Odiapua.com

ଯୋଡାରେ ବିଜେଡି ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ, ଜିତୁ ସମର୍ଥକଙ୍କୁ ବାରଣ

ଯୋଡା – ୨୯/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ରାଜ୍ୟର ଚାରିଆଡେ ପୌରନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଉଥିବା ପରିଲକ୍ଷିତ କରାଯାଉଛି । ଏହି ପରିପେକ୍ଷୀରେ ଗୁରୁବାର ପୂର୍ବାହ୍ନରେ ଯୋଡା ପୌରାଞ୍ଚଳରସ୍ଥିତ କମାରଯୋଡା ଠାରେ ବିଜେଡିର ଏକ ନୂତନ କାର୍ଯ୍ୟାଳୟ ଶୁଭ ଉଦ୍‌ଘାଟିତ ହୋଇଯାଇଛି । ଏହି ଶୁଭ ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ତାରିଖ ଠାରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ୧ମାସ ଧରି ପାଳନ କରାଯାଉଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ପ୍ରାୟ ୩୫ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିବା ଜଣାପଡିଛି । ନୂତନ କାର୍ଯ୍ୟାଳୟ ଉଦ୍‌ଘାଟନ ଅବସରରେ ପୂଜା ପାଠ ପରେ ଏହାକୁ ଚମ୍ପୁଆ ବିଧାୟୀକା ମୀନାକ୍ଷୀ ମହାନ୍ତ ଫିତା କାଟି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ତାଙ୍କ ସହିତ କେନ୍ଦୁଝର ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ମାଧବ ସର୍ଦାର, ବିଜେଡି ନଗର ସଭାପତି ଚତୁର୍ଭୁଜ ପଲେଇ, ପୂର୍ବତନ ନଗରପାଳ ରବୀନ୍ଦ୍ର କୁମାର ଦାସ, ବରିଷ୍ଠ ବିଜେଡି କର୍ମି ନୀଳମଣି ମହାନ୍ତି, ସଞ୍ଜୟ ଦାସ, ଲୁଲୁ ମହାପାତ୍ର, ବାବୁଲାଲ ସାହୁ, ରବି କିରଣ ସିଂ ପ୍ରମୁଖ ଶତାଧିକ କର୍ମି ବିଭିନ୍ନ ୱାର୍ଡରୁ ଉପସ୍ଥିତ ରହିଥିଲେ । ତୃଣମୂଳ ସ୍ଥରରେ କିଭଳି ଦଳକୁ ଆହୁରୀ ସଂଗଠିତ ଏବଂ ମଜବୁତ କରାଯିବ ସେ ନେଇ ଅତିଥିମାନେ କର୍ମିମାନଙ୍କୁ ତାଙ୍କର ଅଭିଭାଷଣରେ ଉଦ୍‌ବୋଧନ ଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଯୋଗଦେବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଯୋଗଦେଇପାରିନଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ବିଜେଡିର କର୍ମକର୍ତ୍ତା ଜିତୁ ପଟ୍ଟନାୟକ ଏବଂ ତାଙ୍କର ସହଯୋଗୀ ମାନଙ୍କୁ ଦେଖିବାକୁ ମିଳିନଥିଲା । ତେବେ ବିଶେସ ସୂତ୍ରରୁ ଜଣାପଡିଛି ଯେ ଜିତୁ ପଟ୍ଟନାୟକ ଏବଂ ତାଙ୍କର ସହଯୋଗୀମାନଙ୍କୁ ଏହି ଉଦ୍‌ଘାଟନ ଉତ୍ସବକୁ ନିମନ୍ତ୍ରଣ ନକରିବାକୁ ଉପରୁ ନିର୍ଦ୍ଦେଶ ରହିଥିଲା । ଏ ନେଇ ବିଜେଡି ଦଳରେ ଅସନ୍ତୋଷ ଦେଖାଦେଇଥିବା ବେଳେ ନିଜକୁ ବିଜେଡିର ମୁଖ୍ୟ କାର୍ପଟଦାର କହି ବୁଲୁଥିବା କେତେକ କର୍ମକର୍ତ୍ତାଙ୍କୁ ବାରଣ କରାଯିବା ଘଟଣା ଯୋଡାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ସେମାନେ ଏବେ ବିଜେଡି ଦଳର ପ୍ରାଥମିକ ସଦସ୍ୟ ଅଛନ୍ତି କି ନାହିଁ ଏ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।