ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଭାଟପଡ଼ା ପଂଚାୟତ ଅଧୀନ ମିର୍ଜାପୁର ପାତ୍ରସାହି ଗ୍ରାମରୁ ଭରତ ଚନ୍ଦ୍ର ଦାସ (୩୨)ନାମକ ଜଣେ ଯୁବକର ମୃତଦେହ ଶୁକ୍ରବାର ପୋଲିସ ଜବତ କରିଥିଲା । ଏହି ସନ୍ଦେହ ଜନକ ମୃତ୍ୟୁ ଘଟଣା ଏବେ ଭିନ୍ନମୋଡ ନେଇଥିବା ଜଣାଯାଇଛି। ତାଳପଦା ଗ୍ରାମର ଭରତଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ମା ଲଷ୍ମୀପ୍ରିୟା ଦାସ ଶୁକ୍ରବାର ରାତିରେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରୁଥିଲେ। ପୋଲିସ ଏହି ଘଟଣାରେ ୩୨୭/୨୬ ଦଫା ୧୦୩(୧)ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି। ତେବେ ଶନିବାର ଭଦ୍ରକରୁ ସାଇଂଟିଫିକ ଟିମ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ କରିଫେରି ଯାଇଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ଯେ , ଭରତ ତିହିଡି଼ରେ କେବୁଲ କାର୍ଯ୍ୟରେ ନିୟୋଜିତରହି ପାତ୍ରସାହିରେ ଏକ ଘରଭଡ଼ା ନେଇ ରହୁଥିଲେ । ତେବେ କୌଣସି ସୁତ୍ରରୁ ଭରତଙ୍କ ମୃତ୍ୟୁ ଖବର ପାଇ ପୋଲିସ ଶୁକ୍ରବାର ଅପରାହ୍ନରେ ଘଟଣାସ୍ଥଳରେ ପହଂଚି ଯୁବକଙ୍କ ମୃତଦେହକୁ ଜବତ କରିଥିଲା । ଯୁବକଙ୍କ ବେକରେ ଚିହ୍ନ ରହିଥିବାବେଳେ ତାଙ୍କ ମୃତଦେହ ଦ୍ୱାରର କବାଟ ସେପାଖରେ ତଳେ ପଡ଼ିଥିଲା । ଏହି ଘଟଣାରୁ ଯୁବକଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା । ଆଇଆଇସି ଲୋପାମୁଦ୍ରା ନାୟକଙ୍କ ନିର୍ଦ୍ଦେଶ କ୍ରମେ ସେହି ଘରକୁ ସିଲ କରି ଦିଆଯାଇଥିଲା । ଶନିବାର ଭରତଙ୍କ ମୃତଦେହକୁ ବ୍ୟବଚ୍ଛେଦପାଇଁ ପଠାଯାଇଛି । ଚାନ୍ଦବାଲି ଏସଡ଼ିପିଓ ପ୍ରଭାସ ଚନ୍ଦ୍ର ସାହୁ ଘଟଣାର ଅନୁଧ୍ୟାନ କରିଥିବାବେଳେ ଆଇଆଇସି ନାୟକଙ୍କ ନିର୍ଦ୍ଦେଶରେ ଏସଆଇ ଦୀପ୍ତିମଞ୍ଜରୀ ବଡ଼ଜେନା ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।