Odiapua.com

ଯୁବ କଂଗ୍ରେସ ପକ୍ଷରୁ ନୂତନ କୃଷିନୀତିକୁ ବିରୋଧ

ବାଲେଶ୍ୱର, ୨୫-୯ (ଓଡ଼ିଆ ପୁଅ/ଅଭୟ ଦାସ): ଚଳିତ ସଂସଦ ଅଧିବେଶନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ ହୋଇଥିବା କୃଷି ସଂଶୋଧନ ବିଧେୟକକୁ ନେଇ ସମଗ୍ର ଦେଶରେ ବିରୋଧର ସ୍ୱର ଉଠିଥିବା ବେଳେ ବାଲେଶ୍ୱରରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତିକୁ ବିରୋଧ କରି ସ୍ଥାନୀୟ ସିନେମାଛକଠାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଗୁରୁବାରଦିନ ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଂଜନ କୁମାର ଦାସଙ୍କ ନେତୃତ୍ୱରେ ବହୁ ଯୁବକର୍ମୀ ଓ ଛାତ୍ରନେତା କେନ୍ଦ୍ର ସରକାର ବିରୋଧୀ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଭାରତ ଭଳି କୃଷି ପ୍ରଧାନ ଦେଶରେ କୃଷି ଓ କୃଷକଙ୍କ ବିକାଶ ପ୍ରତି ଉଦାସୀନ କେନ୍ଦ୍ର ସରକାର ଶେଷରେ ପୁଞ୍ଜିପତିଙ୍କ ସ୍ୱାର୍ଥରକ୍ଷାକୁଅଧିକ ଗୁରୁତ୍ୱ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଯୁବ କଂଗ୍ରେସ ନେତାମାନେ କହିଛନ୍ତି। ସଂଶୋଧିତ କୃଷି ବିଲ୍ ଦ୍ୱାରା ଦେଶର କୃଷି ଓ କୃଷକଙ୍କ ଭାଗ୍ୟକୁ ସରକାର ପୁଞ୍ଜିପତିଙ୍କ ହାତକୁ ଟେକି ଦେଇଛନ୍ତି। ଫଳରେ ଆଗାମୀ ଦିନରେ ଦେଶର ଚାଷୀମୃତ୍ୟୁ ଆହୁରି ତୀବ୍ର ହେବ ବୋଲି ସେମାନେ କହିଛନ୍ତି। ସରକାର ତୁରନ୍ତ ଏହାକୁ ପ୍ରତ୍ୟାହାର ନ କଲେ ଯୁବ କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ ଅଧିକ ତେଜିାନ କରିବ ବୋଲି ଯୁବ କଂଗ୍ରେସ କମିଟି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି।