Odiapua.com

ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ ଦାବିରେ ମତୋ କଲେଜ ସମ୍ମୁଖରେ ବିକ୍ଷୋଭ

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାଲେଷ୍ଟାଇନର ଗାଜାଷ୍ଟ୍ରିପ୍ ଉପରେ ଆକ୍ରମଣ ବନ୍ଦ, ମଧ୍ୟପ୍ରାଚ୍ୟରେ ତୁରନ୍ତ ଶାନ୍ତି ପ୍ରତିଷ୍ଠା, ବିଶ୍ୱରେ ମାକ୍ରିନ ସାମ୍ରାଜ୍ୟବାଦର ଏକଚାଟିଆ ଆଧିପତ୍ୟ ଖର୍ବ କରିବା, ସିରିଆ ଓ ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ ବନ୍ଦ କରିବା ଭଳି ଦାବିରେ ଆଜି ଏସଏଫଆଇ ପକ୍ଷରୁ ମତୋ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଫଳରେ ଉଭୟ ଦେଶର ପ୍ରାୟ ୬ ହଜାର ସାଧାରଣ ଜନତା ଶିଶୁ ଓ ମହିଳା ମୃତ୍ୟୁବରଣ କରିଥିବାବେଳେ ଗାଜାଷ୍ଟ୍ରିପ୍‌ର ଲକ୍ଷ ଲକ୍ଷ ଜନତା ଖାଦ୍ୟ, ଜଳ ଓ ଔଷଧ ଅଭାବରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଗାଜାଷ୍ଟ୍ରିପ୍‌ରେ ମାନବିକ ଅଧିକାର ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ହମାସ ଆତଙ୍କବାଦୀମାନଙ୍କୁ ସମୂଳେ ଧ୍ୱଂସ କରିବା ଆଳରେ ଇସ୍ରାଏଲ ଗାଜାଷ୍ଟ୍ରିପ୍‌କୁ ଦଖଲ କରିବା ଆଭିମୁଖ୍ୟ ରଖିଥିବାରୁ ତାହା ବିଶ୍ୱ ସମୁଦାୟ ପ୍ରତି ଆତଙ୍କ ସୃଷ୍ଟି କରିଛି । ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ନେତୃତ୍ୱର ଐତିହାସିକ ଦେଶ ହିସାବରେ ଭାରତ କୌଣସି ଦେଶର ପକ୍ଷ ନନେଇ ଯୁଦ୍ଧ ବନ୍ଦ ପାଇଁ ଉଭୟ ଦେଶକୁ ଲିଖିତ ଭାବେ ପରାମର୍ଶ ଦେବାକୁ ନିବେଦନ କରିବା ଦାବିରେ ଏସ୍‌ଏଫ୍‌ଆଇ ପକ୍ଷରୁ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ମତୋ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭରେ ଏସ୍‌ଏଫ୍‌ଆଇର ରାଜ୍ୟ ସଂପାଦକ ଷ୍ଟାଲିନ ଟିଟନ ଲେଙ୍କା, ରାଜ୍ୟ ସାଙ୍ଗଠନିକ କମିଟି ସଭ୍ୟ ବିକାଶ ନାଥ, ମତୋ ମହାବିଦ୍ୟାଳୟର ଛାତ୍ରୀ ନେତ୍ରୀ ଅସଲି ମିଶ୍ର, ସୁଶ୍ରୀ ସୁମନ ରାଣୀ ପ୍ରମୁଖ ଯୋଗଦେଇ ବିଶ୍ୱରେ ଯୁଦ୍ଧ ବଦଳରେ ଶାନ୍ତି ପ୍ରତିଷ୍ଠା କରିବାକୁ ବକ୍ତବ୍ୟ ମାଧ୍ୟମରେ ଉଭୟ ଇସ୍ରାଏଲ ଓ ପାଲେଷ୍ଟାଇନ୍‌କୁ ନିବେଦନ କରିଛନ୍ତି ।