Odiapua.com

ଯୋଗାଣ ବିଭାଗରେ ବଡ ଘୋଟାଲା ୬ କର୍ମଚାରୀ ନିଲମ୍ବିତ

ନୟାଗଡ/୧୫/୧୧(ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ନୟାଗଡ ଜିଲ୍ଲା ଯୋଗଣ ବିଭାଗ କାର୍ଯ୍ୟାଳୟରେ ବଡ ଘୋଟାଲାର ପର୍ଦ୍ଦାଫାସ ହୋଇଛି। ହିତାଧିକାରୀମାନଙ୍କୁ ନିମ୍ନ ମାନର ଚାଉଳ ଯୋଗାଣ କରି ଓ ମିଲର ଙ୍କ ସହ ମଧୁ ଚନ୍ଦ୍ରିକା ଯୋଗୁଁ ଯୋଗାଣ ବିଭାଗର ୬ ଜଣ କର୍ମଚାରୀ ନିଲମ୍ବନ ହୋଇଥିବା ଜଣା ପଡିଛି। ରାଜ୍ୟ ଯୋଗାଣ ସଚିବ ନିଲମ୍ବନ କରିଛନ୍ତି। ନିଲମ୍ବିତ ମାନେ ହେଲେ ଜିଲ୍ଲା ଯୋଗାଣ ଅଧିକାରୀ ବିକ୍ରମ ମାଝୀ, ସହକାରୀ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, ସଂଗ୍ରାହକ ଅଧିକ୍ଷକ ସଂଜୀବ ସାହୁ, ମାନ ନିର୍ଦ୍ଧାରକ ଜୟଶ୍ରୀ ମୁନି, ଡାଟା ଏଣ୍ଟ୍ରି ଅପରେଟର ସୁଧାକର ଦଳ ବେହେରା ଓ ରୋଜାଲିନ ସେଠୀ। ଅଭିଯୋଗ ହେଉଛି ମିଲର ମାନଙ୍କୁ ଅନୁକମ୍ପା ଦେଖାଇ ନିମ୍ନ ମାନର ଚାଉଳ ସଂଗ୍ରହ କରି ମିଲର ମାନଙ୍କ ଗାଡିରେ ହିତାଧିକାରୀ ମାନଙ୍କୁ ଯୋଗାଣ କରିବା ଘଟଣା। ଯୋଗାଣ ସଚିବଙ୍କ ସହ କର୍ପୋରେସନ ଏମ୍‌.ଡି ତଦାରଖ ପାଇଁ ନୟାଗଡ ଆସିଥିଲେ। ଗତ ୨ ତାରିଖ ଦିନ ଏହି ତଦାରଖ ହୋଇଥିଲା। ଗୋଦାମରେ ଯାଂଚ ବେଳେ ନିମ୍ନ ମାନର ଚାଉଳ ଥିଲା ବୋଲି ଜାଣିବାକୁ ପାଇଥିଲେ। ଜିଲ୍ଲାର ହଜାର ହଜାର ହିତାଧିକାରୀ ମାନଙ୍କୁ ଆଗୁଆ ୨ ମାସର ଚାଉଳ ବଣ୍ଟନ କରାଯାଇଥିବା ଦ୍ୱାରା ବଡ ଧରଣର ଦୁର୍ନୀତି ହୋଇଥିବା ଜଣା ପଡିଛି। ଏବଂ ଗାଁ ଗାଁ କୁ ଯାଇ ହିତାଧିକାରୀ ମାନଙ୍କ ଠାରୁ ବଣ୍ଟା ଯାଇଥିବା ଚାଉଳକୁ ମଧ୍ୟ ଯାଂଚ କରିଥିଲେ। ପୁଣି ଏକ ଟିମ୍ ନୟାଗଡ ଯୋଗାଣ ବିଭାଗକୁ ଆସି ତଦନ୍ତ କରିବା କାର୍ଯ୍ୟକ୍ରମ ରହିଥିବା ଜାଣିବାକୁ ମିଳିଛି।