Odiapua.com

ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ ପ୍ରସଙ୍ଗରେ ଏସ୍‌ପି ଅଫିସ୍ ଘେରିଲା ବିଜେପି

ଭଦ୍ରକ, ୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଭୁବନେଶ୍ୱର ଠାରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ପୁଲିସ୍‌ର ଅତିରିକ୍ତ ଓ ମରଣାନ୍ତକ ଆକ୍ରମଣ ପ୍ରସଙ୍ଗରେ ପ୍ରତିବାଦ କରି ବିଜେପି ଭଦ୍ରକ ଜିଲା ଶାଖା ପକ୍ଷରୁ ଆଜି ସ୍ଥାନୀୟ ପୁଲିସ୍ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପ୍ରତିବାଦରେ ବିଧାନସଭା ଘେରାଉ ପାଇଁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପୂର୍ବ ସୂଚନା ଦିଆଯାଇଥିବାବେଳେ ଶୋଭାଯାତ୍ରା ଚାଲିଥିବା ସମୟରେ ଯୋଜନା ମୁତାବକ ଅତର୍କିତ ଭାବରେ ସାଧା ପୋଷାକଧାରୀ ପୁଲିସ୍ ଓ ଶାସକ ଦଳର ଗୁଣ୍ଡାମାନଙ୍କ ଆକ୍ରମଣରେ ଶତାଧିକ ପୁରୁଷ ଓ ମହିଳା କାର୍ଯ୍ୟକର୍ତ୍ତା ଗୁରୁତର ଆଘାତ ପାଇବା ସହ କେତେକ ମହିଳା କାର୍ଯ୍ୟକର୍ତ୍ତା ଅସଦାଚରଣର ଶୀକାର ହୋଇଛନ୍ତି। ତେଣୁ ପୁଲିସ୍ ମହାନିର୍ଦ୍ଦେଶକ, ଭୁବନେଶ୍ୱର ଓ କଟକ ପୁଲିସ୍ କମିଶନର ଓ ଭୁବନେଶ୍ୱର ଡିସିପି ଘଟଣାର ତଦନ୍ତ ନିରପେକ୍ଷ ଭାବେ ନକରି ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପୁଲିସ୍‌ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ସୃଷ୍ଟି କରିଛି ବୋଲି ଦର୍ଶାଇ ସେମାନଙ୍କ ବିରୋଧରେ ଆଇନଗତ ମାମଲା ରୁଜୁ ପାଇଁ ଗତକାଲି ଜିାର ବିଭିନ୍ନ ଥାନାରେ ଏତଲା ଦିଆଯାଇଥିବାରୁ ପୁଲିସ୍ ଅଧୀକ୍ଷକ ଏଥିନେଇ ପଦକ୍ଷେପ ନେବାକୁ ଦଳ ପକ୍ଷରୁ ଦାବି କରାଯାଇ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଦଳର ଜିଲା ସଭାପତି ହେମନ୍ତ କୁମାର ପାଢୀ, ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦୀପ ନାୟକ, ବଦ୍ରୀ ନାରାୟଣ ଧଳ, ଜଗନ୍ନାଥ ଦାସ, ଜିଲା ପଦାଧିକାରୀ ଶ୍ରୀହର୍ଷ ସ୍ୱାଇଁ, ଅଶୋକ ପରିଜା, ତପସ୍ୱିନୀ ମହାପାତ୍ର, ମହିଳା ମୋର୍ଚ୍ଚା ସଭାନେତ୍ରୀ, କଳ୍ପନା ଜେନା, ଯୁବମୋର୍ଚ୍ଚା ସଭାପତି ଦେବାଂଶୁ ରାଉତ, ଶଶାଙ୍କ ମିଶ୍ର ପ୍ରମୁଖଙ୍କ ସମେତ ଦଳର ବହୁ କାର୍ଯ୍ୟକର୍ତ୍ତା ଦଳୀୟ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ଯାଇ ପୁଲିସ୍ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ପ୍ରତିବାଦ ସଭା କରିଥିବାବେଳେ ପୁଲିସ୍ ଅଧୀକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।