁରେସିକୁ ପୁଲିସ ଗିରଫ କରିଛି । ସେମାନେ ବ୍ୟବହାର କରୁଥିବା ବାଇକ ନଂ. ଓଡି୦୯କେ-୩୯୨୫ଟିକୁ ମଧ୍ୟ ପୁଲିସ ଜବତ କରିବାରେ ସଫଳ ହୋଇଛି । ଗିରଫ ଅନ୍ୟ ୪ଜଣ ଏହି ଟ୍ରଲର ଡ୍ରାଇଭର ବୋଲି ଜଣାପଡିଛି । ତେବେ କୌଶଳକ୍ରମେ ଲୋଡର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଏହି ଲୋଡରର ମାଲିକ ଏହାର ମାଷ୍ଟରମାଇଣ୍ଡ ବୋଲି ଚର୍ଚ୍ଚା ହେଉଥିବା ବେଳେ ପୁଲିସ ତାକୁ ଗିରଫ କରିବାରେ ଅସଫଳ ହୋଇଛି । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଜଣାପଡିଛି ଯେ, ଏହି ଲୁହାପଥର ଝାରଖଣ୍ଡ ଏବଂ ପଶ୍ଚିମବଙ୍ଗ ଅଞ୍ଚଳକୁ ଚୋରାଚାଲଣ କରାଯାଉଥିଲା । ଦୀର୍ଘ ଦିନରୁ ଏହି ଅଭିଯୁକ୍ତମାନେ ଜାଲ କାଗଜରପତ୍ର ପ୍ରସ୍ତୁତ କରି ପୁଲିସ ଓ ଖଣି ବିଭାଗ ଆଖିରେ ଧୁଳି ଦେଇ ଲୁହାପଥର ଚୋରାଚାଲାଣ ର‌୍ୟାକେଟ ଚଳାଇଆସୁଥିଲେ । ମୁଖ୍ୟ ଅଭିଯୁକ୍ତ ୨ଜଣଙ୍କ ନାମରେ ଯୋଡା ଓ ବଡବିଲ ଅଞ୍ଚଳରେ ଏକାଧିକ ଲୁହାପଥର ଚୋରାଚାଲାଣର ମାମଲା ରହିଥିଲେ ମଧ୍ୟ ପୁଲିସ ସେମାନଙ୍କ ଉପରେ ଅଙ୍କୁଶ ଲଗାଇବାରେ ଅସଫଳ ହୋଇଥିବା ଜଣାପଡିଛି । ମାଫିଆମାନଙ୍କ ଉପରେ କଠିନ କାର୍ଯାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଏହି ଚୋରାକାରବାରକୁ ରୋକିବା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିବ ବୋଲି ଆଲୋଚନା ହେଉଛି ।