Odiapua.com

ଯୋଡାରେ କରୋନା ସତର୍କତା

ଯୋଡା, ୧୬ା ୩ (ଓଡିଆ ପୁଅ /ସେକ୍ ଜାବିର ମହମ୍ମଦ) : ଭୁବନେଶ୍ୱରରେ ଏକ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହେବା ପରେ ସମଗ୍ର କେନ୍ଦୁଝର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି । ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇ ସଭାପତି, ଧର୍ମିମ ସମ୍ମିଳନୀ, ଜନସମାବେଶ ଏପରିକି ୫ରୁ ଅଧିକ ଲୋକ ଏକତ୍ରିତ ନହେବା ଉପରେ କଟକଣା ଜାରି କରାଯାଇଛି । ଅତି ଆବଶ୍ୟକ ନପଡିଲେ ଘରୁ ନବାହାରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ଏ ନେଇ ଜିଲ୍ଲାପାଳ ଆଶୀଶ ଠାକ୍‌ରେ ଏକ ଭିଡିଓ ମାଧ୍ୟମରେ ଜିଲ୍ଲାବାସୀଙ୍କୁ ସତର୍କତାର ବାର୍ତ୍ତା ଦେଇଥିବା ବେଳେ ସୋମବାର ଠାରୁ ଏହାକୁ ଗୁରୁତର ସହ ସମଗ୍ର ଜିଲ୍ଲାରେ ନିଆଯାଇଛି । ଏନେଇ ଯୋଡା ପୌରପାଳିକା ପକ୍ଷରୁ ଆଜି ଏକ ଉଚ୍ଚ ସ୍ଥରିୟ ବୈଠକ କରାଯାଇ ସମସ୍ତ ପୌର କର୍ମଚାରୀ, ସ୍ୱଚ୍ଛ ସାଥି, ସୁପରଭାଇଜର, ୧୪ଟି ୱାର୍ଡର ନିୟୋଜିତ ୱାର୍ଡ ଅଫିସର, ଅଙ୍ଗନୱାଡି କର୍ମି, ଆଶା କର୍ମୀମାନଙ୍କୁ ଏହି ବୈଠକରେ କରୋନାର ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯୋଡା ପୌର ନିର୍ବାହୀ ଅଧିକାରୀ ସୂର‌୍ୟ୍ୟମଣୀ ପାଟ୍ଟଯୋଶୀ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ କରାଯାଇ ଆସନ୍ତାକାଲିଠାରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଯୋଡା ଜନସାଧାରଣ ଆତଙ୍କିତ ନହୋଇ ସହଯୋଗ କରିବାକୁ ନିବେଦନ କରାଯିବାର ବ୍ୟବସ୍ଥା କରାଯାଇଛି । ସଚେତନ ମୂଳକ ଭାବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଯୋଡା ସହରର ସମସ୍ତ ସ୍କୁଲ, କଲେଜ ଗୁଡିକୁ ୩୧ ତାରିଖ ପର‌୍ୟ୍ୟନ୍ତ ବନ୍ଦ ରଖାଯାଇଛି । ଏପରିକି ପ୍ରଥମରୁ ନବମ ପର‌୍ୟ୍ୟନ୍ତ ଚାଲିଥିବା ବାର୍ଷିକ ପରୀକ୍ଷା ଅଧାରୁ ଅନିର୍ଦ୍ଧିଷ୍ଟକାଳ ପର‌୍ୟ୍ୟନ୍ତ ବନ୍ଦ ରଖାଯାଇଛି । ଯୋଡାରେ ଦୀର୍ଘ ବର୍ଷରୁ ଚାଲିଆସୁଥିବା ଉତ୍କଳ ଦିବସ, ରାମ ନବମୀ, ଭଲିବଲ ଟୁର୍ଣ୍ଣାମେଣ୍ଟ, ଫୁଟବଲ ଟୁର୍ଣ୍ଣାମେଣ୍ଟ ଭଳି ସାମୁହିକ କାର‌୍ୟ୍ୟକ୍ରମ ଗୁଡିକୁ ବାତିଲ କରିବା ପାଇଁ ପୌରପାଳିକା ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଯୋଡା ସହରରେ ଥିବା ଛୋଟ ବଡ ସପିଂ ମଲ, ସିନେମା ହଲ ଗୁଡିକୁ ବନ୍ଦ କରିବା ପାଇଁ ଲିଖିତ ନିର୍ଦ୍ଦେଶ ଦିଆଯାଇଛି । ଯୋଡା କଲ୍ୟାଣ ମଣ୍ଡପରେ ଥିବା ସମସ୍ତ ବିବାହ ଭୋଜି ଗୁଡିକୁ ବାତିଲ କରାଯାଇଛି । ତେବେ ଯୋଡା ସହରକୁ ଦୈନିକ ହଜାର ହଜାର ସଂଖ୍ୟାରେ ବାହାର ରାଜ୍ୟର ଟ୍ରକ ଲୁହାପଥର ପରିବହନ ନିମନ୍ତେ ଆସୁଥିବା ବେଳେ ଏହି କରୋନା ଭାଇରସ ବ୍ୟାପିବାର ଅଧିକ ସମ୍ଭାବନା ରହିଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ କୌଣସି କଟକଣା ଜାରି କରିନଥିବା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । ଯୋଡା ସହରରେ ଏବେ କୌଣସି ଔଷଧ ଦୋକାନରେ ସାନିଟାଜର କିମ୍ବା ମାସ୍କ ମିଳୁନଥିବା ଜାଣିବାକୁ ମିଳିଛି । ସଂକ୍ରମଣର ତୁରନ୍ତ ମୁକାବିଲା କରିବା ପାଇଁ ଟାଟା ଡାକ୍ତରଖାନାରେ ବ୍ୟବସ୍ଥା କରାଯାଇଥିବା ବେଳେ କମାରଯୋଡାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ପ୍ରକାରର ବ୍ୟବସ୍ଥା କରାଯାଇନଥିବା ଜଣାପଡିଛି । ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି ।