Odiapua.com

ଯୁଦ୍ଧବନ୍ଦୀ ଆନନ୍ଦ ପତ୍ରୀଙ୍କୁ ମୁକ୍ତି ଦାବି, ସଂସଦରେ ପ୍ରସଙ୍ଗ ଉଠାଇଲେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ

ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶ ମାତୃକା ପାଇଁ ଲଢେଇ କରି ଦୀର୍ଘ ୫୦ ବର୍ଷ ଧରି ପାକିସ୍ତାନ ଲାହୋର ଜେଲ୍‌ରେ ବନ୍ଦୀଥିବା ଭଦ୍ରକ ମାଟିର ସନ୍ତାନ ଆନନ୍ଦ ପତ୍ରୀଙ୍କୁ ମୁକ୍ତି ପାଇଁ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ସଂସଦରେ ମୁହଁ ଖୋଲିଛନ୍ତି । ଏହାପୂର୍ବରୁ ସାଂସଦ ଶ୍ରୀମତୀ ମଣ୍ଡଳ ଗତ ୨୦୨୧ ମସିହା ଡିସେମ୍ବର ୧୨ ତାରିଖରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ମଧ୍ୟ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିଥିଲେ । ସଂସଦର ଶୂନ୍ୟକାଳରେ ଏହି ସମ୍ବେଦନଶୀଳ ପ୍ରସଙ୍ଗ ସଂପର୍କରେ ଶ୍ରୀମତୀ ମଣ୍ଡଳ ବାଚସ୍ପତିଙ୍କ ଜରିଆରେ ଗୃହରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ କହିଥିଲେ, ‘ ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧାମନଗର ଥାନା ଅଂଚଳର ଆନନ୍ଦ ପତ୍ରୀ ୧୯୫୫ ମସିହାରେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ସେ ଇଣ୍ଡିଆ ଚାଇନା ଯୁଦ୍ଧ (୧୯୬୨) ଓ ଇଣ୍ଡୋ ପାକ୍ ଯୁଦ୍ଧ (୧୯୬୫) ରେ ଅଂଶଗ୍ରହଣ କରିଥିଲେ । ତେବେ ୧୯୬୫ ଭାରକ-ପାକ ଯୁଦ୍ଧରେ ପାକିସ୍ତାନ ତାଙ୍କୁ ବନ୍ଦୀ କରି ନେଇଥିଲେ । ସେହିଦିନ ଠାରୁ ସେ ଲାହୋର ଜେଲ୍‌ରେ ଯୁଦ୍ଧବନ୍ଦୀ ଭାବେ କାଳାତିପାତ କରୁଛନ୍ତି । ପାକିନ୍ତାନ ସରକାର ତାଙ୍କୁ ଜଣେ ସାଧାରଣ ନାଗରିକ ବନ୍ଦୀ ଭାବେ ମୁକ୍ତି କରିବାକୁ ରାଜି ହୋଇଥିଲେ । ଆନ୍ତର୍ଜାତିକ ସମ୍ମିଳନୀରେ ତାଙ୍କୁ ଜଣେ ଯୁଦ୍ଧବନ୍ଦୀ ଭାବେ ଗ୍ରହଣ କରାଯିବା ଓ ଜେନିଭା ନିୟମ ଅନୁଯାୟୀ ଜଣେ ଯୁଦ୍ଧବନ୍ଦୀଙ୍କୁ ୧୨ ବର୍ଷରୁ ଅଧିକ ସମୟ ବନ୍ଦୀ କରି ଜେଲ୍‌ରେ ରଖାଯାଇପାରିବ ନାହିଁ ବୋଲି ସେ ମତ ଦେଇଥିଲେ ।

ଶ୍ରୀ ପତ୍ରୀଙ୍କ ପରିବାର ବର୍ଗ ଏବେ ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି । ୨୦୦୮ ରେ ତତ୍‌କାଳୀନ ବୈଦେଶିକ ମନ୍ତ୍ରୀଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ତ୍ୱରିତ ପଦକ୍ଷେପ ନେବାକୁ ପତ୍ର ଜରିଆରେ ନିବେଦନ କରିଥିଲେ । ମାତ୍ର ଏଯାଏ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଶ୍ରୀମତୀ ମଣ୍ଡଳ କହିବା ସହ ଆନନ୍ଦ ପତ୍ରୀଙ୍କ ପରିବାର ସଦସ୍ୟଙ୍କ ଲୁହକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ, ଲାହୋର କେନ୍ଦ୍ରୀୟ ଜେଲରେ ଜଣେ ଯୁଦ୍ଧବନ୍ଦୀ ଭାବେ ଆନନ୍ଦ ପତ୍ରୀ ନିର୍ଯ୍ୟାତନାର ଶୀକାର ହୋଇଥିଲେ । ଏନେଇ ଗତ ୦୭.୦୨.୨୦୦୩ ରିଖରେ ବିଭିନ୍ନ ଖବର କାଗଜରେ ତାଙ୍କ ଫଟୋ ସହିତ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା । ବିଜ୍ଞାପନରେ ଫଟୋର ଆନୁମାନିକ ନାମ ‘ନରସିମ ଗୋପାଳ’ ବୋଲି ପାକିସ୍ତାନରେ ଥିବା ଭାରତ ଉଚ୍ଚ କମିଶନରଙ୍କ ଦ୍ୱାରା ଘୋଷଣା କରାଯାଇଥିଲା । ଏହି ଫଟୋକୁ ଦେଖି କୋଲକାତାରେ ପୁରୋହିତ କରୁଥିବା ଆନନ୍ଦଙ୍କ ପୁତ୍ର ବିଦ୍ୟାଧର ତାଙ୍କ ପିତାଙ୍କୁ ଚିହ୍ନି ପାରିଥିଲେ । ପରେ ବିଦ୍ୟାଦର କୋଲକାତାର ସାମାଜିକ ସଂଗଠନ ‘ଦିଗନ୍ତ’ କାର୍ଯ୍ୟାଳୟକୁ ଆସି ସଂସ୍ଥାର ସଂପାଦକ ଉତ୍ପଳ ରାୟଙ୍କୁ ଭେଟି ପିତା ଆନନ୍ଦଙ୍କ ମୁକ୍ତି ପାଇଁ ନିବେଦନ କରିଥିଲେ । ପରେ ବିଦ୍ୟାଧରଙ୍କୁ ଧରି ଉତ୍ପଳ ରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତତ୍‌କାଳୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କୁ ଏନେଇ ଅବଗତ କରାଇଥିଲେ । ପରେ ଚଣ୍ଡିଗତ ଗସ୍ତ କାଳରେ ପାକିସ୍ତାନର ତତ୍‌କାଳୀନ ବୈଦେଶିକ ମନ୍ତ୍ରୀ ଜନାବ ଅନସର୍ବ ବର୍ନିଙ୍କୁ ଏନେଇ ଅବଗତ କରାଯାଇଥିଲା । ଆନନ୍ଦଙ୍କ ମୁକ୍ତିପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ ।

୧୨ ନଭେମ୍ବର ୨୦୦୮ ରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍‌କାଳୀନ ବୈଦେଶିକ ମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କୁ ଭାରତୀୟ ସେନାରେ ସୈନିକ ବନ୍ଦୀ ଥିବା ଆନନ୍ଦଙ୍କ ମୁକ୍ତି ପାଇଁ ଅନୁରୋଧ ପତ୍ରରେ ନିବେଦନ କରିଥିଲେ । ୨୦ ଡିସେମ୍ବର ୨୦୦୬ ରେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟର ଯୁଗ୍ମ ସଚିବ (ପାକିସ୍ତାନ ଡିଭିଜନ) ଉତ୍ପଳ ରାୟଙ୍କୁ ୨୨ ଡିସେମ୍ବର ୨୦୦୬ ରେ ଭାରତ-ପାକିସ୍ତାନ ସୀମା ୱାଘା ବର୍ଡର ଆସି ଆନନ୍ଦଙ୍କୁ ଗ୍ରହଣ କରିବାକୁ ଜଣାଇଥିଲେ । ପାକିସ୍ତାନ ସରକାର ସେହିଦିନ ଅନେକ ଭାରତୀୟ ନାଗରିକ ବନ୍ଦୀଙ୍କୁ ମୁକ୍ତ କରିଥିଲେ । ଅନ୍ୟପକ୍ଷରେ ଆନନ୍ଦ ପତ୍ରୀଙ୍କୁ ଜଣେ ଯୁଦ୍ଧବନ୍ଦୀ ଭାବେ ନୁହେଁ, ବରଂ ନାଗରିକ ବନ୍ଦୀ ଭାବେ ମୁକ୍ତି କରିବାକୁ ଚାହିଁଥିଲେ । ଏହାର କାରଣ ଜେନିଭା ଆଇନ୍ ଅନୁଯାୟୀ, ଯୁଦ୍ଧବନ୍ଦୀଙ୍କୁ ୧୨ ବର୍ଷରୁ ଅଧିକ ଜେଲ୍‌ରେ ରଖାଯାଇପାରିବ ନାହିଁ । ଫଳରେ ଆନନ୍ଦଙ୍କୁ ମୁକ୍ତି କରାଯାଇନଥିଲା । ଇସ୍‌ଲାମ ବାଦରେ ଭାରତ ଉଚ୍ଚ କମିଶନର ଆନନ୍ଦ ପତ୍ରୀଙ୍କୁ ଯୁଦ୍ଧବନ୍ଦୀ ଭାବେ ମୁକ୍ତ କରିବାକୁ ଦର୍ଶାଇଥିଲେ । ସେହିଦିନରୁ ଶ୍ରୀ ପତ୍ରୀ ପାକିସ୍ତାନ ଜେଲ୍‌ରୁ ମୁକୁଳିପାରି ନାହାଁନ୍ତି ।