Odiapua.com

ଯୁଦ୍ଧକାଳୀନ ପରିସ୍ଥିତିରେ ବନ୍ଧା ହେଲା ନାଳିଆ ନଈ ଘାଇ, ଆଶ୍ୱସ୍ତ ହେଲେ ତଳଗୋପବିନ୍ଧା ପଂଚାୟତ ବାସୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସାଳନ୍ଦୀ ଜଳସେଚନ ବିଭାଗ ଉଦ୍ୟମକୁ ପ୍ରସଂଶା

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତଳଗୋପବିନ୍ଧା ପଂଚାୟତ ଅଧିନ ମାତଗଜପୁର ଠାରେ ଗତ ମଙ୍ଗଳବାର ରାତିରେ ସାଳନ୍ଦୀନଦୀର ଶାଖା ନାଳିଆନଦୀରେ ବନ୍ଧ ଭାଙ୍ଗି ୬୦ଫୁଟର ଘାଇ ହୋଇଥିଲା। ଏହି ଘାଇକୁ ଯୁଦ୍ଧକାଳୀନ ପରିସ୍ଥିତିରେ ମାତ୍ର ୨ଦିନ ମଧ୍ୟରେ ସାଳନ୍ଦୀ ଜଳସେଚନ ବିଭାଗ ନାଳିଆ ନଦୀର ଘାଇକୁ ବାଲିବସ୍ତା ପକାଇବାନ୍ଧିବାକୁ ସକ୍ଷମ ହୋଇଛନ୍ତି। ଫଳରେ ତଳଗୋପବିନ୍ଧା ପଂଚାୟତର ଭୟଭୀତ ଅବସ୍ଥାରେ ଥିବା ୬ହଜାର ଲୋକ ଅଶ୍ୱସ୍ତି ଲାଭ କରିଛନ୍ତି। ଏଥିପାଇଁ ପଂଚାୟତବାସୀ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ସାଳନ୍ଦୀ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ହିତେଶ କୁମାର ସାହୁ, ଉପଖଣ୍ଡ ଅଧିକାରୀ ପ୍ରଦୀପ କୁମାର ବେହେରା,କନିଷ୍ଟ ଯନ୍ତ୍ରୀ ପଦ୍ମପ୍ରିୟ ସାମଲ ଓ ସରପଂଚ ସଂଜୀବ ବେହେରାଙ୍କ ଉଦ୍ୟମକୁ ପ୍ରସଂଶା କରିଥିବା ବେଳେ ବିଡ଼ିଓ ନିରଞ୍ଜନ ବାରିକଙ୍କ ସହାୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି।ନାଳିଆ ନଦୀରେ ବନ୍ୟା ଆସିବା ଯୋଗୁ ମାତଗଜପୁର ଗ୍ରାମ ନିକଟରେ ନଦୀରେ ବନ୍ଧଭାଙ୍ଗି ୬୦ଫୁଟ ଓସାରର ଘାଇ ସୃଷ୍ଟି ହୋଇଥିଲା । ଯାହା ଫଳରେ ପଂଚାୟତ ଅଧୀନ ୧୨ଟି ଗ୍ରାମ ଜଳମଗ୍ନ ହୋଇଥିଲା । ଏଥିସହ ତଳଗୋପବିନ୍ଧା ସହ ଭଦ୍ରକ ବ୍ଲକ ଅଧୀନ ରାଜମୁକୁନ୍ଦପୁର ଭାୟା ରାଜୁଆଳିବିନ୍ଧାର ଯୋଗାଯୋଗ ବିଛିନ୍ନ ହୋଇଥିଲା । ଘାଇରେ ବନ୍ୟା ପାଣି ସ୍ରୋତ ପ୍ରଖର ଓ ଭୟଙ୍କର ଥିବାରୁ ପଂଚାୟତବାସୀ ଆତଙ୍କିତ ହୋଇ ପଡ଼ିଥିଲେ । ଖବର ପାଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସେହି ପଂଚାୟତରେ ପହଂଚି ଲୋକମାନଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଥିଲେ। ଏଥିସହ ସାଳନ୍ଦୀ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ହିତେଶ କୁମାର ସାହୁଙ୍କୁ ବାଲିବସ୍ତା ସହାୟତାରେ ତୁରନ୍ତ ଘାଇ ବାନ୍ଧିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ମନ୍ତ୍ରୀ ସୂରଜ ତଳିଆ ଅଂଚଳରୁ ବିପନ୍ନମାନଙ୍କୁ ଉଦ୍ଧାର କରି ଐସାନ୍ୟଚଣ୍ଡି ହାଇସ୍କୁଲରେ ଥଇଥାନ କରିବାକୁ ବିଡ଼ିଓ ନିରଞ୍ଜନ ବାରିକଙ୍କୁ ପରାମର୍ଶ ଦେଇଥିଲେ । ବିଭିନ୍ନ ତଳିଆ ଅଂଚଳରୁ ୭ଶହ ବିପନ୍ନଙ୍କୁ ଉଦ୍ଧାର କରାଯାଇ ଥଇଥାନ କରାଯିବା ପରେ ସରପଂଚ ସଞ୍ଜୀବ ବେହେରା ସେମାନଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା କରିଥିଲେ।ମାତ୍ର ବିଜେପି।ପଂଚାୟର ସଭାପତି ଚକ୍ରଧର ନାୟକ ଦିନ ରାତି ପରିଶ୍ରମ କରି ବନ୍ୟାରେ ଭାର କରି ଗ୍ୟାସ ସିଲିଣ୍ଡର ଆଣି ବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଇବା ବାସ୍ତବିକ ପ୍ରଶଂସନୀୟ ଉଦ୍ୟମ ବୋଲି ଜଣାଯାଇଛି।ତେବେ ସାଳନ୍ଦୀ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସାହୁଙ୍କ ସମେତ ଉପଖଣ୍ଡ ଅଧିକାରୀ ବେହେରା, କନିଷ୍ଠ ଯନ୍ତ୍ରୀ ସାମଲ ଘଟଣାସ୍ଥଳରେ ପହଂଚିଥିଲେ ମଧ୍ୟ ପ୍ରବଳ ସ୍ରୋତ ଥିବାରୁ ବାଲି ବସ୍ତା ସହାୟତାରେ ଘାଇ ବାନ୍ଧିବାକୁ ସାହସ କରିପାରିନଥିଲେ। ପରେ ହଦଗଡ଼ ଡ୍ୟାମରୁ ଛଡା ଯାଉଥିବା ପାଣିକୁ ବନ୍ଦ କରାଯାଇ ବିଭାଗୀୟ ଅଧିକାରୀ ବନ୍ୟା ସ୍ରୋତ କମିବାକୁ ଅପେକ୍ଷା କରିଥିଲେ । ସ୍ରୋତ କମିବାରୁ ବାଲି ବସ୍ତା ସହାୟତାରେ ଘାଇ ବନ୍ଧାଯାଇଥିବା ଜଣାପଡିଛି। ତେବେ ଏହି ବନ୍ୟା ଯୋଗୁ ପଂଚାୟତବାସୀ ନାହିଁନଥିବା ଦୁର୍ଦ୍ଦଶା ଭୋଗ କରିଥିବା ଜଣାଯାଇଛି ।