ବେକାରୀ ଓ ଦାରିଦ୍ର୍ୟ ସମସ୍ୟାକୁ ଦୂରୀକରଣ କରିବା ପାଇଁ ଆତ୍ମନିଯୁକ୍ତିକୁ ଗୁରୁତ୍ୱ ଦିଆଯାଇଥାଏ। ସବୁ ଲୋକଙ୍କ ପାଖରେ ଆତ୍ମନିଯୁକ୍ତି ପନ୍ଥାକୁ ଅବଲମ୍ବନ କରିବା ସମ୍ଭବ ନୁହେଁ କାରଣ ଆତ୍ମନିର୍ଭର ହେବାକୁ ଇଚ୍ଛା ଥିଲେ ମଧ୍ୟ ସମସ୍ତଙ୍କ ପାଖରେ ଆର୍ଥିକ ସମ୍ବଳ ଓ ବୈଷୟିକ ଜ୍ଞାନ ନାହିଁ। ତେଣୁ ବିଭିନ୍ନ ପ୍ରକାର ସମୟୋପଯୋଗୀ ଯୋଜନା ଅନେକ କ୍ଷେତ୍ରରେ ଆତ୍ମନିଯୁକ୍ତିକୁ ପ୍ରୋତ୍ସାହନ ଯୋଗାଇଥାଏ। ଯୋଜନା ଗୁଡିକ ସେତେବେଳେ ସଫଳ ହୋଇଥାଏ, ଯେତେବେଳେ ଯୋଜନାଟି ଉଦ୍ଧିଷ୍ଟ ବର୍ଗଙ୍କ ପାଖରେ ପହଞ୍ଚିଥାଏ ଏବଂ ଯୋଜନା ମାଧ୍ୟମରେ ହିତାଧିକାରୀଙ୍କ ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଯୋଜନାଟିର ସଫଳତା ଓ ବିଫଳତା ବିଷୟରେ ସାଧାରଣରେ ବିଭିନ୍ନ ପ୍ରକାର ଆଲୋଚନା ହୋଇଥାଏ, ଯେମିତିକି ଆବଶ୍ୟକ ଅନୁସାରେ ଯୋଜନାଟି ପ୍ରସ୍ତୁତ ହୋଇଛି କି ନାହିଁ ? ପ୍ରସ୍ତୁତି ଓ କାର୍ଯ୍ୟକାରିତା କ୍ଷେତ୍ରରେ ଅସଙ୍ଗତି ରହିଯାଇଛି କି ? ଏହା ବାସ୍ତବ କ୍ଷେତ୍ରରେ ଉତ୍ପାଦନ, ଆୟ ଓ ଆତ୍ମନିଯୁକ୍ତି ବଢ଼ାଇବାରେ ସହାୟକ ହୋଇପାରିବ କି ? ପ୍ରକୃତ ହିତାଧିକାରୀଙ୍କ ପାଖରେ ଯୋଜନାଟି ପହଞ୍ଚି ପାରିଛି କି ନାହିଁ ? ହିତାଧିକାରୀ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି କି ? ଅନେକ ବୁଦ୍ଧିଜୀବୀ ମାନଙ୍କର ଗୋଟିଏ ମତ ଯେ ଗ୍ରାମର ଉନ୍ନତି ବିନା ଦେଶର ଉନ୍ନତି ଅସମ୍ଭବ ତେଣୁ ଯୋଜନା ଗୁଡିକକୁ ଗ୍ରାମାଞ୍ଚଳ ତଥା ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ବ୍ୟବସ୍ତା କରାଯାଇଛି ତ ? ଯଦି ସବୁ ଦୃଷ୍ଟିକୋଣରୁ ନୀତି ନିୟମ ଅନୁଯାଇ କାର୍ଯ୍ୟକାରୀ କରାଯାଇଛି ତେବେ ଆତ୍ମନିଯୁକ୍ତି କ୍ଷେତ୍ରରେ ଏହାର ପ୍ରଭାବ ପଡିଥାଏ ଓ ଏହାକୁ ଏକ ସଫଳ ଯୋଜନା ବୋଲି ବିଚାର କରାଯାଇଥାଏ।
ଯୋଜନା ଗୁଡିକ ସଫଳତାର ଶୀର୍ଷରେ ପହଞ୍ଚାଇବାକୁ ହେଲେ ପ୍ରତିଟି ପର୍ଯ୍ୟାୟରେ ଉଚିତ ପଦକ୍ଷେପ ନେବାକୁ ପଡିଥାଏ। ଯୋଜନା ପ୍ରସ୍ତୁତି ପୂର୍ବର ପଦକ୍ଷେପ, କାର୍ୟ୍ୟକାରୀ ସମୟର ପଦକ୍ଷେପ ଓ ପରବର୍ତ୍ତୀ ପଦକ୍ଷେପ ଗୁଡିକ ସୁଚାରୁ ରୂପେ ସମ୍ପାଦନ କରାଯାଇଥାଏ। ଯୋଜନାଟିର ପ୍ରସ୍ତୁତି ସମୟରୁ କାର୍ଯ୍ୟକାରୀ ପର୍ଯ୍ୟନ୍ତ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦିଆଯାଇଥାଏ। ପ୍ରଥମେ ଯୋଜନା କାର୍ଯ୍ୟକାରୀ ହେବାକୁ ଥିବା ଅଞ୍ଚଳ ଏବଂ ସେଠାକାର ବ୍ୟବସାୟ, ରୋଜଗାର, ତାଙ୍କର ଯାନ୍ତ୍ରିକ ଜ୍ଞାନକୌଶଳ, ସେଠାରେ ଉପଲବ୍ଧ ସୁବିଧା ଓ ଅସୁବିଧା ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଥାଏ। ପରବର୍ତ୍ତୀ ସମୟରେ ଏକତ୍ରିତ ହୋଇଥିବା ତଥ୍ୟାବଳୀକୁ ତର୍ଜମା କରି ଅନେକ ଗୁଡିଏ ସମସ୍ୟା ମଧ୍ୟରୁ ଅତ୍ୟନ୍ତ ଜରୁରୀ ସମସ୍ୟାକୁ ହିଁ ପ୍ରାଧାନ୍ୟ ଦିଆଯାଇଥାଏ। ଏହାପରେ ଯୋଜନାର ଲକ୍ଷ୍ୟ ନିର୍ଣ୍ଣୟ କରିବାକୁ ପଡିଥାଏ। ଲକ୍ଷ୍ୟ ସବୁବେଳେ ଆଞ୍ଚଳିକ ବାସିନ୍ଦାଙ୍କ ଆବଶ୍ୟକତାକୁ ପୂରଣ କରିବା ଭଳି ପ୍ରସ୍ତୁତ କରିବା ଦରକାର। ଲକ୍ଷ୍ୟ ସର୍ବଦା ନିର୍ଦ୍ଧିଷ୍ଟ ଓ ସମ୍ଭାବନା ମୁକ୍ତ ହେବା ଆବଶ୍ୟକ। ଲକ୍ଷ୍ୟ ନିର୍ଣ୍ଣୟ ପାଇଁ ପୂର୍ବରୁ ତର୍ଜମା ହୋଇଥିବା ତଥ୍ୟ ଗୁଡିକର ପୁନର୍ବାର ଆକଳନ କରାଯାଇଥାଏ। ଏଥିରେ ଆଞ୍ଚଳିକ ସମ୍ପଦ ଓ ସୁବିଧାକୁ ବିନିଯୋଗ କରି କ’ଣ କରାଯାଇ ପାରିବ ? କେଉଁ ପଦ୍ଧତି ଆଞ୍ଚଳିକ ବାସିନ୍ଦାଙ୍କ ଗ୍ରହଣଯୋଗ୍ୟ ହୋଇପାରିବ ? କେଉଁମାନେ ଏହି ଯୋଜନାରେ ଅଂଶ ଗ୍ରହଣ କରିବେ ? ମହିଳାମାନେ କିଭଳି ଏହି ଯୋଜନାରୁ ଉପକୃତ ହୋଇ ପାରିବେ ? ଏହାପରେ ଉକ୍ତ ଯୋଜନାର କାର୍ୟ୍ୟସୂଚୀ ପ୍ରସ୍ତୁତ କରାଯାଏ। ଯେଉଁଥିରେ ପ୍ରତ୍ୟେକଟି କାର୍ୟ୍ୟକ୍ରମର ଦିନ, ସମୟ ଓ ସ୍ଥାନ ନିର୍ଧାରଣ କରାଯାଇଥାଏ। ଏଥିରେ ମଧ୍ୟ ନିର୍ଦ୍ଧିଷ୍ଟ ରହିବ ଯେ କିଏ କେଉଁ କାମ କରିବେ ? କେଉଁ ସଂସ୍ଥା ଏହା ଅନ୍ତର୍ଭୁକ୍ତ ହେବ ? କ’ଣ ବଜେଟ ରହିବ ? କିପରି ମାର୍କେଟ ଚାହିଦା ପୁରଣ କରାଯାଇ ପାରିବ ? କିଭଳି ଉପଯୁକ୍ତ ତାଲିମ ଦିଆଯାଇ ପାରିବ ? ପ୍ରକଳ୍ପଟି ଆରମ୍ଭ ହେବା ପରେ ପ୍ରତିଟି କାମର ସଠିକ ତଦାରଖ କରାଯାଇଥାଏ। ହିତାଧିକାରୀଙ୍କୁ ତାଲିମ ଦେବା, ତାଙ୍କ ସହ ଯୋଗାଯୋଗ କରିବା, ଯୋଜନା କାର୍ୟ୍ୟକାରୀ ହୋଇଥିବା ଅଞ୍ଚଳର ପରିଦର୍ଶନ କରିବା। ଏହି ସମୟରେ ସମ୍ପ୍ରସାରଣ ସେବାକୁ ତ୍ୱରାନ୍ୱିତ କରାଯାଇଥାଏ। ପ୍ରକଳ୍ପଟି ସରିବା ପରେ ଯୋଜନାର କାର୍ୟ୍ୟକାରିତାକୁ ଆକଳନ କରାଯାଇଥାଏ। ଆକଳନ କରିବାର ଅର୍ଥ ହେଉଛି, କେତେ ପରିମାଣରେ ଯୋଜନାଟି ନିଜର ପୂର୍ଵନିର୍ଦ୍ଧିଷ୍ଟ ଲକ୍ଷ୍ୟ ସାଧନ କରିପାରିଛି। ପରିଶେଷରେ ଯୋଜନା ସମ୍ପର୍କିତ କିଛି ମତାମତ ଓ ପ୍ରତିକ୍ରିୟା ସଂଗ୍ରହ କରାଯାଇଥାଏ।
କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର କ’ଣ ପ୍ରଭାବ ରହିଛି ଓ ଏହା କେତେ ପରିମାଣର ସଫଳତା ଲାଭ କରିଛି ତାହା ଜାଣିବା ଆବଶ୍ୟକ। ହିତାଧିକାରୀ ମାନେ ଯେଉଁ ସହାୟତା ଓ ରିହାତି ପାଇ ନିଜର ପ୍ରକଳ୍ପ ଆରମ୍ଭ କରିଥିଲେ ତାହା କିଛ ସମୟ ଭିତରେ ସୀମିତ ହୋଇ ରହିଯାଇଛି ନା ସେମାନେ ସେହି କାର୍ଯ୍ୟକୁ ଜାରି ରଖି ନିଜର ଜୀବିକା ନିର୍ବାହ କରୁଛନ୍ତି ? ଯଦି କୌଣସି ହିତାଧିକାରୀ ସେହି କାର୍ଯ୍ୟକୁ ଆଉ କରୁ ନାହାନ୍ତି ତେବେ ସେ ପୁଣି ବେକାରୀ ସଂଖ୍ୟାରେ ଅଛନ୍ତି ନା ଆଉ କୌଣସି କାର୍ଯ୍ୟପନ୍ଥା ଅବଲମ୍ବନ କରୁଛନ୍ତି ? ଯଦି ସେ ପ୍ରକଳ୍ପଟି ବନ୍ଦ କରିଦେଇଛନ୍ତି ତେବେ ଏହା ପଛର କାରଣ କ’ଣ ? ହିତାଧିକାରୀଙ୍କ ଆର୍ଥିକ ଅବସ୍ଥାକୁ ଆକଳନ କରି ସେମାନଙ୍କର ଆବେଦନ ଫର୍ମରେ ଦିଆଯାଇଥିବା ତଥ୍ୟ ସହିତ ତୁଳନା କରାଯିବା ଆବଶ୍ୟକ। ପ୍ରକଳ୍ପକୁ ଜାରି ରଖି ଜୀବିକା ନିର୍ବାହ କରୁଥିବା ଲୋକମାନଙ୍କ ପରିବାରର ଆର୍ଥିକ, ସାମଜିକ ସ୍ଥିତି କେତେ ପରିବର୍ତ୍ତନ ହୋଇଛି ତାହାର ଅନୁଧ୍ୟାନ କରିବାର ଆବଶ୍ୟକତା ଅଛି। ଏମିତି କେତେ ଗୁଡିଏ ତଥ୍ୟ ଯଦି ସଂଗ୍ରହ କରି ତାହାକୁ ବିଶ୍ଲେଷଣ କରିବା ପାଇଁ ପଦକ୍ଷେପ ନିଆଯାଇପାରନ୍ତା, ତାହେଲେ ଯୋଜନା ଗୁଡିକ କେତେ ଦୂର ସଫଳତା ପାଇଛି ତାହାର ସଠିକ ସୂଚନା ମିଳିପାରନ୍ତା ଓ ଭବିଷ୍ୟତରେ ହେବାକୁ ଥିବା ଯୋଜନା ଗୁଡିକର ରୂପରେଖ ପ୍ରସ୍ତୁତ କରିବାରେ ଏହା ସହାୟକ ହୋଇପାରନ୍ତା। ଯୋଜନଟିର ସଫଳତା ଅନେକାଂଶରେ ହିତାଧିକାରୀଙ୍କ ଉପରେ ନିର୍ଭର କରିଥାଏ, ଯେମିତିକି ଯୋଜନାଟିକୁ ଭଲ ଭାବରେ ବୁଝିବା ଆବଶ୍ୟକ, କେଉଁ ଯୋଜନାଟି ତାଙ୍କ ପାଇଁ ଉପଯୁକ୍ତ ସାବ୍ୟସ୍ତ ହୋଇପାରିବ, ଆର୍ଥିକ ସହାୟତା ଦେଇଥିବା ସଂସ୍ଥା ସହିତ ଯୋଗାଯୋଗ ରକ୍ଷା କରିବା, ପ୍ରକଳ୍ପର ରାଶିକୁ ଅନ୍ୟ କାର୍ଯ୍ୟରେ ବିନିଯୋଗ ନକରିବା, ଉପଯୁକ୍ତ ସମୟରେ ତାଲିମ ଗ୍ରହଣ କରିବା ଓ ବୈଷୟିକ ପରାମର୍ଶ ଗ୍ରହଣ କରିବା। ଲୋକ ମାନଙ୍କର ଅର୍ଥନୈତିକ ଓ ସାମାଜିକ ଉର୍ନ୍ନତି ପାଇଁ ଯୋଜନା ଗୁଡି଼କ ପ୍ରଣୟନ କରାଯାଇଥାଏ। ତେଣୁ ଲୋକମାନେ ସଚେତନ ହେବା ସହିତ ଠିକ୍ ଭାବରେ ସହାୟତା ରାଶିକୁ ବିନିଯୋଗ କଲେ ସଫଳତା ମିଳିଥାଏ।
ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡା