Odiapua.com

ଯୁବକଙ୍କୁ ଅପହରଣ ପରେ ମୁଣ୍ଡ ଜାମିନୀ, ୩ ଗିରଫ

ନୟାଗଡ଼, ୧୭ା୫ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ସହର ମଝିରୁ ଜଣେ ଯୁବକଙ୍କୁ ଅପହରଣ ପରେ ମୁଣ୍ଡ ଜାମିନୀ ରଖି ଅପହରଣକାରୀମାନେ ଟଙ୍କା ମାଗିବା ଭଳି ଘଟଣା ଘଟିଛି। ପୁଲିସ ଏହି ଘଟଣାରେ ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଇଟାମାଟିର ବାପିନା ପ୍ରଧାନ, ଘଡ଼ୁଆଳର ପ୍ରିୟବ୍ରତ ବରାଡ଼ ଏବଂ ରଣପୁର ଭଣ୍ଡାରିସାହିର ରାକେଶ ବାରିକ। ରଣପୁର ମାଣିକସାହିର ଦିପକ କୁମାର ମହାନ୍ତି ସ୍ଥାନୀୟ ଏକ ଚାଉଳ ଗୋଦାମରେ ଲେବର ସୁପରଭାଇଜର ଭାବେ କାମ କରନ୍ତି। କିଛିଦିନ ତଳେ ସେଠାରେ ନୟାଗଡ଼ର କିଛି ଯୁବକଙ୍କ ସହ ଦିପକଙ୍କର ଗଣ୍ଡଗୋଳ ହୋଇଥିଲା। ଗତକାଲି ଦିପକ ମାଲିକଙ୍କ ନୟାଗଡ଼ରେ ଥିବା ମଦ ଦୋକାନକୁ କୈାଣସି କାମରେ ଆସିଥିବା ବେଳେ ତାଙ୍କୁ ୫ରୁ ୭ ଜଣ ଯୁବକ ମିଶି ଅପହରଣ କରିଥିଲେ। ମୁଣ୍ଡ ଜାମିନୀ ରଖି ୩୦ ହଜାର ଟଙ୍କା ଦାବି କରିଥିଲେ। ଦିପକଙ୍କ ମାଆ ସୌଦାମିନି ମହାନ୍ତି ଟାଉନଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ପଦକ୍ଷେପ ଗ୍ରହଣ କରିଥିଲା। ପୁଲିସ ଧରିବା ସହ ଅପହୃତ ଦିପକଙ୍କୁ ଉଦ୍ଧାର କରିଥିଲା। ଦିପକଙ୍କୁ ପ୍ରବଳ ମାଡ଼ ମରାଯାଇଥିବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇ ଭୋର ସମୟରେ ପରିବାର ହେପାଜତରେ ଛଡ଼ା ଯାଇଥିବା ସୂଚନା ମିଳିଛି। ଗିରଫ ଅଭିଯୁକ୍ତଙ୍କଠାରୁ ୩ଟି ବାଇକ, ୩ଟି ମୋବାଇଲ ଏବଂ ୩୦ ହଜାର ଟଙ୍କା ଜବତ କରାଯାଇଥିବା ଜଣାଯାଇଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।