Odiapua.com

ଯୋଡାରେ କରୋନା ନେଲା ଆଉ ଏକ ମୁଣ୍ଡ , ଟାଟା କମ୍ପାନୀରେ କାର୍ଯ୍ୟରତ ଯୁବ ଅଧିକାରୀଙ୍କ ମୃତ୍ୟୁ

ଯୋଡା, ୧୬/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରାଞ୍ଚଳରେ ଟାଟା କମ୍ପାନୀ ଅଧିନରେ କାର୍ଯ୍ୟରତ ୩୦ ବର୍ଷର ଜଣେ ଯୁବ ଅଧିକାରୀଙ୍କ ବୁଧବାର ଦିନ ୧୧ ଘଟିକା ସମୟରେ ଜାମସେଦପୁରସ୍ଥିତ ଟାଟା କମ୍ପାନୀଙ୍କ ମୁଖ୍ୟ ଚିକିତ୍ସାଳୟରେ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ଖବର ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ଗତ ଦୁଇ ଦିନ ତଳେ ତାଙ୍କର ଦେହ ଅସୁସ୍ଥ ହେବାରୁ ଯୋଡାସ୍ଥିତ ଟାଟା ଡାକ୍ତରଖାନାରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ତେବେ ସେ ସଂକ୍ରମିତ ଥିବା ଜଣାପଡିବା ପରେ ତାଙ୍କୁ ତୁରନ୍ତ ଜାମସେଦପୁରସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ବୁଧବାର ଦିନ ତାଙ୍କର ମୃତ୍ୟୁ ଘଟିଛି । ତେବେ ଯୋଡା ପୌରାଞ୍ଚଳରେ କରୋନା ସଂକ୍ରମଣରେ ଏହା ଦ୍ୱିତୀୟ ମୃତ୍ୟୁ ବୋଲି ଜଣାପଡିଛି । କିଛି ଦିନ ପୂର୍ବରୁ ଯୋଡା ଆଜାଦବସ୍ତି ଅଞ୍ଚଳର ଜଣେ କରୋନା ସଂକ୍ରମଣରେ ଭୁବନେଶ୍ୱରସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିବା ଜଣାପଡିଥିଲା ।