Odiapua.com

ଯୋଡା:ଗ୍ରାମାଞ୍ଚଳ କ୍ରୀଡାକୁ ପ୍ରୋତ୍ସାହନ ଦେବା ନିମନ୍ତେ ଫୁଟବଲ ଟୁର୍ଣ୍ଣାମେଣ୍ଟ, ପୀଢପୋଖରୀକୁ ହରାଇ ସାକ୍ରାଡିହୀ ବିଜୟୀ

ଯୋଡା, ୩ା୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଗ୍ରାମାଞ୍ଚଳ କ୍ରୀଡାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଓଡିଶା ଖଣି ନିଗମ (ଓଏମସି) ପକ୍ଷରୁ ଚତୁର୍ଥ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଦୁବୁନା ଖେଳପଡିଆରେ ଆୟୋଜିତ ୨ ଦିବସୀୟ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସ୍ଥାନୀୟ ଦୁବୁନା ଓ ସାକ୍ରାଡିହୀ ଖଣି ପାରିପାଶ୍ୱର୍ିକ ଗ୍ରାମର ମୋଟ ୧୨ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସମସ୍ତ ଲିଗ ମ୍ୟାଚରେ ଭଲ ପ୍ରଦର୍ଶନ କରି ପୀଢପୋଖରୀ ଦଳ ଓ ସାକ୍ରାଡିହୀ ଦଳ ଫାଇନାଲକୁ ଖେଳିବା ନିମନ୍ତେ ଉତ୍ତୀର୍ଣ୍ଣ ହୋଇଥିଲେ । ଉଭୟ ଦଳ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ଖେଳ ଶେଷ ପର୍ଯ୍ୟନ୍ତ କେହି କାହାରିକୁ ଗୋଲ ଦେଇପାରିନଥିବା ବେଳେ ଶେଷରେ ପେନାଲଟି ସଟ୍‌ରେ ସାକ୍ରାଡିହୀ ଦଳ ୧-୦ ଗୋଲରେ ବିଜେତା ହୋଇଥିଲେ । ଏହି ଅବସରରେ ଓଡିଶା ଖଣି ନିଗମ ବଡବିଲ ଆଞ୍ଚଳିକ ଅଧିକାରୀ ଅବନୀକାନ୍ତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡିଜିଏମ ବି.ବି.ମୁର୍ମୁ, ଡିଜିଏମ ଜ୍ଞାନ ମହାପାତ୍ର, ବିରଷ୍ଠ ସିନିୟର ମ୍ୟାନେଜର ହେମନ୍ତ ବେହେରା, ସିଏସଆର ପରାମର୍ଶଦାତା ନୂତନ ରାଉତ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ । ଉପସ୍ଥିତ ଅତିଥିଙ୍କ ଦ୍ୱାରା ବିଜେତା ଦଳ ସାକ୍ରାଡିହୀ ଓ ରନର୍ସ ଅପ ଦଳ ପୀଢପୋଖରୀ ଦଳକୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଆୟୋଜିତ ଏହି ଟୁର୍ଣ୍ଣମେଣ୍ଟରେ ୪ ଜଣ ରାଜ୍ୟସ୍ତରୀୟ ରେଫରୀ ଯୋଗଦେଇଥିଲେ । ଦୁଇଦିନ ଧରି ଆୟୋଜିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥାନୀୟ ଲୋକେ ଭରପୁର ଉପଭୋଗ କରିଥିବା ବେଳେ ଖଣି ପାରିପାଶ୍ୱର୍ିକ ଗ୍ରାମରେ ରହୁଥିବା ଯୁବକମାନଙ୍କ ମଧ୍ୟରେ ଗ୍ରାମୀଣ କ୍ରୀଡାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡିଶା ଖଣି ନିଗମ ପକ୍ଷରୁ ବିଗତ ୪ ବର୍ଷ ଧରି ଏହିପରି ଟୁର୍ଣ୍ଣାମେଣ୍ଟ ଆୟୋଜିତ କରାଯାଉଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଏହି ଖେଳକୁ ଉପଭୋଗ କରିବା ପାଇଁ ଆଖପାଖ ଗ୍ରାମର ଶହ ଶହ ଲୋକ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଛି ।