Odiapua.com

ଯୁବକକୁ ମରଣାନ୍ତକ ଆକ୍ରମଣ

ଦେବଗଡ଼, ୧୯/୪ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ କିଛି ଯୁବକ ଆକ୍ରମଣ କରିଥିବା ଜଣାପଡ଼ିଛି। ଏ ନେଇ ଆଜି ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଉକ୍ତ ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ଼ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଶନିବ‌ାର ଦିନ ରାତିରେ ପୌରାଚଂଳର ପ୍ରଧାନପାଟ ରୋଡ଼ କଡରେ ଏକ ଯୁବକ କ୍ଷତାକ୍ତ ହୋଇ ପଡିଥିବା ପୁଲିସକୁ ସୂଚନା ମିଳିଥିଲା। ସୂଚନା ପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକକୁ ଉଦ୍ଧାର କରି ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଆହ‌ାତ ଯୁବକ ଜଣକ ପୌରାଚଂଳର ବାବୁସାହି ଅଞ୍ଚଳର ପ୍ରତାପ ସିଂଙ୍କ ପୁଅ ଗୋବିନ୍ଦ ସିଂ(୨୨)।ପରେ ପୁଲିସ ଠାରୁ ସୂଚନା ପାଇ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚି ଗୁରତର ଯୁବକ ଗୋବିନ୍ଦ ଠାରୁ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଗୁତର ଗୋବିନ୍ଦଙ୍କ ବାପା ପ୍ରତାପ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପତ୍ରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ପୁଅକୁ ମହୁଲଢିପା ଅଞ୍ଚଳର ଯୁବକ ଫୋନ କରି ଘଟଣାସ୍ଥଳକୁ ଡାକିଥିଲା। ସେଠାରେ ପୂର୍ବରୁ ଛକି ରହିଥିବା କିଛି ଯୁବକ ଅଚାନକ ଏକ ଠେଙ୍ଗା ସାହାଯ୍ୟରେ ଗୋବିନ୍ଦର ମୁଣ୍ଡରେ ମାଡ ମାରିଥିବା ଅଭିଯୋଗ ହୋଇଛି। ପରେ ସେଠାରେ ଗୋବିନ୍ଦ ତଳେ ପଡିଯିବା ପରେ ଅଭିଯୁକ୍ତ ମାନେ ଏକ ଛୁରାରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନକୁ ମାଡ଼ କରିଥିଲେ। ଏହା ପରେ ଅଭିଯୁକ୍ତ ମାନେ ଗୋବିନ୍ଦର ମୃତ୍ୟୁ ହୋଇଥିବା ଭାବି ପ୍ରଧାନପାଟ ରୋଡସ୍ଥିତ ପାଣିଟାଙ୍କି କଡ଼ ରାସ୍ତାରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ। ଦେବଗଡ଼ ଥାନା ପୁଲିସ ଅଭିଯୋଗ ଆଧାରରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।